କଟକ ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ତାରକସୀ ହବ୍

52068
ରପ୍ତାନି ଭିତ୍ତିଭୂମି ବିକାଶ ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟମାନଙ୍କୁ ସହାୟତା ଯୋଜନା ଅଧୀନରେ ହସ୍ତଶିଳ୍ପୀମାନଙ୍କ ଉନ୍ନତି ପାଇଁ କଟକ ଠାରେ ଏକ ଅତ୍ୟାଧୁନିକ ତାରକସୀ ହବ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଜିଲ୍ଲାପ୍ରଶାସନଙ୍କୁ ଜମି ଯୋଗାଇଦେବା ପାଇଁ ବିଗତ ଦିନରେ ଅନୁରୋଧ କରାଯାଇଛି । କିନ୍ତୁ ଅଦ୍ୟାବଧି ଉପଯୁକ୍ତ ଜମି ଉପଲବ୍ଧି ହୋଇପାରିନାହିଁ ।ତେଣୁ କଟକ ବାଦାମବାଡି ଅଞ୍ଚଳରେ ଚିହ୍ନଟ ହୋଇଥିବା ୨୦ ଡିସିମିଲ ଜମି ତୁରନ୍ତ ଯୋଗାଇଦେବାକୁ ଜିଲ୍ଲାପ୍ରଶାସନ ସହ ଗତ ମେ ମାସରେ ପତ୍ରାଳାପ କରାଯାଇଅଛି । ଜମି ମିଳିବାପରେ ଖୁବଶୀଘ୍ର ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଆଜି ବିଧାନ ସଭାରେ ବୟନ,ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ପ୍ରଶ୍ନୋତ୍ତର କାଳରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଛନ୍ତି , ରାଜ୍ୟର ହସ୍ତଶିଳ୍ପ କାରିଗରମାନଙ୍କ ସର୍ବାଙ୍ଗୀନ ବିକାଶ ପିନ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ । ୨୦୧୨ମସିହାର ସର୍ଭେ ଅନୁଯାୟୀ କେବଳ କଟକ ଜିଲ୍ଲାରେ ୧୨୨୬ଜଣ ତାରକସି କାରିଗର ଥିବାବେଳେ ସମଗ୍ର ରାଜ୍ୟରେ ୫୯୯୫ଜଣ ତାରକସୀ କାରିଗର ଅଛନ୍ତି । ଗୁରୁଶିଷ୍ୟ ପରମ୍ପରା,ଶିଳ୍ପଗ୍ରାମ ଯୋଜନା ମାଧ୍ୟମରେ କରିଗରମାନଙ୍କୁ ସ୍ଵତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ହସ୍ତଶିଳ୍ପ ଉଦ୍ୟୋଗର ଆଧୁନିକରଣ ଓ ଯନ୍ତ୍ରପାତିର ଉନ୍ନତିକରଣ,ହସ୍ତଶିଳ୍ପ କାରିଗର ଥଇଥାନ ଯୋଜନା ମାଧ୍ୟମରେ ହସ୍ତଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ଏବଂ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରାଯାଇ ବିଭାଗ ତରଫରୁ ରିହାତି ଦିଆଯାଉଛି ।

Share in top social networks!