ସ୍ଵାମୀଜୀ ଙ୍କ ହତ୍ୟାର ତଦନ୍ତରହସ୍ୟ ଉନ୍ମୋଚନ ପାଇଁ ସିବିଆଇ ହେଉ

untitledପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ତଥା ତାଙ୍କର ଚାରି ଜଣ ସହଯୋଗୀଙ୍କୁ ନିର୍ମମଭାବରେ ହତ୍ୟା କରିଥିବା ଏବଂ ହତ୍ୟା ଷଡଯନ୍ତ୍ରରେ ଲିପ୍ତ ଥିବା ଦୁର୍ଦ୍ଧାନ୍ତ ମାଓବାଦୀ ସବ୍ୟସାଚୀ ପଣ୍ଡା ତଥା ଆଜାଦଙ୍କୁ କଠୋରତମ ଦଣ୍ଡ ଦିଆଯିବା ସହ ଏଇ ହତ୍ୟାକାଣ୍ଡରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କର ମୁଖା ଖୋଲିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଦଳ ସିବିଆଇ ଦ୍ଵାରା ତଦନ୍ତ କରାଇବା ପାଇଁ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସ୍ମୃତି ସମିତିର ରାଜ୍ୟ ସମ୍ପାଦକ ଡା.ଲକ୍ଷ୍ମୀକାନ୍ତ ଦାଶ ଦାବି କରିବା ସହ ଉପରୋକ୍ତ ଦୁଇଜଣଙ୍କୁ ଜେରା କରିବା ପାଇଁ ମାନ୍ୟବର ଜଷ୍ଟିସ୍ ନାଇଡୁ କମିଶନଙ୍କୁ ନିବେଦନ କରିଛନ୍ତି । ଡ.ଦାଶ କହିଛନ୍ତି ଯେ, ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ଛଅ ବର୍ଷ ପୁରିଗଲାଣି । ଏପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଆଶାନୁରୂପ ଆଗେଇ ପାରିନାହିଁ । ବହୁଦିନରୁ ସ୍ଵାମୀଜୀଙ୍କ ହତ୍ୟାକାରୀ ଆଜାଦ୍ ଗିରଫ ହୋଇଥିବାବେଳେ ତାହାକୁ ଏପର୍ଯ୍ୟନ୍ତ ବିସ୍ତ୍ରୁତ ଭାବେ ଜେରା କରାଯାଇନାହିଁ । ଏବେ ସବ୍ୟସାଚୀ ପଣ୍ଡା ଧରାପଡିଛି । ତାର ଜେରାରେ ମଧ୍ୟ ବହୁ ତଥ୍ୟ ଜଣାପଡିବାର ସମ୍ଭାବନା ରହିଛି ମାତ୍ର ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କ ସହିତ ସବ୍ୟସାଚୀଙ୍କର ଘନିଷ୍ଠତା ତଦନ୍ତ ବେଳେ ଜଣାପଡିବାରୁ ତଦନ୍ତକାରୀ ପୋଲିସ ଅଧିକାରୀମାନେ ଶାସକ ଦଳର ପ୍ରଭାବରେ ଥିବାରୁ କେସ୍ ର ଗମ୍ଭୀରତାକୁ ନ ବୁଝି ଦୁର୍ବଳତା କରିବାକୁ ଚେଷ୍ଟା କରିପାରନ୍ତି । ଏଣୁ ନିରପେକ୍ଷ ଏବଂ ପ୍ରଭାବୀ ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ତଦନ୍ତ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସବ୍ୟସାଚୀ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ସେ ସ୍ଵାମୀ ଲକ୍ଷ୍ମଣାନନ୍ଦ ଙ୍କ ସହ ଅନ୍ୟ ତିରିଶ ଜଣ ନିରୀହ ଲୋକଙ୍କୁ ଗୁଳି କରି ,ଗଳାକାଟି ଜଘନ୍ୟ ଭାବେ ହତ୍ୟା କରିଛନ୍ତି । କୋରାପୁଟ ଓ ନୟାଗଡ ଅସ୍ତ୍ରାଗାରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଲୁଟ କରିବାର ସେ ମଧ୍ୟ ମାଷ୍ଟରମାଇଣ୍ଡ ଥିଲେ । ସେହି ପ୍ରକାର ଜଣେ ଆତଙ୍କବାଦୀ ଓ ଦେଶ ବିଦ୍ରୋହୀଙ୍କୁ କୌଣସି ପ୍ରକାର କୋହଳ ମନୋଭାବ ନ ରଖି ଫାଶୀ ଦେଲେ ମଧ୍ୟ କମ୍ ହେବ । ତେଣୁ ସ୍ଵାମୀଜୀଙ୍କ ହତ୍ୟା ଓ କନ୍ଧମାଳ ଦଙ୍ଗାର ରହସ୍ୟ ଉନ୍ମୋଚନ ପାଇଁ ମାନ୍ୟବର ବିଚାରପତି ନାଇଡୁ କମିଶନ ଏହି ଲୋକମାନଙ୍କୁ ଡକାଇ ଜେରାକଲେ ବହୁ ତଥ୍ୟ ପାଇପାରିବେ ।

Share in top social networks!
Powered By Indic IME