ଚଳିତ ବର୍ଷ ଉନ୍ନତ ମାନର ୮ କ୍ଵିଣ୍ଟାଲ ଧାନ ବିହନ ଉତ୍ପାଦନ କରାଯିବ

Odishan-MAP-9
ଏଣିକି ଧାନ ବିହନ ପାଇଁ ଆମକୁ ପଡୋଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନାହିଁ । ଚଳିତ ବର୍ଷ ଉନ୍ନତ ମାନର ୮ କ୍ଵିଣ୍ଟାଲ ଧାନ ବିହନ ଉତ୍ପାଦନ କରାଯିବ । ରାଜ୍ୟ ବିହନ ନିଗମ ଏହି ଲକ୍ଷ୍ୟ ରଖିଛି ବୋଲି ନିଗମର ଅଧ୍ୟକ୍ଷ ଶ୍ରୀ ଯୋଗେନ୍ଦ୍ର ତ୍ରିପାଠୀ ପ୍ରକାଶ କରିଛନ୍ତି । ନିଗମର ଅଂଶିଦାରମାନଙ୍କ ୩୬ତମ ସାଧାରଣ ଅଧିବେଶନରେ ଯୋଗଦେଇ ସେ କହିଲେ ଯେ ,ଆସନ୍ତା ରବି ଋତୁରେ ନିଗମ ପ୍ରାୟ ୧୦ ହଜାର କ୍ଵିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଉତ୍ପାଦନ ପାଇଁ କାର୍ଯ୍ୟ ଆରମ୍ଭ କରି ସାରିଲାଣି । ଏହାସହିତ ପର୍ଯ୍ୟାପ୍ତ ପରିମାଣର ପିଆଜ ବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ନିଗମ ପକ୍ଷରୁ ତିନୋଟି ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରାଯିବ । କୃଷି ନିର୍ଦ୍ଦେଶକ ତଥା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆର ଏସ୍.ଗୋପାଳନ ଏଥିରେ ଯୋଗ ଦେଇ କହିଲେ ଯେ , ବିହନ ଉତ୍ପାଦନକାରୀ ଚାଷିମାନଙ୍କୁ ଠିକ୍ ସମୟରେ ପ୍ରାପ୍ୟ ଦେବା ପିନ ସରକାରଙ୍କ ପକ୍ଷରୁ ଗତ ବଜେଟ୍ ରେ ୨୫ କୋଟି ଟଙ୍କା ଯୋଗାଇଦିଆଯାଇଛି । ତେବେ ଅଧିକ ଅର୍ଥର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୫୦ କୋଟି ଟଙ୍କା ଏହି ବାବଦରେ ଯୋଗାଇଦେବାକୁ ନିଗମ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯିବ । ରବି ଋତୁ ପାଇଁ ବ୍ୟାପକ ହାଇବ୍ରୀଡ ଧାନ ବିହନ ଉତ୍ପାଦନ ପାଇଁ କୃଷି ବିଭାଗ ବ୍ୟବସ୍ଥା କରିଛି ବୋଲି ସେ କହିଥିଲେ । ଏଥିପାଇଁ ବିହନର ପ୍ରକ୍ରିୟାକରଣ ଓ ମହଜୁଦ ପାଇଁ ରାଜ୍ୟରେ ପ୍ଳାଣ୍ଟ ଓ ଗୋଦାମଘର ପ୍ରତିଷ୍ଠା କରାଯିବ । ଗତ ଆର୍ଥିକ ବର୍ଷରେ ନିଗମ ୧୬୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ୧.୨୭ କୋଟି ଲାଭ କରିଛି । ଆସନ୍ତା ବର୍ଷ ରେ ୧୭୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ନିଗମ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ବିବରଣୀରୁ ଜଣାଯାଇଛି । ଅଧିବେଶନରେ ସମସ୍ତ ଜିଲ୍ଲାର ଅଂଶଧନ ଅଧିକାରୀ,ଚାଷୀ ଓ ଓଡିଶା କୃଷି ବିଶ୍ୱବିଦ୍ୟାଳୟର ଡିନ୍ ଗବେଷଣା ଶ୍ରୀ ପିକେ ଦାଶ,ଶ୍ରୀ ଅଶୋକ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!