‘ଓୟୁଜେ’ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

unnamed
ଜୀବନକୁ ବିପନ୍ନ କରି ସାମ୍ବାଦିକମାନେ ଦକ୍ଷତାର ସହିତ ଦାୟିତ୍ଵ ସମ୍ପନ୍ନ କରୁଥିବା ହେତୁ ସାଧରଣ ଜନତା ସଠିକ ନ୍ୟାୟ ପାଇ ପାରୁଛନ୍ତି । ତାହା ସତ୍ତ୍ୱେ ରାଜ୍ୟରେ ସାମ୍ବାଦିକତା ବୂର୍ତ୍ତୀ ବିପନ୍ନ ହୋଇ ପଡିଛି । ସୁତରାଂ ସାମ୍ବାଦିକଙ୍କ ପାଇଁ ରାଜ୍ୟରେ ନିରାପତ୍ତା ଆଇନ ପ୍ରଣୟନରେ ଅବହେଳା କରାନଯିବା ଉଚିତ୍ ବୋଲି ସମବାୟ ଓ ଅବକାରୀମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମତବ୍ୟକ୍ତ କରିଛନ୍ତି । ରବିବାର ଓୟୁଜେ ଭବନରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ୍(ଓୟୁଜେ) କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡାକ୍ତର ରାଉତ କହିଲେ ଯେ,ରାଜ୍ୟରେ ସାମ୍ବାଦିକମାନଙ୍କୁ ଚିହ୍ନଟ କରି ବୀମାଭୁକ୍ତ କରିବା ସହ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବା ରାଜ୍ୟ ସରକାରଙ୍କ ପ୍ରଥମିକତା ହେବା ଉଚିତ୍ । ଗ୍ରାମାଞ୍ଚଳରେ ସାମ୍ବାଦିକମାନେ ଯେଭଳି ଅଭାବ ଅସୁବିଧାରେ ରହି କାର୍ଯ୍ୟ କରୁଛନ୍ତି ସେ ଦୃଷ୍ଟିରୁ ସେମାନଙ୍କ ସମସ୍ୟା ପ୍ରତି ଅବହେଳା ପ୍ରଦର୍ଶନ କରାଯିବା ଅନୁଚିତ । ସରକାରୀ ସୁବିଧା ସୁଯୋଗ ପ୍ରଦାନ ବେଳେ କୌଣସି ପତରାନ୍ତର ନୀତି ଗ୍ରହଣ କରାଯିବା ଉଚିତ ବୋଲି ମନ୍ତ୍ରୀ ଡଃ ରାଉତ ମତବ୍ୟକ୍ତ କରିଥିଲେ ।ବୈଠକରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଜାତୀୟ ସାମ୍ବାଦିକ ଯୁନିଅନ ମହାସଚିବ ପ୍ରସନ୍ନ ମହାନ୍ତି କହିଲେ ଯେ,ରାଜ୍ୟରେ ସାମ୍ବାଦିକଙ୍କ ସ୍ଥିତି ବିପନ୍ନ ହୋଇ ପଡିଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିନଦେବା ଦୁର୍ଭାଗ୍ୟର ବିଷୟ । କିଛି ମୁଷ୍ଟିମେୟ ସମ୍ବାଦିକଙ୍କୁ ଧରି ରାଜ୍ୟ ସରକାର ବହୁ ସାମ୍ବାଦିକଙ୍କୁ ଉପେକ୍ଷିତ କରୁଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟସରକାର ସାମ୍ବାଦିକ ସୁରକ୍ଷା ଓ ସୁବିଧା ପାଇଁ ଏକ ସବ୍-କମିଟି ଗଠନ କରିବା ପାଇଁ ସେ ଆହ୍ଵାନ କରିଛନ୍ତି । ଏହି ବୈଠକରେ ସାମ୍ବାଦିକ ସୁରକ୍ଷା ଆଇନପ୍ରଣୟନ,ବେତନ ବୋର୍ଡ ସୁପାରିଶ ଲାଗୁ କରିବା ଓ ଏଥିପ୍ରତି ତୁରନ୍ତ ଶ୍ରମ ବିଭାଗ ଦ୍ଵାରା ତ୍ରୈପାକ୍ଷିକ କମିଟି ଗଠନ କରାଯିବା,ସ୍ୱାସ୍ଥ୍ୟବୀମା ଓ ପେନସନ୍ ଯୋଜନା ତୁରନ୍ତ ଲାଗୁକରିବାକୁ ଦାବି କରି ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲୋକନାଥ ସିଂହ ,ସମ୍ପାଦକ ଆଚାର୍ଯ୍ୟ ବିଶ୍ଵରଞ୍ଜନ,କିଶାନ ରାଉତ,କୋଷାଧ୍ୟକ୍ଷ ସୁରେଶ ଦାଶ, ପ୍ରମୋଦ ସାମନ୍ତରାୟ,ରାଜୀବ ଲୋଚନ ମହାନ୍ତି,ସୁଧାଂଶୁ ଶେଖର ପରିଡା ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!