ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଅନୁଶୀଳନ

OD-MAP-1
ଦେଶରେ ଶିଳ୍ପ ଓ ବ୍ୟବସାୟ ଅନୁକୂଳ ପ୍ରଶାସନିକ ପ୍ରକ୍ରିୟା ସୃଷ୍ଟି ପାଇଁ ଆରମ୍ଭ ହୋଇଥିବା ଅନୁଶିଳନରେ ଓଡିଶା ସାମିଲ ହୋଇଛି । ଆଜି ସଚିବାଳୟ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଶିଳ୍ପ ସଚିବ ଶ୍ରୀ ବିଶାଳ ଦେବ ଆଲୋଚନାରେ ବିଷୟବସ୍ତୁ ଉପସ୍ଥାପନ କରିଥିଲେ ଏବଂ ପରାମର୍ଶଦାତା ସଂସ୍ଥା ସମ୍ପର୍କିତ ବିଭିନ୍ନ ଅନୁଶୀଳନ ରିପୋର୍ଟ ଉପସ୍ଥାପନ କରିଥିଲେ । ଆଲୋଚନାରୁ ଜଣାଯାଇଛି ଯେ ଭାରତ ସରକାରଙ୍କ ଶିଳ୍ପନୀତି ଓ ଶିଳ୍ପ ପ୍ରୋତ୍ସାହନ ବିଭାଗ ତରଫରୁ ଦେଶରେ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ଏଥି ନିମନ୍ତେ ବିଭିନ୍ନ ରାଜ୍ୟରେ ପ୍ରଚଳିତ ନୀତି ଓ ପ୍ରକ୍ରିୟାଗତ ପଦ୍ଧତିକୁ ଅନୁଶୀଳନ କରିବା ଉଦ୍ଦେଶ୍ୟରେ ବିଭାଗ ଆସେନଚିଓର ନାମକ ପରାମର୍ଶ ଦାତା ସଂସ୍ଥାଙ୍କୁ ବିଭାଗ ନିୟୋଜିତ କରିଛନ୍ତି । ସଂସ୍ଥା ଦ୍ଵାରା କରାଯାଉଥିବା ଅନୁଶୀଳରେ ଓଡିଶା ଶିଳ୍ପାୟନ ପ୍ରକ୍ରିୟା ବିଷୟରେ ନିଜର କାର୍ଯ୍ୟପ୍ରଣାଳୀ ଓ ଅଭିଜ୍ଞତାକୁ ସାମିଲ କରିଛି । ଏଯାବତ ସଂସ୍ଥା ତରଫରୁ କରାଯାଇଥିବା ଅନୁଶୀଳନରୁ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ମୁଖ୍ୟ ୬ ଟି ନୀତିକୁ ଉତ୍ତମ କାର୍ଯ୍ୟପ୍ରଣାଳୀ ଭାବେ ତାଲିମଭୁକ୍ତ କରାଯାଇଛି । ସେଗୁଡିକ ହେଲା ବାଣିଜ୍ୟକର,ଶ୍ରମ ଆଇନ,ଭିତ୍ତିଭୂମି ଓ ବିଭିନ୍ନ ଉପଯୋଗୀ ସେବା ଯୋଗାଣ ,ଜମି ଓ ଗୃହ ,ପରିବେଶ ଅନୁମତି ଏବଂ ଅନ୍ୟାନ୍ୟ ନୀତିର ସଂସ୍କାର ଓ ସରଳୀକରଣ । ଶିଳ୍ପାୟନ ଓ ବାଣିଜ୍ୟ ବ୍ୟବସାୟ ସହ ସମ୍ପୃକ୍ତ ବିଭାଗମାନେ ନିଜ ନିଜ ବିଭାଗର ପଦ୍ଧତିଗତ ଅବଶ୍ୟକତାକୁ ଅଧିକ ସରଳ ଓ ସ୍ଵୟଂକ୍ରିୟା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ପଦ୍ଧତିଗତ ଅବଶ୍ୟକତାକୁ ଚିହ୍ନଟକରି ୧୫ଦିନ ମଧ୍ୟରେ ବିଭାଗମାନେ ଇଡକୋ କୁ ଜଣାଇବେ ଯେପରିକି ସେଗୁଡିକୁ ସ୍ଵୟଂକ୍ରିୟା ,ନିବେସାତ୍ମକ ଓ ଅଧିକ ବ୍ୟବସାୟ ଅନୁକୂଳ କରାଯାଇ ପାରିବ । ବୈଠକରେ ଅର୍ଥବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା,ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟ ଓ ପରିଚାଳନା ବିଭାଗ ଡଃ ତାରା ଦତ୍ତ ,ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା, ବାଣିଜ୍ୟକର କମିଶନର ଶ୍ରୀ ମନୋଜ ଆହୁଜା ଙ୍କ ସମେତ ସମ୍ପୃକ୍ତ ବିଭାଗ ଗୁଡିକର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!