ବୌଦ ଜିଲ୍ଲାପାଳଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ;”ସରକାରୀ ଅର୍ଥରେ ବାସଗୃହ ନିର୍ମାଣ କର”

Ratakhandi_file_photo1
ବୌଦ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରତଙ୍ଖଡି ଗାଁରେ ୧୬ ଦଳିତ ପରିବାରଙ୍କ ଘରପୋଡି,ଭଙ୍ଗାରୁଜା ଓ ଲୁଟତରାଜ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା କ୍ଷତିପୂରଣ ଯଥେଷ୍ଟ ନୁହେଁ । ତେଣି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସେମାନଙ୍କ ବାସଗୃହ ସରକାରୀ ଅର୍ଥରେ ନିର୍ମାଣ କରିବାକୁ ଜାତୀୟ ମାନବାଧିକାର କମିଶନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୨ ସେପ୍ଟେମ୍ବର ୧୮ ଓ ୧୯ ରେ ରତାଙ୍ଖତି ଗାଁର ଗଣ୍ଡା ହରିଜନ ସାହିରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ପୂର୍ବ ଶତ୍ରୁତାରୁ ବ୍ରହ୍ମାସୁନା ,ପ୍ରଦେଶୀ ସୁନା, ମାଲତୀ ଓ ତିଳୋତମା ସୁନାଙ୍କ ଘରକୁ ପୋଡି ଦିଆଯାଇଥିଲା । ମନମୁଣ୍ଡା ପୁଲିସ ପ୍ରାୟ ପାଞ୍ଚ ମାସ ପରେ ଏତଲା ରୁଜୁ କରି ଚୁପ୍ବସିଥିଲା । ରିଲିଫ କୋଡ ଅନୁସାରେ ପ୍ରଶାସନ ମଧ୍ୟ ଏହି ଦଳିତ ପରିବାରଗୁଡିକୁ କୌଣସି କ୍ଷତିପୂରଣ ଦେଲା ନାହିଁ । ଘର ଭାଙ୍ଗିଯାଇଥିବାରୁ ଓ ଅଭିଯୁକ୍ତଙ୍କ ଧମକ ଚମକ ଯୋଗୁଁ ସେମାନେ ଗାଁକୁ ଏ ପର୍ଯ୍ୟନ୍ତ ଫେରି ପାରି ନାହାନ୍ତି । ସେମାନଙ୍କ ପିଲାମାନେ ମଧ୍ୟ ପାଠପଢି ପାରୁନାହାନ୍ତି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଆଚରଣ ମାନବାଧିକାରର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ପୀଡିତମାନଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମଶନରେ ପିଟିସନ ଦାୟର କରିଥିଲେ । କମିଶନଙ୍କ ହସ୍ତକ୍ଷେପ ପରେ ଏମାନଙ୍କୁ ୨୫୦୦ ଟଙ୍କାରୁ ଆରମ୍ଭ କରି ୧୫ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି ବୋଲି ପ୍ରଶାସନ ଜଣାଇଥିଲେ । କମିଶନ ଏହାକୁ ଆଗ୍ରହ୍ୟ କରିଦେଇଛନ୍ତି । ଏହି ପରିବାର ଲୋକଙ୍କ ଘର ପୋଡିଦିଆଯିବା ସହ ସେମାନଙ୍କୁ ବାସସ୍ଥାନରୁ ତଡି ଦିଆଯାଇଥିବାରୁ ତଫସିଲଭୁକ୍ତ ଜାତି/ଉପଜାତି ନିର୍ଯ୍ୟାତନା ନିବାରଣ ନିୟମ ୧୯୯୫ଧାରା ୩(୧)[IV] ଅନୁସାରେ ଏମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାସହ ସରକାରୀ ଖର୍ଚ୍ଚରେ ଏମାନଙ୍କ ବାସଘର ନିର୍ମାଣ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆଠ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ କମିସନଙ୍କୁ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Share in top social networks!