କୃଷି ମନ୍ତ୍ରୀଙ୍କ ନିମାପଡା ଗସ୍ତ,ବନ୍ୟା ପରିସ୍ଥିତି ସମୀକ୍ଷା

untitled
ଆଜି କୃଷି,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ନିମାପଡା ଗସ୍ତ କରି ନିମାପଡା,ଗୋପ,କାକଟପୁର ଓ ଆସ୍ତରଙ୍ଗ ବ୍ଲକଗୁଡ଼ିକର ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ନିମାପଡା ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ,କାକଟପୁର ବିଧାୟକ ଶ୍ରୀ ସୁରେନ୍ଦ୍ର ସେଠୀ,ପୁରୀ ଜିଲ୍ଲାପାଳ ଶ୍ରୀ ଧୀରେନ କୁମାର ପଟ୍ଟନାୟକ,ନିମାପଡା ବ୍ଲକର ପଞ୍ଚାୟତ ସମିତି ଚେୟାରମ୍ୟାନ ଶ୍ରୀମତୀ ସୁମିତ୍ରା ସାହୁ,ନିମାପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭାଶିଷ ମାନସିଂହ,ଅନ୍ୟ ବ୍ଲକର ବି.ଡି.ଓ ଗଣ,ତହସିଲଦାର,କୃଷି ଅଧିକାରୀ,ପଶୁଚିକିତ୍ସକ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କୃଷିମନ୍ତ୍ରୀଙ୍କୁ ବନ୍ୟା କ୍ଷୟକ୍ଷତି ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଯୋଗାଇ ଦେଇଥିଲେ । ନିମାପଡା ବ୍ଲକର ୧୫ଟି ପଞ୍ଚାୟତ,ଗୋପ ବ୍ଲକର ୮ଟି ପଞ୍ଚାୟତ ,କାକଟପୁର ବ୍ଲକର ୩ଟି ପଞ୍ଚାୟତ ଓ ଆସ୍ତରଙ୍ଗ ବ୍ଲକର ୮ଟି ପଞ୍ଚାୟତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ନିମପଡା ବ୍ଲକରେ ୯୬୫୧ହେକ୍ଟର ଚାଷଜମି,ଗୋପ ବ୍ଲକରେ ୪୨୧୦ ହେକ୍ଟର,କାକଟପୁର ବ୍ଲକରେ ୩୩୦ହେକ୍ଟର,ଅସ୍ତରଙ୍ଗ ବ୍ଲକରେ ୨୦୦୦ହେକ୍ଟର ଚାଷ ଜମି ବନ୍ୟାରେ ଧୋଇ ହୋଇଯାଇଛି । ନିମାପଡା ବ୍ଲକର ଧନୁଆ,ଶଗଡା,ଅଲଣ୍ଡା,ରେଞ୍ଚଶାସନ,ସଇଁସଶାସନ,କୋଠକୁସୁଙ୍ଗା,ବଡସିରିବିଲ,ବାମନାଳ ଓ ଅରିସନ୍ଧା ଗ୍ରାମପଞ୍ଚାୟତ ଅନ୍ତର୍ଗତ ୯୩ଟି ଗାଁର ୭୬ହଜାର ୪୬ଜଣ ଗ୍ରାମବାସୀ ଧନୁଆ ନଦୀର ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି । ଗୋପ ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ ଅନେକ ଗ୍ରାମପଞ୍ଚାୟତ ବନ୍ୟ ଦ୍ଵାରା ପ୍ରଭାବିତ ହୋଇଛନ୍ତି । ଏହି ବ୍ଲକରେ ୩ଟି ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି । ୪ଟି ଯାକ ବ୍ଲକରେ ବିଜୁ କୃଷକ କଲ୍ୟାଣ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ନିର୍ଦ୍ଦେଶ ଦେଇଥିଲେ । ଚାଷୀମାନଙ୍କୁ ୪୦୦କ୍ଵିଣ୍ଟାଲ ସହଜ ଅମଳକ୍ଷମ ଧାନ ବିହନ ଯୋଗାଇ ଦିଆଯିବ ବୋଲି ସେ ଉପସ୍ଥିତ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପାନବରଜ କ୍ଷୟକ୍ଷତି ଭରଣା ପାଇଁ ଉପସ୍ଥିତ ଜନସାଧାରଣ କୃଷି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ବା ପଦକ୍ଷେପ ନିଆଯିବ ବୋଲି କୃଷିମନ୍ତ୍ରୀ କହିଥିଲେ । ବିଭିନ୍ନ ପଦକ୍ଷେପକୁ ଯଥା ସ୍ୱାସ୍ଥ୍ୟସେବା,ବିଦ୍ୟୁତ,ରିଲିଫ ଓ ଗୋଖାଦ୍ୟ ବଣ୍ଟନ ଆଦି ଉପରେ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ ।

Share in top social networks!