ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ଵମନ୍ତ୍ରୀଙ୍କ ନିର୍ଦ୍ଦେଶ

untitled
ସଚିବାଳୟଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ବିଜୟଶ୍ରୀରାଉତରାୟ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଂବେଦନଶୀଳ ସ୍ଥିତିରେଥିବା ଜିଲ୍ଲାମାନଙ୍କର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ରାଉତରାୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ଲାଇନ ବିଭାଗରେ ଥିବା ଅଧିକାରୀମାନେ ସେମାନଙ୍କର ଦାୟିତ୍ଵ ସୁଚାରୁରୂପେ ଯେପରି ତୁଲାଇବେ ସେଥିପ୍ରତି ଜିଲ୍ଲାପାଳମାନେ ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ରାଉତରାୟ କହିଥିଲେ । ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ଜନସାଧାରଣଙ୍କର ଧାନ,ଜୀବନ ରକ୍ଷା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ବର୍ତ୍ତମାନସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଜିଲ୍ଲାରେ ୫୦୦ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ୨ଟି ରିଲିଫ କ୍ୟାମ୍ପ ସ୍ଥାପନ କରାଯାଇଛି । ସେହିପରି ବୌଦ୍ଧ ଜିଲାରେ ୨ହଜାର ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡା ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଜଗତସିଂପୁର ଜିଲ୍ଲାରେ କୁଜଙ୍ଗ ଓ ତିର୍ତ୍ତୋଲ ଅଞ୍ଚଳ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ଏହିଜିଲ୍ଲାର କୁଜଙ୍ଗ ଅଞ୍ଚଳର ବଡବାଲିକାଳି ଗ୍ରାମରେ ଗୋଟିଏ ଘାଇ ହୋଇଛି । ଏହି ସବୁ ଅଞ୍ଚଳରେ ରନ୍ଧାଖାଦ୍ୟ ଦିଆଯାଉଛି । କେନ୍ଦ୍ରାପଡା ଜିଲ୍ଲାର ଲୁଣ,ଚିତ୍ରୋତ୍ପଳା ,କରାଣ୍ଡିଆ,ପାଇକାନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯାହା ଫଳରେ ମାର୍ଶାଘାଇ,ମହାକାଳପଡା,ଗରଦପୁର ଆଦି କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୦ ଜଣଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସମ୍ବଲପୁରରେ ୬୦୦ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରକରାଯାଇଛି ଏବଂ ୩୩ଟି ଆଶ୍ରୟସ୍ଥଳ ସ୍ଥାପନ କରାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଇଛି । ବନ୍ୟା ଯୋଗୁଁ ବାଙ୍କୀ –କଟକ ରୋଡ ବିଚ୍ଛିନ୍ନ ହୋଇଯାଇଛି । ଜଯପୁର ଜିଲ୍ଲାରେ ୨୭ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ଜିଲ୍ଲାରେ ମୋଟ ୧୨ଟି ଘାଇ ହୋଇଥିବାରୁ ସ୍ଥିତି ଗମ୍ଭୀର ରହିଛି । ଆଜି ମଧ୍ୟ ରାତ୍ରିରେ ୧୨ଲକ୍ଷ କ୍ୟୁସେକ୍ ପାଣି ମୁଣ୍ଡୁଳି ଦେଇ ପ୍ରବାହିତ ହେବ । ଛତିଶଗଡ ଓ ଉପରମୁଣ୍ଡରେ ବର୍ଷାର ପ୍ରଭାବ କମ ହେଲେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ ଆଶାପ୍ରକାଶ କରିଛନ୍ତି ।

Share in top social networks!