ରାଜ୍ୟରେ ବିଦ୍ୟଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ସଂକଳ୍ପ ବଦ୍ଧ ଭାବେ ପଦକ୍ଷେପ ଗ୍ରହଣ ପୂର୍ବକ ବିଦ୍ୟାଳୟ ପରିଚାଳନା କମିଟି ପ୍ରଚଳିତ ନିୟମାବଳୀରେ କେତେକେ ସଂଶୋଧନ ଆଣିଛନ୍ତି । ଏଥି ସମ୍ପର୍କିତ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶିଳ୍ପ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଙ୍କ ଅନୁମୋଦନ କ୍ରମେ ଏହି ନୂତନ ସଂଶୋଧିତ ନିୟମାବଳୀ ଏଣିକି କାର୍ଯ୍ୟକାରୀ ହୋଇଛି । ସରକାରୀ,ସରକାରୀ ସାହାଯ୍ୟ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରଥମିକ ବିଦ୍ୟାଳୟରେ ଏସ୍.ଏମ୍.ସି ଗଠନ ପାଇଁ ସଂଶୋଧିତ ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି । ସଦସ୍ୟମାନଙ୍କ ମଧ୍ୟରେ ୫୦ପ୍ରତିଶତ ମହିଳାମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଇଅଛି । ସଦସ୍ୟମାନଙ୍କ ମଧ୍ୟରେ ଅଭିଭାବକ,ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ମନୋନୀତ ଜଣେ ଅବସରପ୍ରାପ୍ତ ଅଭିଜ୍ଞ ଶିକ୍ଷକ ବା ଶିକ୍ଷା ବିଶେଷଜ୍ଞ ରହିବେ ଏତଦବ୍ୟତୀତ ୟୁଥ କ୍ଲବରୁ ବା ସ୍ଵେଚ୍ଛାସେବୀ ଅନୁଷ୍ଠାନରୁ ଜଣେ ସଦସ୍ୟ ଏସ୍.ଏମ୍.ସି ରେ ରହିବାର ବ୍ୟବସ୍ଥା ରହିଛି । ସଂଶୋଧିତ ନିୟମାବଳୀ ଅନୁଯାୟୀ ଏକ ସ୍ଥାୟୀ କମିଟି ଗଠନ କରାଯିବ । ଗ୍ରାମପଞ୍ଚାୟତ,ଏନ୍.ଏ.ସି , ପୌରାଞ୍ଚଳ ଓ ମହାନଗର ନିଗମର ବର୍ତ୍ତମାନର ସ୍ଥାୟୀ କମିଟି ଶିକ୍ଷାସ୍ଥାୟୀ କମିଟି ଭାବେ କାର୍ଯ୍ୟ କରିବ । ପଞ୍ଚାୟତ ସ୍ତରରେ ଷ୍ଟାଣ୍ଡିଂ କମିଟି ଗଠନ ହୋଇ ସେଥିରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆବାହକ ଏବଂ ସରପଞ୍ଚ ଚେୟାରମ୍ୟାନ ରହିବେ । ସ୍କୁଲ ଅଞ୍ଚଳରେ ଥିବା ୱାର୍ଡ ସଦସ୍ୟ ସ୍କୁଲର ପ୍ରଧାନ ଶିକ୍ଷକ କମିଟିର ସଦସ୍ୟ ରହିବେ । ଏହାଛଡା ସରପଞ୍ଚଙ୍କ ପରାମର୍ଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ମନୋନୀତ ଶିକ୍ଷାବିତ୍ ସ୍ଵେଚ୍ଛାସେବୀ ସଂଘର ମୁଖ୍ୟ ପଞ୍ଚାୟତ ମିଶନ ଶକ୍ତିର ସଭାପତି,ମେଡିକାଲ ଅଫିସରଙ୍କ ଦ୍ଵାରା ମନୋନୀତ ସ୍ୱାସ୍ଥ୍ୟକର୍ମୀ,ସିଡିପିଓ ଙ୍କ ଦ୍ଵାରା ମନୋନୀତ ଅଙ୍ଗନବାଡି କର୍ମୀ ଓ ସାଧନ କେନ୍ଦ୍ର ସଂଯୋଜକ କମିଟିର ସଦସ୍ୟ ରହିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପଞ୍ଚାୟତରେ ଥିବା ସମସ୍ତ ସ୍କୁଲର ଶିକ୍ଷା ବ୍ୟବସ୍ଥାରେ ଅଗ୍ରଗତି,ସ୍କୁଲର ପରିମଳ,ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ଆନୟାନୟା ଆନୁଷଙ୍ଗିକ ସାମାଜିକ କାର୍ଯ୍ୟ ପ୍ରତି ଉକ୍ତ କମିଟି ଦ୍ରୁଷ୍ଟି ଦେବେ । ପ୍ରତି ତିନି ମାସରେ ଥରେ ବୈଠକ ଅନୁଷ୍ଠିତ ହୋଇ ସ୍କୁଲରେଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କମିଟି ଉଦ୍ୟମ କରିବ । ସ୍କୁଲର ପ୍ରଧାନ ଶିକ୍ଷକ କମିଟିର ଆବାହକ ଭାବେ ଦାୟିତ୍ଵ ତୁଲାଇବେ । ପରିବର୍ତ୍ତିତ ଏସ୍.ଏମ୍.ସି ଗଠନ ନିୟମାବଳୀ ପ୍ରକ୍ରିୟାର କଡାକଡି ପାଳନ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଅଛି ।