କୃଷି ବିଜ୍ଞାନୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଚାଷୀଙ୍କ ନିକଟରେ ପହଞ୍ଚାଇଲେ ପନିପରିବାର ଆଶାନୁରୂପ ଉତ୍ପାଦନ ହେବ – କୃଷିମନ୍ତ୍ରୀ ଶ୍ରୀ ମହାରଥୀ

untitled
ପୋଟଳ,ଲାଉ,କଖାରୁ,କାକୁଡି,କଲରା,ଜହ୍ନି ,ପାଣିକଖାରୁ,ତରଭୁଜ ,କାଙ୍କଡ,କୁନ୍ଦୁରୀ ଆଦି ପନିପରିବାରେ ଖାଦ୍ୟସାର ଉଚ୍ଚମାତ୍ରାରେ ରହିଛି । ଆମ ରାଜ୍ୟ ଏ ସବୁ ପନିପରିବାର ଉତ୍ପାଦନ ପାଇଁ ପ୍ରକୃଷ୍ଟ କ୍ଷେତ୍ର । ବିଶେଷ କରି ଏହି ପନିପରିବା ଚାଷ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଉ ନଥିବାରୁ କ୍ଷୁଦ୍ରଚାଷୀଙ୍କ ପାଇଁ ଏହା ଉପଯୁକ୍ତ । ତେଣୁ,ଏ ସବୁ ପାରମ୍ପରିକ ପନିପରିବାର ଆଶାନୁରୂପ ଉତ୍ପାଦନ ଦିଗରେ କୃଷିବିଜ୍ଞାନୀ ମାନେ ମନୋନିବେଶ କରିବା ଜରୁରୀ ବୋଲି କୃଷି ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ମତବ୍ୟକ୍ତ କରିଛନ୍ତି । ଆଜି ଏ ଜାତୀୟ ପନିପରିବାର ଉତ୍ପାଦନ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର କୁ ଉଦଘାଟନ କରି କୃଷିମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ, ଭୂ ପୁରାତନ କାଳରୁ ଏ ସବୁ ପନିପରିବା ଚାଷ ହେଉଥିଲେ ହେଁ ଏ ଦିଗରେ ଅତ୍ୟାଧୁନିକ ବୈଜ୍ଞାନିକ କୃଷିକୌଶଳର ଉପଯୋଗ ସେତେ ହୋଇପାରି ନାହିଁ । ଏଗୁଡ଼ିକର ଗୁଣାତ୍ମକ ମାନକୁ ଉଚ୍ଚକୋଟୀର କରିବା ଏବଂ ଉତ୍ପାଦନ କୁ ବହୁଗୁଣିତ କରିବା ପାଇଁ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଜରୁରୀ । ଭୁବନେଶ୍ଵରସ୍ଥ ଜାତୀୟ ଉଦ୍ୟାନ କୃଷି ପ୍ରୟୋଗ କେନ୍ଦ୍ର ଉନ୍ନତ ମାନର କୁନ୍ଦୁରୀ,ପୋଟଳ ଓ କାଙ୍କଡଚାଷ ପାଇଁ ପଦକ୍ଷେପ ଗ୍ରହଣ କରିବା ପ୍ରଶଂସନୀୟ । କିନ୍ତୁ,ଉନ୍ନତ ଜ୍ଞାନକୌଶଳ ଜରିଆରେ ବର୍ଷର ସବୁ ସମୟରେ ଏସବୁ ଜାତିର ପରିବାଚାଷ ହୋଇପାରିଲେ ଖାଉଟି ସୁଲଭ ମୂଲ୍ୟରେ ପାଇପାରନ୍ତେ,ଚାଷୀଭାଇମାନେ ଲାଭମାନ ହୁଅନ୍ତେ ଓ ରପ୍ତାନୀ ମଧ୍ୟ ସମ୍ଭବ ହୋଇପାରନ୍ତା । ତେଣୁ କୃଷି ବିଜ୍ଞାନୀ ଓ କୃଷି ଅଧିକାରୀମାନେ ପର୍ଯ୍ୟାପ୍ତ ଚାରା ଓ ଉପଯୁକ୍ତ ଉତ୍ପାଦନ ଜ୍ଞାନକୌଶଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇ ପାରିଲେ ଚାଷୀମାନଙ୍କ ଅଶେଷ ହିତସାଧନ ହୋଇପାରନ୍ତା ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ପ୍ରକାଶ କରିଥିଲେ ।

Share in top social networks!