ରାଜ୍ୟର ଆଳୁ ଚାହିଦା ମେଣ୍ଟାଇବା ପାଇଁ ଗୁଣାତ୍ମକ ବିହନ ଉତ୍ପାଦନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵ

52578
ରାଜ୍ୟର ଆଳୁ ଚାହିଦା ମେଣ୍ଟାଇବା ପାଇଁ ଗୁଣାତ୍ମକ ବିହନ ଉତ୍ପାଦନ ଏବଂ ବର୍ଷର ବିଭିନ୍ନ ଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ଆଳୁ ଚାଷ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵ ଆରୋପ କରିଛନ୍ତି । ଏଥିନିମନ୍ତେ ଜାତୀୟ ଉଦ୍ୟାନଚାଷ ଗବେଷଣା ଓ ଉନ୍ନୟନ ପରିଷଦ ଏବଂ ରାଜ୍ୟ ଉଦ୍ୟାନଚାଷ ବିଭାଗ ମଧ୍ୟରେ ସହଯୋଗିତା ଭିତ୍ତିରେ ନିର୍ଦ୍ଧିଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ଏହା ସହିତ ରାଜ୍ୟରେ ପିଆଜ ଓ ରସୁଣ ଉତ୍ପାଦନ ବୃଦ୍ଧି ଓ ସୁଲଭ ଶୀତଳ ଭଣ୍ଡାର ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଧିଷ୍ଟ ପ୍ରକଳ୍ପ ବିଷୟରେ ନିଷ୍ପତ୍ତି ନିଆଯାଇଛି । ଆଜି ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକରେ ଏହା ନିଷ୍ପତ୍ତି ହୋଇଛି । ଜାତୀୟ ଉଦ୍ୟାନ ଚାଷ ଗବେଷଣା ଉନ୍ନୟନ ପରିଷଦ ରାଜ୍ୟର ୨ଟି ଉଦ୍ୟାନଚାଷ ଫାର୍ମରେ ଉଚ୍ଚମାନର ଆଳୁ ବିହନ ଉତ୍ପାଦନ କରିବ । ଏଥି ପାଇଁ ଉଦ୍ୟାନ ବିଭାଗ ଦୁଇଟି ଫାର୍ମ ଯୋଗାଇଦେବ । ଏ ସମ୍ବନ୍ଧରେ ଏକ ବୁଝାମଣା ପତ୍ର ପ୍ରସ୍ତୁତ କରିବା ପାଇଁ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀ ସଂଜୀବ ଚଢାଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ବୌଦ ଜିଲ୍ଲାରେ ଜାତୀୟ ଉଦ୍ୟାନଚାଷ ଗବେଷଣା ଓ ଉନ୍ନୟନ ପରିଷଦର ଏକ “ଫିଲଡ ଷ୍ଟେସନ”ପ୍ରତିଷ୍ଠା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟରେ ଆଳୁ ପିଆଜ ଆଦିର ସଂରକ୍ଷଣ ପାଇଁ ସୁଲଭ ଶୀତଳଭଣ୍ଡାର ପ୍ରତିଷ୍ଠା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଜାତୀୟ ଗବେଷଣା ଓ ଉନ୍ନୟନ ପରିଷଦର ବୈଜ୍ଞାନିକ ଏହି କୌଶଳ ଆବିଷ୍କାର କରିଛନ୍ତି । ଏହକୁ ପାଇଲଟ ପ୍ରକଳ୍ପ ଭାବେ ଓଡିଶାରେ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପତି ଏବଂ ଏଥିନିମନ୍ତେ ଓଡିଶା ସରକାରଙ୍କ ତରଫରୁ ସମସ୍ତ ସହଯୋଗ ଯୋଗୀ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସ୍ଵତନ୍ତ୍ର ପ୍ରସ୍ତାବ ଅଗଷ୍ଟ ମାସ ଶେଷସୁଦ୍ଧା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପତି ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରାଜେଶ ବର୍ମା,ଜାତୀୟ ଉଦ୍ୟାନ ଚାଷ ଗବେଷଣା ଓ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଶ୍ରୀ ବିଜେନ୍ଦର ସିଂ, ନିର୍ଦ୍ଦେଶକ ଡକ୍ଟର ଆର ପି ଗୁପ୍ତାଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!