ସ୍ୱାସ୍ଥ୍ୟ ସେବାରେ ନୂତନ କାର୍ଯ୍ୟପଦ୍ଧତି କର୍ମଶାଳା

Odishan-MAP-9ଗତାନୁଗତିକ କାର୍ଯ୍ୟଢଙ୍ଗରେ ପରିବର୍ତ୍ତନ ଆଣିବାସହ ଅଭିନବ କାର୍ଯ୍ୟପଦ୍ଧତି ଆପଣେଇ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ ମୁଖ୍ୟ ଶାସନ ସଚିବଶ୍ରୀ ଯୁଗଳ କିଶୋର ମହାପାତ୍ର କ୍ଷେତ୍ର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଗତକାଲି ସ୍ଥାନୀୟ ଗୋପବନ୍ଧୁ ପ୍ରଶାସନ ଏକଦେମି ପରିସରରେ “ସ୍ୱାସ୍ଥ୍ୟସେବାରେ ନୂତନ କାର୍ଯ୍ୟପଦ୍ଧତି” କର୍ମଶାଳାକୁ ଉଦଘାଟନ କରି ଶ୍ରୀ ମହାପାତ୍ର ଏହି ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଅଭିନବ କାର୍ଯ୍ୟପଦ୍ଧତି ର ପ୍ରୟୋଗ ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ ବୋଲି କ୍ଷେତ୍ର ଅଧିକାରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । କର୍ମଶାଳାର ଉଦ୍ଦେଶ୍ୟ ଉପସ୍ଥାପନ କରି ଏକାଡ଼େମୀର ମହାନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ତ୍ରିପାଠୀ କହିଥିଲେ ଯେ ଦେଶର କେତେକ ଅଗ୍ରଣୀ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଫଳତାର ସହ ପ୍ରୟୋଗ କରାଯାଇଥିବା ନୂତନ କାର୍ଯ୍ୟପଦ୍ଧତି କୁ ଓଡିଶା ରେ ପ୍ରତିରୂପ ଦେବା ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଛି । ଦୁଇ ଦିନିଆ ଏହି କାର୍ମଶାଳା ସରକାରୀ ବ୍ୟବସ୍ଥାରେ ନୂତନତ୍ଵର ପ୍ରବର୍ତ୍ତନ କେନ୍ଦ୍ର ,ହାଇଦ୍ରାବାଦ ଓ ଗୋପବନ୍ଧୁ ପ୍ରଶାସନ ଏକାଡେମି ଭୁବନେଶ୍ଵରଙ୍କ ମିଳିତ ସହଯୋଗୀତାରେ ଆୟୋଜନ କରାଯାଇଛି । ସିଆଇପିଏସ ର ନିର୍ଦ୍ଦେଶକ ଶ୍ରୀ ଡି.ଚକ୍ରପାଣି ଏହି କର୍ମଶାଳାରେ ଯୋଗଦେଇ କହିଲେ ଯେ ଏହି କେନ୍ଦ୍ର ନୂତନ କାର୍ଯ୍ୟଧାରା ର ଅନ୍ଵେଷଣ ଏବଂ ସେ ସବୁର ବ୍ୟାପକ ପ୍ରୟୋଗ ପାଇଁ କେନ୍ଦ୍ର,ରାଜ୍ୟ ଓ ଜିଲ୍ଲା ସ୍ତରରେ ସରକାରୀ ଅଧିକାରୀମାନଙ୍କ ସହ କାର୍ଯ୍ୟ କରୁଛି । ଅଦ୍ୟାବଧି କେନ୍ଦ୍ର ଶିକ୍ଷା କ୍ଷେତ୍ରରେ ୧୧୬ଟି ସ୍ଵାସ୍ଥ୍ୟସେବାରେ ୬୦ଟି,ଇ-ଗଭର୍ଣ୍ଣାସ କ୍ଷେତ୍ରରେ ୭୦ଟି ଏବଂ ସହରାଞ୍ଚଳ ପରିଚାଳନା କ୍ଷେତ୍ରରେ ୭୨ଟି ନୂତନ କୌଶଳ ଆବିଷ୍କାର କରିଛି । ଏହି କର୍ମଶାଳାରେ ବିଶେଷଜ୍ଞ ମାନେ ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ ,ଶିଶୁର ବିକାଶ ପାଇଁ ପ୍ରଥମରୁ ପ୍ରଚେଷ୍ଟା,ଚକ୍ଷୁ ଚିକିତ୍ସା,ମାତୃ ସ୍ୱାସ୍ଥ୍ୟ ,ପ୍ରଜନନ ସ୍ୱାସ୍ଥ୍ୟ ବ୍ୟବସ୍ଥା,କ୍ୟାନସର ନିରୋଧ ବ୍ୟବସ୍ଥା ଆଦି ବିଷୟରେ ନୂତନ କାର୍ଯ୍ୟ ପଦ୍ଧତିଓ କୌଶଳ ଗୁଡିକର ଉପସ୍ଥାପନା କରିଥିଲେ । ଗୁଜୁରାଟ,ଛତିଶଗଡ,ତେଲେଙ୍ଗନା,କେରଳ ଓ ତାମିଲନାଡୁ ଆଦି ରାଜ୍ୟର ବିଶେଷଜ୍ଞ ଓ ପଦସ୍ଥ ଅଧିକାରୀମାନେ କର୍ମଶାଳାରେ ଯୋଗଦେଇ ନିଜନିଜ ରାଜ୍ୟରେ ସଫଳଭାବେ ପ୍ରୟୋଗ କରାଯାଇଥିବା ନୂତନ କାର୍ଯ୍ୟଧାରା ଆଦି ଉପସ୍ଥାପନ କରିଥିଲେ । ସାଧାରଣ ପ୍ରଶାସନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ନିତେନ ଚନ୍ଦ୍ର,ମହିଳା ଓ ଶିଶୁ ବିକାଶ ସଚିବ ଶ୍ରୀମତୀ ଆରତୀ ଆହୁଜା,ହାଇଦ୍ରାବାଦ ସ୍ଥିତ ସିଆଇପିଏସ୍ ର ନିର୍ଦ୍ଦେଶକ ଶ୍ରୀ ଡି.ଚକ୍ରପାଣି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପଦସ୍ଥ ଅଧିକାରୀମାନେ ଏଥିରେ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ । କର୍ମଶାଳାରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ,ଶିଶୁ ଓ ମହିଳା ବିକାଶ ଅଧିକାରୀ ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ,ଡାକ୍ତରମାନଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିସନ,ଓଡିଶାର ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ ।

Share in top social networks!