ବାସନ୍ଦ…!!!

10347491_550824175026787_6311811381497610206_nକଳ୍ପିତ ନୁହଁ, ଅନୁଭବରୁ କହୁଛି।
ଓଡ଼ିଶାର ମାନଚିତ୍ରରେ ଥିବା ଗୋଟିଏ ଛୋଟ ଗାଁରେ ଘଟିଥିବା ଘଟଣାଟିଏ ।
ଅମୁକ ସାହୁ ଜଣେ ସ୍ୱାଭିମାନୀ ଆଉ ରୋକ୍‌ଠୋକ୍‌ କଥା କହିବା ବାଲା ପାରଙ୍ଗମ ବ୍ୟକ୍ତି ଜଣେ । ଯାହା ତାଙ୍କ ମନ ଆଉ ଆତ୍ମାକୁ ନ ଛୁଇଁଲା ସେ ସେହି କଥା ଶୁଣନ୍ତି ନାହିଁ କେଭେହେଁ । ସେ ନିୟମ ଗ୍ରାମ ପଞ୍ଚାୟତର ହେଉ କି ପ୍ରଧାନମନ୍ତ୍ରୀଙ୍କର ହେଉ ।

ଥରେ ଗ୍ରାମ ପଞ୍ଚାୟତ ତରଫରୁ ସବୁ ସାଇ ଗଳି କନ୍ଦିରେ ଧେଣ୍ଡୁରା ଦେଇ ଜଣାଇ ଦିଆଗଲା ଯେ,ଅମୁକ ସାହୁ ଯଦି ସମୁକ ନିୟମ ସବୁ ନମାନିବେ ତେବେ ତାଙ୍କୁ ନିଆଁ ପାଣି ଆଉ ଧୋବାତୁଠରୁ ବାସନ୍ଦ କରି ଦିଆଯିବ । ଏହା ଶୁଣି, ଅମୁକ ସାହୁଙ୍କ ସ୍ତ୍ରୀ ମଥା ଘୁରିଗଲା । କାହାକୁ ମୁହଁ ଦେଖାଇ ପାରିଲେନି । କୂଅକୁ ପାଣି ଆଣି ଯିବାକୁ ଲାଜ ଲାଗିଲା । ବାରି ପୋଖରୀର ପଙ୍କୁଆ ପାଣିରେ ପାହାନ୍ତିଆ ପହରରୁ ଗାଧୋଇପାଧୋଇ ଘରକଣେ ପଡ଼ିରହିଥାନ୍ତି। ଶେଷରେ ୧୫ପଇସାବାଲା ପୋଷ୍ଟକାର୍ଡରେ ରାଜ୍ୟ ବାହାରେ କାମ କରୁଥିବା ସ୍ୱାମୀଙ୍କୁ ନିଆଁପାଣି ମନା ବିଷୟ ଲେଖି ଜଣାଇଲେ ।

ଦୁଇଦିନ ପରେ ଅମୁକ ସାହୁ ଗାଁରେ ହାଜର । ସେ ଓ.ଆର୍‌.ଟି. ବସ୍‌ରୁ ଓହ୍ଲାଇବା କ୍ଷଣି ପ୍ରଥମେ ଗ୍ରାମ ପଞ୍ଚାୟତକୁ ଯାଇ ସରପଞ୍ଚକୁ କହିଲେ,
” ଆଜ୍ଞା, ଛୋଟମୁହଁ ବଡ଼କଥା,
ଯେଉଁ ନିୟମ ମୋତେ ସୁହାଇବ ନାହିଁ, ପ୍ରେତପୁରରୁ ମୋ ବୋପା, ଜେଜେ ଆସି କହିଲେ ମଧ୍ୟ ମୁଁ ତାହା ପାଳନ କରିବି ନାହିଁ ଏଣୁ ଧେଣ୍ଡୁରା ଦେଇ ମୋତେ ନିଆଁପାଣି ଆଉ ଧୋବାତୁଠରୁ ବଞ୍ଚିତ କରିଦିଅନ୍ତୁ । ମୁଁ ଯାହା ହେଲେବି ଓଡ଼ିଶାବାସୀ ଆଉ ଓଡ଼ିଆ ହୋଇ ହିଁ ରହିବି । କାରଣ ଆପଣ ମୋଠାରୁ ଏହି ନ୍ୟାଯ୍ୟ ହକ୍‌ ଛଡ଼ାଇ ନେଇପାରିବେ ନାହିଁ । ”

ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ତଙ୍କ ମୁହଁ ଚୁପ୍‌ ।

ସେଇଠୁ ସେ ଘରକୁ ଆସିଲେ । ପୁରୁଣା କୂଅଟାକୁ ନିଜେ ଭଲରେ ଓଝାଳି ଦେଲେ । ଗାଁ ପାତ୍ର ଦୋକାନରୁ ୧୦୦ଟା ଦିଆସିଲି ପେଢ଼ି ଆଉ ୧୦ଟା ସର୍ଫ ପାଉଡ଼ର ପକେଟ୍‌ ଆଣିଦେଲେ ।ତେଲଲୁଣ ସବୁ ଆଣି ଘରେ ସାଇତି ରଖିଦେଲେ ଦେଢ଼ମାସ ପାଇଁ । ସ୍ତ୍ରୀଙ୍କୁ ସେଇଠୁ ବୁଝାଇ କହିଲେ,

” ହେଇଟି…ଦିଆସିଲିରୁ ନିଆଁ, କୂଅରୁ ପାଣି ଆଉ କୂଅ ଚଉତରାକୁ ଧୋବାତୁଠ କରି ଘରସଂସାର ଚଳାଇବୁ । ବିଲରୁ ଧାନ, ମୁଗ, ବିରି ଚାଷୀ ଆଣି ଦେଇଯିବ। ବାଡ଼ିରୁ ଶାଗ, ମରିଚ, ପିଆଜ, ରସୁଣ , ପନିପରିବା ଇତ୍ୟାଦି ତୋଳି ଆଣୁଥିବୁ । ମୁଁ ମାସକୁ ଥରେ ଆସି ଯାଉଥିବି । ”

ଏଣୁ ଏ ଅଳିପିକିଆ ଲୋକଗୁଡ଼ାକୁ ଜମା ଖାତିରି କରିବୁ ନାହିଁ , ଯେଉଁ ମାନଙ୍କର ମଣିଷ ପଣିଆ ନଥାଏ ।
କିଲୋ ଦାମିକିଆ ଲୁଗା, ନାମିକିଆ ଘଡ଼ି ପିନ୍ଧିଲେ କେହିକଣ ଶିକ୍ଷିତ ହୋଇଯାଏ ?
ସେମାନେ ଆମକୁ ସାଇଭାଇରୁ ଅଲଗା କରିଦେବେ ହେଲେକଣ ଓଡ଼ିଶାରୁ ବାହାର କରିଦେବେ କିଲୋ ??
ନିଆଁପାଣିକୁ ସାକ୍ଷୀକରି ତୋତେ ବିଭା ହେଇଚିଲୋ, ମୁଁ କଣ ତୋତେ ହିନୀମାନ କରି ରଖିବି ???

ବୁଝିଲୁ , ଗରୀବ ମାଇପ ସମସ୍ତଙ୍କ ଶାଳୀ; ଏଣୁ ସେମାନେ କଲେ ଲୀଳା ଆଉ ଆମେ କଲେ କିଳା…!!!

ଏହା କହି ସେ ପୁଣି ନିଜର ରୋଜଗାର ଉଦ୍ଦେଶ୍ୟରେ ଅନ୍ୟ ରାଜ୍ୟକୁ ଚାଲିଗଲେ ହେଲେ ଏହି ନିଆଁପାଣି ବାସନ୍ଦର ସମାଧାନ କରିଦେଇଗଲେ । ଆଉ ସେ ଆଜିଯାଏଁ ଓଡ଼ିଶାବାସୀ ହୋଇ ରହିଅଛନ୍ତି । ଏହି ବାସନ୍ଦ ତାଙ୍କର କୌଣସି କ୍ଷତି କରି ପାରିଲାନାହିଁ । ପଞ୍ଚାୟତ ଆଳରେ କୁତ୍ସିତ ନୀତି ନିୟମ ପ୍ରଣେତା ଗଣ ଜୋକ ମୁହଁରେ ଲୁଣ ଦେଲାଭଳି, ତୁନୀ ରହିଲେ ।

ମୁଁ ଆଜିବି ଅମୁକ ସାହୁଙ୍କୁ ସମ୍ମାନ ଜଣାଏ ଏହି ନିର୍ଭୀକ ଆଚରଣ ପାଇଁ ।

Share in top social networks!
Powered By Indic IME