ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକାରୀ କଲା ସ୍ଵୟଂ ପ୍ରମାଣିକରଣ/ଅନୁପ୍ରମାଣନ ବ୍ୟବସ୍ଥା

Odishan-MAP-5ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ଵୟଂ ପ୍ରମାଣିକରଣ/ଅନୁପ୍ରମାଣନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗରେ ଥଇଥାନ ଯୋଜନା ଅନ୍ତର୍ଗତ ନିଯୁକ୍ତି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପଦବୀରେ ନିଯୁକ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ନାମଲେଖାଇବା ଓ ତାଲିମ୍ ଆଦି ନିମନ୍ତେ ଆବେଦନ କଲାବେଳେ ଦାଖଲ କରାଯାଉଥିବା ଦସ୍ତାବିଜ୍ ଗୁଡିକୁ ଆବେଦନକାରୀ ନିଜେ ପ୍ରମାଣିକରଣ ଓ ଅଣୁପ୍ରମାଣନ କରି ଏଣିକି ଦାଖଲ କରିପାରିବେ । ସେମାନଙ୍କୁ ଦସ୍ତାବିଜ୍ ଗୁଡିକ ଆଟେଷ୍ଟେଡ୍ କରିବା ପାଇଁ ଆଉ କୌଣସି ଗେଜେଟେଡ୍ ଅଫିସରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ତେବେ ସେ ଦାଖଲ କରୁଥିବା ଦସ୍ତାବିଜ୍ ଗୁଡିକ ଅସଲି ଓ ପ୍ରାମାଣିକ ଏବଂ ଫାର୍ମରେ ଦର୍ଶାଯାଇଥିବା ତଥ୍ୟ ସତ୍ୟ ଅଟେ ବୋଲି ଏକ ଅଙ୍ଗୀକାର ଦେବେ । ପରବର୍ତ୍ତୀ ସମୟରେ ମୂଳ ଦସ୍ତାବିଜ୍ ଭେରିଫିକେସନ୍ ସମୟରେ ଯଦି ସେମାନେ ଦାଖଲ କରିଥିବା ଦସ୍ତାବିଜ୍ ଭୁଲ ଥିବା କିମ୍ବା କୌଣସି ତଥ୍ୟ ଲୁଚାଇଥିବେ ତାହା ହେଲେ ସମ୍ପୃକ୍ତ ଆବେଦନକାରୀ ଅପରାଧିକ ବିବେଚିତ ହେବେ । ପ୍ରକାଶ ଥାଉକି ୨ୟ ପ୍ରଶାସନିକ ସଂସ୍କାର କମିଶନ ତାଙ୍କର ଦ୍ଵାଦଶ ରିପୋର୍ଟ “ନାଗରିକ କେନ୍ଦ୍ରିକ ଶାସନ ବ୍ୟବସ୍ଥାରେ –ଶାସନ ରୀତିର ମୂଳଲକ୍ଷ୍ୟ” ରେ କେନ୍ଦ୍ରସରକାରଙ୍କୁ ଗେଜେଟେଡ୍ ଅଫିସରଙ୍କ ଦ୍ଵାରା ଶିକ୍ଷାଗତ ପ୍ରମାଣପତ୍ର,ଜନ୍ମ ପ୍ରମାଣପତ୍ର ,ମାର୍କସିଟ ଆଦି ପ୍ରମାଣିକରଣ ଓ ଅନୁପ୍ରମାଣନ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସୁପାରିସ କରିଥିଲେ । ସେହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଆଦିରେ ନାମ ଲେଖାଇବା ଏବଂ ନିଯୁକ୍ତି ଆଦି ନିମନ୍ତେ ଆବେଦନକାରୀଙ୍କ ଆଉବିଧା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲି ବିଭାଗ ତରଫରୁ ପ୍ରକାଶିତ ସଙ୍କଳ୍ପରେ କୁହାଯାଇଛି ।

Share in top social networks!
Powered By Indic IME