ବିଶ୍ଵ ଜନସଂଖ୍ୟା ଦିବସ ଓ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳିତ ; ୧୦୨ ଆମ୍ବୁଲାନ୍ସ ସେବା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

51636
ଆଜି ଜୁଲାଇ ୧୧ । ସାରା ରାଜ୍ୟ ଆଜି ବିଶ୍ଵଜନସଂଖ୍ୟା ଦିବସ ପାଳନ କରୁଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଆଜି ଜୟଦେବ ଭବନ ଠାରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସଙ୍ଖ୍ୟାର ସ୍ଥିରତା ଉପରେ ଗୁରୁତ୍ଵାରୋପ କରିଥିଲେ । ସେ କହିଥିଲେ ଯେ ଆମ ଜ୍ନସଙ୍ଖ୍ୟାର ୫୦ ଭାଗ ହେଉଛନ୍ତି ଯୁବଶକ୍ତି । ତେଣୁ ସେମାନଙ୍କୁ ଅଧିକ ସଚେତନ କରାଯିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୨୦୧୨-SRS Report ଅନୁଯାୟୀ ଆମର TFR (total fertility rate) ୨.୧ କୁ ହ୍ରାସ ପାଇଛି ଯାହାକି ଜାତୀୟ ହାରଠାରୁ ବହୁତ କମ୍ । ତଥାପି କେତେକେ ଜିଲ୍ଲା ପ୍ରତି ଆମକୁ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଛୋଟ ପରିବାର ଓ ତାର ସୁବିଧା ସମ୍ପର୍କରେ ସମୟବଦ୍ଧ କାର୍ଯ୍ୟକ୍ରମ ଜରିଆରେ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରିବାର କଲ୍ୟାଣ କ୍ଷେତ୍ରରେ ଭଲକାମ କରିଥିବା ଜିଲ୍ଲା,ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ଆଶା କର୍ମୀ ମାନଙ୍କୁ ପୁରସ୍କୃତ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗର୍ଭବତୀ ଓ ଶିଶୁମାନଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ । ଏଥିପାଇଁ ସାରା ରାଜ୍ୟରେ ୫୦୦ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଛି । ରାଜ୍ୟରେ ମାଆ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ,ପରିବାର କଲ୍ୟାଣ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ,ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର,NRHM ର ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ରୂପା ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ନିର୍ମଳା ଦେଇ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!