କୋଠା ଭୁଶୁଡିବା ଘଟଣା ; ପୁରୀ ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ପ୍ରଶ୍ନ କ୍ଷତିପୂରଣ ଦିଆଯାଇଅଛି କି ନାହିଁ ?

untitledପୁରୀ ସହରରେ ଗତବର୍ଷ ସେପ୍ଟେମ୍ବରରେ କୋଠା ଭୁସୁଡି ୪ ଜଣଙ୍କର ମୃତ୍ୟୁହେବା ଘଟଣାରେ ମୃତକଙ୍କ ପରିବାର ଓ ଆହତମାନଙ୍କୁ କ୍ଷତି ପୂରଣ ଦିଆଯାଇଛି କି ନାହିଁ ତାହା ଜାଣିବାକୁ ଚାହିଁଛନ୍ତି ନୂଆଦିଲ୍ଲୀସ୍ଥ ଜାତୀୟ ମାନବାଧିକାର କମିଶନ ।ଏ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ କମିଶନ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ ମସିହା ସେପ୍ଟେମ୍ବର ୮ ତାରିଖରେ ପୁରୀ ଜହ୍ନିମୁଣ୍ଡିଆ ଛକ ନିକଟ ଦଇତା ଗଳିରେ ଥିବା ଏକ ପୁରୁଣା କୋଠା ଭୁସୁଡି ପଡିବାରୁ ବାଲେଶ୍ଵର ଜିଲ୍ଲାର ୨ଜଣ ନାବାଳିକାଙ୍କ ସହ ୪ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୬ ଜଣ ଆହାତ ହୋଇଥିଲେ । ଶହେ ବର୍ଷରୁ ଅଧିକ ପୁରୁଣା ଏହି କୋଠାଟିକୁ ଲଜ ଭାବେ ବ୍ୟବହାର କରାଯାଉଥିଲା । ପୁରୀରେ ଏଭଳି ଅନେକ ବିପଦ ସଙ୍କୁଳ କୋଠା ଥିଲେ ମଧ୍ୟ ଏହାକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏସବୁ କୋଠା ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାୟର କରିଥିଲେ । କମିଶନ ଏହାକୁ ବିଚାର କରି ଏ ସମ୍ପର୍କରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପୁରୀ ଏସପି ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ଫେବୃୟାରୀ ୨ ତାରିଖରେ ଏସପି କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟ ରେ କୁହାଯାଇଛି ଯେ , ଲଜ କୋଠଟି ପୁରୁଣା ଥିଲା ଓ ଅଧିକ ବର୍ଷା ଯୋଗୁଁ ଏହା ଭୁସୁଡି ଯାଇଥିଲା । ପୋଲିସ ମାମଲା ରୁଜୁ କରି ଲଜ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଥିଲା । ଏହା ଏବେ କୋର୍ଟରେ ବିଚାରାଧୀନ ଅଛି ଓ ଏ ସମ୍ପର୍କରେ ପ୍ରଶାସନ ଅବଗତ ଅଛି । କମିଶନ ଏହିରିପୋର୍ଟକୁ ବିଚାର କରିବା ପରେ ଜାଣିବାକୁ ପାଇଛନ୍ତି ଯେ ଏଥିରେ ମୃତାହତ ମାନଙ୍କୁ କ୍ଷତିପୂରଣ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ । ତେଣୁ କମିଶନ ଏ ସମ୍ପର୍କରେ ଜାଣିବା ପାଇଁ ପ୍ରମାଣ ସହ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!