ନବକଳେବରକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠର ଉନ୍ନତି ପାଇଁ ବିବିଧ ପଦକ୍ଷେପ

52506
ପ୍ରତିବର୍ଷ ରଥଯାତ୍ରା ସମୟରେ ଜଗନ୍ନାଥ ମହାପ୍ରଭୁ ଅଣସରରେ ୧୫ଦିନ ରହୁଥିବା ବେଳେ ଭକ୍ତ ଅଲାରନାଥଙ୍କ ଦର୍ଶନ କରିଥାଏ । କିନ୍ତୁ ନବକଳେବର ବର୍ଷରେ ୪୫ଦିନ ଅଣସରରେ ରହୁଥିବାରୁ ଅଲାରନାଥ ପୀଠରେ ତଦନୁଯାୟୀ ୪୫ଦିନ ପୂଜା ରୀତି ହୁଏ ଓ ଭକ୍ତମାନେ ଏହି ସମୟରେ ଅଲାରନାଥ ପୀଠରେ ଆଶାତୀତ ଭିଡ ଜମାଇଥାନ୍ତି । ଆସନ୍ତା ବର୍ଷ ନବକଳେବର କୁ ଆଖିରେ ରଖି ପୀଠର ଉନ୍ନତି ପାଇଁ ବିଧିବଦ୍ଧ ପଦକ୍ଷେପ ନିଆଯାଇଛି । ବ୍ରହ୍ମଗିରି ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଦ୍ଵାରା ଆହୁତ ଓ ମୁଖ୍ୟଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତିଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛି । ବୈଠକର ନିର୍ଯ୍ୟାସମେତ,ଗୋଟିଏ ପ୍ରବେଶ ଦ୍ଵାର ଥିବାରୁ ଅନ୍ୟ ଏକ ପ୍ରସ୍ଥାନ ଦ୍ଵାର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି । ମନ୍ଦିର ଉନ୍ନୟନ ଆକଳନ ବାଦ ଅତିରିକ୍ତ ଆକଳନ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ପତି ପର୍ଯ୍ୟଟନ ସଚିବଙ୍କୁ ଏହି ପରିପ୍ରେକ୍ଷୀରେ ପରାମର୍ଶ ଦେଇଛନ୍ତି । ଅଲାରନାଥ ପୀଠର ଉନ୍ନତି ପାଇଁ ଏକାଦଶ ଅର୍ଥ କମିଶନଙ୍କ ସମୟରେ ୨ଲକ୍ଷ,ଦ୍ଵାଦଶ ଅର୍ଥ କମିଶନଙ୍କ ସମୟରେ ୩ଲକ୍ଷ ଓ ତ୍ରୟୋଦଶ ଅର୍ଥ କମିଶନ କାଳରେ ୧୫ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏହ ସହ ନିଜସ୍ଵ ବଜେଟରୁ ମଧ୍ୟ ମନ୍ଦିରର ପ୍ରାଚୀର,ରୋଷଘର ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଆନୁମାନିକ ୬୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଛି ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ଦ୍ଵାରା ଆଗତ ପୀଠର ଏହିସବୁ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟ ପାଇଁ ସମ୍ପୃକ୍ତ ସଚିବମାନେ ଆସନ୍ତା ଏକମାସ ମଧ୍ୟରେ ବ୍ୟୟ ଆକଳନ ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଡଃ ଅରବିନ୍ଦ ପାଢୀ,ଶକ୍ତି ଓ ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା,ଗ୍ରାମ୍ୟ ଉନ୍ନୟନ ସଚିବ ଶ୍ରୀ ସି.ଜେ. ଭେନୁଗୋପାଳ,ପୂର୍ତ୍ତ ସଚିବ ଶ୍ରୀ ନଳିନୀକାନ୍ତ ପ୍ରଧାନ,ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର,ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ,ଆଲରନାଥ ପୀଠର ଟ୍ରଷ୍ଟ ବୋର୍ଡର ସଦସ୍ୟ,ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!