ରାଜ୍ୟରେ କାର୍ଯ୍ୟକାରୀ ହେବ ଜାତୀୟ ପ୍ରାଣୀସମ୍ପଦ ମିଶନ

odisha-map14ରାଜ୍ୟରେ ପ୍ରାଣୀସମ୍ପଦ ,ଦୁଗ୍ଧ,ମାଂସ ଓ ଅଣ୍ଡା ଆଦିର ଉତ୍ପାଦନ ବୃଦ୍ଧି ପାଇଁ ଜାତୀୟ ପ୍ରାଣୀସମ୍ପଦ ମିଶନ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୧୪-୧୫ ରେ ଏହି ମିଶନ ମାଧ୍ୟମରେ ରାଜ୍ୟରେ ପ୍ରାଣୀସମ୍ପଦ ବିକାଶ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ୩୨କୋଟି ୨୨ଲକ୍ଷ ଟଙ୍କା ବିନିଯୋଗ କରାଯିବ । ମୁଖ୍ୟଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ସଚିବାଳୟରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତାବିତ ମିଶନର ପ୍ରଥମ ରାଜସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ବ୍ୟୟ ଅଟକଳ ଓ ବାର୍ଷିକ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି । ବୈଠକରେ ମିଶନର ବିଭିନ୍ନ ବୈଶିଷ୍ଠ୍ୟ ସମ୍ପର୍କରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ସଚିବ ଶ୍ରୀ ବିଷ୍ଣୁପ୍ରସାଦ ସେଠୀ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟଶାସନ ସଚିବ ଯୁଗଳ କିଶୋର ମହାପାତ୍ର ତଥ୍ୟ ସବୁର ସମୀକ୍ଷା କରି ସ୍ଵୟଂସହାୟକ ଗୋଷ୍ଠୀ ଓ ଉଦ୍ୟୋଗମାନଙ୍କ ସହଯୋଗରେ ରାଜ୍ୟରେ ଛେଳିପାଳନ,କୁକୁଡା ପାଳନ ଓ ଗୋ-ଖାଦ୍ୟ ଉତ୍ପାଦନ ଆଦି କାର୍ଯ୍ୟାନ୍ଵୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟଯେ ବର୍ତ୍ତମାନ ଓଡିଶାର ପ୍ରାଣୀ ସମ୍ପଦ ଜାତୀୟ ପ୍ରାଣୀ ସମ୍ପଦର ୪.୪ ଶତାଂଶ । ରାଜ୍ୟରେ ପଶୁସମ୍ପଦ ସଂଖ୍ୟା ପ୍ରାୟ ୨.୩କୋଟି । ରାଜ୍ୟର ସମୁଦାୟ କୃଷି ଉତ୍ପାଦନରେ ପ୍ରାଣୀ ସମ୍ପଦ ଉତ୍ପାଦନର ପରିମାଣ ୨୦ ଶତାଂଶ । ମିଶନ ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନକୁ ଅତିକମରେ ୩୦ ଶତାଂଶକୁ ଅବିବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । ଛେଳିପାଳନ,ମେଣ୍ଢାପାଳନ ଓ କୁକୁଡାପାଳନ ଉପମିଶନ ଅଧୀନରେ ଚଳିତବର୍ଷ ୧୯କୋଟି୯୬ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଉଦ୍ୟୋଗ ବିକାଶ ଓ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଅଧୀନରେ ୧୧୬ଟି ବ୍ୟବସାୟିକ କୁକୁଡା ଫାର୍ମ ପ୍ରତିଷ୍ଠା,ପ୍ରଜନନ ସମ୍ବନ୍ଧୀୟ ଭିତ୍ତିଭୂମି ଉନ୍ନୟନ ଓ ଆଧୁନିକରଣ ଯୋଜନାରେ ଚିପିଲିମା ସ୍ଥିତ ଛେଳି ଓ ମେଣ୍ଢା ଫାର୍ମର ସୁଦୃଢୀକରଣ ,ଲକ୍ଷ୍ମୀସାଗରସ୍ଥିତ କୁକୁଡା ଉନ୍ନୟନ ପ୍ରକଳ୍ପର ଆଧୁନିକରଣ ଏବଂ ୫ ହଜାର ଚାଷୀଙ୍କୁ ଘରଅଗଣାରେ କୁକୁଡାଚାଷ ପାଇଁ ଆର୍ଥିକ ପ୍ରୋସ୍ଥାହନ ଏବଂ ୮୦ହଜାର ପ୍ରାଣୀଙ୍କ ବୀମାକରଣ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଗୋ-ଖାଦ୍ୟ ଓ ତୃଣ ଉନ୍ନୟନ ଯୋଜନାରେ ମୋଟ ୫କୋଟି୮ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ମିସନକୁ କାର୍ଯ୍ୟକାରୀ କରାଯିବ ବୋଲି ବୈଠକରୁ ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଅର୍ଥବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଉପେନ୍ଦ୍ର ନାଥ ବେହେରା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରାଜେସ ବର୍ମା,ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ନିର୍ଦ୍ଦେଶକ ଦେବୀପ୍ରସାଦ ପଣ୍ଡା ,ସହକାରୀ ନିର୍ଦ୍ଦେଶକ ଗୋପାଳ ତ୍ରିପାଠୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।

Share in top social networks!