ଆଳୁ ସଙ୍କଟ ର ସମାଧାନ ପାଇଁ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯିବ

untitledରାଜ୍ୟରେ ଗତ ଦୁଇଦିନ ଧରି ଦେଖାଦେଇଥିବା ଆଳୁ ସଙ୍କଟ ଦୂରହୋଇଥିବା ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି । ଆଜି ଏସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସବର୍ମା କହିଛନ୍ତି ଯେ ଗତକାଲି ପଶ୍ଚିମ ବଙ୍ଗ ର ମୁଖ୍ୟମନ୍ତ୍ରୀ ଶ୍ରୀ ମମତା ବାନାର୍ଜୀ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କଲାପରେ ସମସ୍ୟାର ସମାଧାନ ହୋଇଯାଇଛି । ଆଜି ପୂର୍ବାହ୍ନ ୧୧ ଟାରୁ ଓଡିଶା-ପଶ୍ଚିମବଙ୍ଗ ଗେଟରେ ଆଳୁ ବୋଝେଇ ଟ୍ରକ ଚଳାଚଳ ଆରମ୍ଭ କରିଛି । ଓଡିଶା ପଟରୁ ମଧ୍ୟ ପଶ୍ଚିମବଙ୍ଗକୁ ଟ୍ରକ ଚଳାଚଳ କରୁଛି । ଇତି ମଧ୍ୟରେ ଭୁବନେଶ୍ଵରରରେ ୪ଟ୍ରକ ଓ କଟକରେ ୬ ଟ୍ରକ ଆଳୁ ପହଞ୍ଚିଲାଣି । ସନ୍ଧ୍ୟା ସୁଦ୍ଧା ବ୍ରହ୍ମପୁର,ପୁରୀ,ଅନୁଗୁଳ,ସମ୍ବଲପୁର ଆଦି ସବୁସ୍ଥାନରେ ଆଳୁ ଟ୍ରକ ପହଞ୍ଚିଯିବ । କଟକରେ ୩୦ଟି କେନ୍ଦ୍ରରେ ଓ ଭୁବନେଶ୍ଵରରେ ୫୯ଟି କେନ୍ଦ୍ରରେ ମୈତ୍ରୀ,ଉଦ୍ୟାନ ଫେସ୍ ଓ ରିଟେଲର ଜରିଆରେ କେଜି ପିଛା ୨୦ ଟଙ୍କା ଦରରେ ଆଳୁ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଛି । ନାଫେଡ଼ ମାଧ୍ୟମରେ ଆକୁ ବୁଧବାର ଦିନ ଓଡିଶାରେ ପହଞ୍ଚିଯିବ ବୋଲି ସୂଚନା ମିଳିଛି । ଆଳୁଜନିତ ସମସ୍ୟାର ସମାଧାନ ହୋଇଯାଇଥିବାରୁ ମନ୍ତ୍ରୀ ଆଶ୍ଵସ୍ତି ପ୍ରକାଶ କରିବା ସହ ବଜାର ଦର ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଳୁ ସମସ୍ୟାର ସମାଧାନ ପାଇଁ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯିବ । ଉତ୍ପାଦନ,ସଂରକ୍ଷଣ ଓ ବିତରଣ ସହ ସମ୍ପୃକ୍ତ ବିଭାଗ ଯଥା-ଯୋଗାଣ ବିଭାଗ,ସମବାୟ ବିଭାଗ,ଓ କୃଷି ବିଭାଗକୁ ନେଇ ଏହି ଯୋଜନା ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି । ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଯୋଗାଣ ବିଭାଗର ସଚିବ ମଧୁସୂଦନ ପାଢି,ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏସକେ ବଶିଷ୍ଠ,ମାର୍କେଟ ଇଣ୍ଟେଲିଜେନ୍ସ ର ଉପନିର୍ଦ୍ଦେଶକ,ନାଫେଡ୍ ର ବରିଷ୍ଠ ଅଧିକାରୀଙ୍କ ସମେତ ଯୋଗାଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!