ମାତୃଭାଷା ଭିତ୍ତିକ ‘ନୂଆ ଅରୁଣିମା’ ପାଠ୍ୟକ୍ରମର ଶୁଭାରମ୍ଭ

MAP-14ଶିଶୁର ପ୍ରକୃତ ଭାଷା ହିଁ ମାତୃଭାଷା । ପ୍ରତ୍ୟେକ ଶିଶୁର ଶିକ୍ଷାଦାନ କ୍ଷେତ୍ରରେ ମାତୃଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଦ୍ୟାଳୟ ପାଠ୍ୟକ୍ରମରେ ମାତୃଭାଷାଭିତ୍ତିକ ଶିକ୍ଷାକୁ ଅଗ୍ରାଧିକାର ଦେବା ଆବଶ୍ୟକ । ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସେମାନଙ୍କ ମାତୃଭାଷାରେ ଲିଖିତ ଶିକ୍ଷାଦାନ ଆବଶ୍ୟକ । ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ଅଭିନବ ପ୍ରୟାସ ସ୍ୱରୂପ ମାତୃଭାଷା ଭିତ୍ତିକ ‘ ନୂଆ ଅରୁଣିମା’ ପାଠ୍ୟକ୍ରମକୁ ନେଇ ପ୍ରସ୍ତୁତ ସହାୟକ ପୁସ୍ତିକା ଉନ୍ମୋଚିତ ହୋଇଛି । ଆଜି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ର ପ୍ରେକ୍ଷାଳୟରେ ମହିଳା ଓ ଶିଶୁ ବିକାଶ ବିଭାଗ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମିଳିତ ସହଯୋଗରେ ଆଜି ପ୍ରାକ୍ ବିଦ୍ୟାଳୟ ମାତୃଭାଷା ଶିକ୍ଷାର ମାର୍ଗଦର୍ଶିକାକୁ ୧୦ଟି ଭାଷାରେ ଲୋକାର୍ପଣ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା ଏଭଳି ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିବା ସହିତ ଏହା ଆଦିବାସୀ ପ୍ରାକ୍ ବିଦ୍ୟାଳୟ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇପାରିବ ବୋଲି କହିଥିଲେ । ଆଦିବାସୀ ପିଲାମାନଙ୍କ ପାଠପଡା ମଧ୍ୟ ଅଧିକ ସହଜ ,ବୋଧଗମ୍ୟ ହେବ ବୋଲି ମନ୍ତ୍ରୀ ଶ୍ରୀ ହିମିରିକା ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କହିଲେ ଯେ,ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ଶିକ୍ଷାର ଗୁରୁତ୍ଵ ବୃଦ୍ଧି ପାଇବ । ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଦ୍ଵାରା ଜନଜାତିମାନଙ୍କର ଜୀବନ ସଫଳ ହୋଇପାରିବ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ଉଦବୋଧନଦେଇ କହିଲେଯେ ଆଦିବାସୀ ଅଞ୍ଚଳରେ ଶିକ୍ଷକମାନଙ୍କ ପାଇଁ ଏହି ସହାୟକ ପୁସ୍ତିକା ବେଶ୍ ଉପଯୋଗୀ ହେବ । ଆଦିବାସୀ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀମାନେ ଏହାଦ୍ୱାରା ଉପକୃତ ହେବେ । ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଶ୍ରୀମତୀ ଆରତି ଆହୁଜା ନୂଆ ପାଠ୍ୟକ୍ରମ ସମ୍ପର୍କରେ ରେଖାପାତ କରିଥିଲେ ଏବଂ ଗୁଣାତ୍ମକ ତାଲିମ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ସର୍ବଶେଷରେ ବିଭାଗୀୟ ଅନୁଶାସନ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠ୍ୟକ୍ରମ ର ସୁପରିଚାଳନା ନିମନ୍ତେ ପ୍ରଶିକ୍ଷକମାନଙ୍କର ଏକ ରାଜ୍ୟସ୍ତରୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Share in top social networks!