କୃଷ୍ଣପ୍ରସାଦରେ ୩୩/୧୧କେଭି ପ୍ରାଇମେରୀ ସବଷ୍ଟେସନ ଶକ୍ତିମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

untitled
ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଚାରିଛକ ତିତିପି ଠାରେ କାପେକ୍ସ କାର୍ଯ୍ୟକ୍ରମ ଅଧୀନରେ ୩୩/୧୧କେଭି ପ୍ରାଇମେରୀ ସବଷ୍ଟେସନକୁ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଉଦଘାଟନୀ ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ନିଯୁକ୍ତି ଏବଂ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସବଷ୍ଟେସନ ସ୍ଥାପନ ଫଳରେ ଏହି ଅଞ୍ଚଳର ଦୀର୍ଘ ଦିନର ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ । ପ୍ରାୟ ୩କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ସବଷ୍ଟେସନ ମାଧ୍ୟମରେ ନିରବଚ୍ଛିନ୍ନ ଉଚ୍ଚମାନର ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିବ । ୩୦ଟି ଗ୍ରାମର ପ୍ରାୟ ୫ହଜାରରୁ ଊର୍ଦ୍ଧ୍ଵ ଉପଭୋକ୍ତା ଏହାଦ୍ଵାରା ଉପକୃତ ହୋଇପାରିବେ । ମନ୍ତ୍ରୀ ଶ୍ରୀ ଦାସବର୍ମା କୃଷ୍ଣପ୍ରସାଦ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ୬/୭ମାସ ମଧ୍ୟରେ ଖାଦ୍ୟ ନିରାପତ୍ତା ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ୧୯୯୭ରେ ତିଆରି କରାଯାଇଥିବା ବିପିଏଲ ତାଲିକାରୁ ବାଦ ପଡିଥିବା ଅନେକ ଗରିବ ଲୋକ ଏହି ଯୋଜନାରେ ଅନ୍ତର୍ଭୃକ୍ତ ହୋଇପାରିବେ । ଶକ୍ତିମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ଶକ୍ତି କ୍ଷେତ୍ରର ବ୍ୟାପକ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ୫ବର୍ଷ ମଧ୍ୟରେ ପ୍ରାୟ ୫୪ହଜାର କୋଟି ଟଙ୍କା ବିନିଯୋଗରେ ଶକ୍ତି ଭିତ୍ତିଭୂମିର ବିକାଶ କରାଯିବା ପାଇଁ ଯୋଜନା କରାଯାଇଛି । ଯେହେତୁ ଶକ୍ତି ହେଉଛି ପ୍ରଗତିର ଏକ ପ୍ରମୁଖ ଉପଦାନ ତେଣୁ ସରକାର ଏହା ଉପରେ ବିଶେଷ ଗୁରୁତ୍ଵ ଦେଉଥିବା ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ସାଉଥକୋର ପରିଚାଳନା ନିର୍ଦ୍ଦେଶକ ଭାରତ ଭୂଷଣ ଶର୍ମା,ଡିଜିଏମ ପି.କେ ଚୌଧରୀ,ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସନାତନ ମଲ୍ଲିକ ପ୍ରମୁଖ କୃଷ୍ଣପ୍ରସାଦ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।

Share in top social networks!