ସ୍ଵତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ ଦ୍ଵିତୀୟ ଓଜେଇଇ ପାଇଁ ପ୍ରକ୍ରିୟା ଆରମ୍ଭ

untitledରାଜ୍ୟରେ ବିଭିନ୍ନ ବେସରକାରୀ ଇଞ୍ଜିନିୟରିଂ କଲେଜରେ ଆଶାତୀତ କଲେଜ ସିଟ ଖାଲି ପଡୁଥିବା ପରିପ୍ରେକ୍ଷୀରେ ଓଡିଶା ବେସରକାରୀ ଇଞ୍ଜିନିୟରିଂ କଲେଜ ସଂଘ ପକ୍ଷରୁ ଆଗତ ଏକ ରିଟ୍ ପିଟିସନ୍ ର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ,ତାହାକୁ ସରକାର ପାଳନ କରିବାକୁ ଯାଉଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ରାୟ ଅନୁସାରେ ବି.ଟେକ୍ କୋର୍ସ ପାଇଁ ସ୍ଵତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଏବଂ ଏମବିଏ ଓ ଏମସିଏ କୋର୍ସ ପାଇଁ ଦ୍ଵିତୀୟ ଓଜେଇଇ ପରୀକ୍ଷା ଆସନ୍ତା ଅଗଷ୍ଟ ୧୦ ତାରିଖ ରେ ଅନୁଷ୍ଠିତ ହେବ । ରାଜ୍ୟ ନିଯୁକ୍ତି ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଏ ସଙ୍କ୍ରାନ୍ତରେ ତର୍ଜମା କରାଯାଇଛି । ମାନ୍ୟବର ହାଇକୋର୍ଟଙ୍କ ରାୟ ମୁତବକ ଓଜେଇଇର ଏହି ଦ୍ଵିତୀୟ ପରୀକ୍ଷା ପ୍ରକ୍ରିୟା ପାଇଁ ଆଜିଠାରୁ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି । ଦ୍ଵିତୀୟ ଓଜେଇଇ ଓ ସ୍ଵତନ୍ତ୍ର ଓଜେଇଇ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୧୦ ତାରିଖରେ ହେବକୁ ଥିବା ଏହି ସ୍ଵତନ୍ତ୍ର ପରୀକ୍ଷା ପାଇଁ ୩ରୁ୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଅନଲାଇନ୍ ରେ ଆବେଦନ ପତ୍ର ଗ୍ରହଣ କରାଯିବ । ୮ରୁ୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଆଡମିଟ୍ କାର୍ଡ ଓ ପରୀକ୍ଷା କେନ୍ଦ୍ର ତାଲିକା ଓଜେଇଇ ୱେବସାଇଟ୍ ରୁ ଡାଉନଲୋଡ୍ କରିପାରିବେ । ୧୨ ଅଗଷ୍ଟରେ ଫଳାଫଳ ପ୍ରକାଶ ପାଇବ ଓ ୧୩ ତାରିଖରେ ରାଙ୍କ୍ କାର୍ଡ ୱେବସାଇଟ ରୁ ଉପଲବ୍ଧ ହେବ । ୧୪ ତାରିଖରେ ସ୍ପଟ କାଉନ୍ସେଲିଂ ହେବ ଏବଂ ୧୫ ତାରିଖରେ ଛାତ୍ରଛାତ୍ରୀମାନେ ବିଭିନ୍ନ କଲେଜରେ ରିପୋର୍ଟ କରିବେ । ପରୀକ୍ଷା ପାଇଁ ୧୨ଟି ନୋଡାଲ ସେଣ୍ଟର ଚୟନ କରାଯାଇଛି । ସେହିଠାରେସବୁ ପରୀକ୍ଷା ଅନୁଷ୍ଠିତ ହେବ । ସରକାରଙ୍କ ଦ୍ଵାରା ନିଆଯାଉଥିବା ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସୁଯୋଗ ନେବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି ।

Share in top social networks!