ପୁରୀରେ ବାଲୁକାକଳା ପାର୍କ ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ

51778ପର୍ଯ୍ୟଟନ ଓ ଚାରୁକଳାର ବିକାଶ ଦିଗରେ ଅନ୍ୟଏକ ପଦକ୍ଷେପ ଭାବେ ପୁରୀ ଠାରେ ବାଲୁକା କଳା ପାର୍କ ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ସଚିବ ଡଃ ଅରବିନ୍ଦ ପାଢୀ ପ୍ରସ୍ତାବିତ ପ୍ରକଳ୍ପର ପ୍ରୟୋଜନୀୟତା ଏବଂ ଏହାର ପର୍ଯ୍ୟଟନ ଓ କଳାତ୍ମକ ସମ୍ଭାବନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପ୍ରସ୍ତାବର ବିଭିନ୍ନ ଦିଗକୁ ବିଚାର କରି ଏହାକୁ ଏକ ପର୍ଯ୍ୟଟନ ପ୍ରକଳ୍ପ ଭାବେ ବିଭାଗ ଦ୍ଵାରା ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଏହାର ସଂରଚନା , ଆର୍ଥିକ ବ୍ୟବସ୍ଥା,ପରିଚାଳନା ଏବଂ କାର୍ଯ୍ୟାନ୍ଵୟନ ସମୟ ସାରଣୀ ସହ ବିସ୍ତ୍ରୁତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପର୍ଯ୍ୟଟନ ସଚିବ ଡଃ ପାଢୀଙ୍କୁ କହିଛନ୍ତି । ପ୍ରକଳ୍ପ ପାଇଁ ସମିତି ଭଳି ଏକ ସ୍ଵତନ୍ତ୍ର ଆନୁଷ୍ଠାନିକ ବ୍ୟବସ୍ଥା କରିବା ଏବଂ ଏଥିପାଇଁ ଅବଶ୍ୟକ ଜମି ବୀନା ଦେୟରେ ଯୋଗାଇଦେବା ଆଦି ପ୍ରସ୍ତାବ ବୈଠକରେ ଆଲୋଚନା ହୋଇଥିଲା । ଅଧିକରୁଅଧିକ ପର୍ଯ୍ୟଟକଙ୍କୁ ବେଳାଭୂମି ସହର ପୁରୀକୁ ଆକର୍ଷିତ କରିବା,ବାଲୁକାକଳାରେ ଆଗ୍ରହୀ ଯୁବ ଶିଳ୍ପୀମାନଙ୍କୁ ତାଲିମ ପ୍ରଦାନ କରିବା,ଆନ୍ତର୍ଜାତୀୟ ମାନର ବାଲୁକା କଳା ଗ୍ୟଲେରୀ ପ୍ରତିଷ୍ଠା କରିବା ପାଇଁ ପ୍ରକଳ୍ପରେ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ଵୟନ ରେ ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡିଆ ବାଲୁକା କଳା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅଭିଜ୍ଞତା ଓ କୌଶଳର ଉପଯୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

Share in top social networks!