ଅଧ୍ୱାନ୍ତ…!!!

10525895_570644949711376_6871113206934884009_nପୃଥିବୀ ପୃଷ୍ଠରେ ସନ୍ଧ୍ୟା ନଇଁ ଆସେ। ପକ୍ଷୀମାନେ ଫେରି ଯାଆନ୍ତି ନିଜ ନିଜର ନୀଡ଼କୁ, ଆଗାମୀ କାଲିର ସଂକଳ୍ପ ନେଇ। ଏଇ ପକ୍ଷୀମାନଙ୍କ ପ୍ରତିଭୂରେ ମୁଁ ଦେଖେ ଆଶା,ବିଶ୍ୱାସ, ଭରସା, ପ୍ରତିଜ୍ଞା, ପ୍ରେରଣା, ଅଭିପ୍ରାୟଣ, ଆସ୍ଥା, ଶ୍ରଦ୍ଧା, ନିଷ୍ଠା, ଆହୁରି କେତେକଣ। ଏଇ ସବୁ ନିରୀହ ନିଷ୍ପାପ ପ୍ରାଣଗୁଡ଼ିକ ଅତି ଧୈର୍ଯ୍ୟ ଆଉ ଦୃଢ଼ତାର ପ୍ରତୀକ। ଏମାନଙ୍କୁ ଦେଖିଲେ ଚିନ୍ତା ଓ ଚେତନାରେ ପର ଲାଗେ, ଜୀବନର ମୁକ୍ତ ପ୍ରାଙ୍ଗଣରେ ଉଡ଼ିବାକୁ ମନେ ହୁଏ। ଦିବ୍ୟ ଶାଶ୍ୱତ ଜ୍ଞାନାଲୋକରେ ବିଚରଣ କରି ମୁକ୍ତି ଆଉ ଆନନ୍ଦର ଅନ୍ନକଣ ଉଞ୍ଛିବା ହିଁ ଏକଲକ୍ଷ ହେବାର ପ୍ରତ୍ୟୟ ହୁଏ ।

ଏମାନେ ପ୍ରତ୍ୟେକ ମୁହୂର୍ତ୍ତ, ଦିନ, ମାସ ଓ ବର୍ଷକୁ ଜୀଅଁନ୍ତି ଅନନ୍ୟଚିତ୍ତ ହୋଇ। ଠାସକୁ ମାରିବାର ଜୀବନରୁ ଏମାନେ ବହୁତ ଦୂରରେ। ନିଜର ନୀଡ଼ ନିଜେ କରନ୍ତି, ନିଜର ଅନ୍ନକଣ ନିଜେ ସଂଗ୍ରହ କରନ୍ତି, ନିଜର ଜୀବନକୁ ମୁକ୍ତ ଆଉ ଶକ୍ତ ହୋଇ ଜୀଅଁନ୍ତି ନିଜକୁ ନୀଳ ଆକାଶର ଖୋଲା ଛାତିରେ ସମର୍ପି ଦେଇ।

ଆସନ୍ତୁ; ଏଇମିତି ବଞ୍ଚିଯିବା, ସାଥୀ ହୋଇ ସତ୍ୟ ହୋଇ। ସବୁଠୁ ବଡ଼ କଥା ହେଲା ନିଜର ଅନୂଢ଼ ପରିଚୟ ନେଇ । ଗର୍ବ ଓ ଗୌରବରେ ଆଗେଇ ଯିବା ଏକ ସୁଖ-ଶାନ୍ତି-ସମୃଦ୍ଧିର ଜୀବନ ପାଇଁ।

- ପ୍ରଭୂ

ଜ୍ଞାତାର୍ଥ :
୧. ଅଧ୍ୱାନ୍ତ – ମୁହଁ ଅନ୍ଧାର, ମାର୍ଗର ସୀମା, ଯାତ୍ରାର ଶେଷ ପର୍ଯ୍ୟାୟ
୨. ପ୍ରତିଭୂ – ପରିବର୍ତ୍ତେ, ବଦଳରେ
୩. ଅଭିପ୍ରାୟଣ – ଉଦ୍ଦେଶ୍ୟକୁ କାର୍ଯ୍ୟରେ ଲଗାଇବାର ଇଚ୍ଛା
୪. ଉଞ୍ଛିବା – ଶସ୍ୟକେଣ୍ଡାରୁ ଶସ୍ୟକୁ ମୁଠାକରି ଦୁହିଁବା
୫. ଠାସକୁ ମାରିବା – ପର ଉପରେ ନିର୍ଭର କରିବା
[ପାଠକମାନଙ୍କ ଅବଗତି ନିମନ୍ତେ ଶବ୍ଦାର୍ଥ ଗୁଡ଼ିକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୁ ସଂଗ୍ରହ କରି ଦିଆଯାଇଅଛି ]

Share in top social networks!