ଘର – ପରିବାର – ସଂସାର…!!!

10462654_548836248558913_3878381638645143319_nଗୁଟୁରୁଗୁଁ ; ଫେରିଆସେ , ଫେରିଯାଏ । ପୁଣି ଆସେ, ପୁଣି ଯାଏ । ଖାଏ, ପିଏ ଆଉ ଢେର୍‌ ସାରା କଥା ଶୁଣେ । ମୁଁ ମୋ ଗାଁର ମଠ ମନ୍ଦିରର ଦେଉଳିଆ ପାରାଙ୍କ ବିଷୟରେ କହେ। ସେ ମୋ ମୁହଁକୁ ଡଗଡଗ କରି ଅନାଏ। ପୁଣି ଗୁଁ…ଗୁଁ ହୁଏ ବେକକୁ ଫୁଲାଇ ଦେଇ। ବୋଧହୁଏ ଜାହିର୍‌ କରେ ନିଜର ଅସ୍ତିତ୍ୱ; କହେ ଯାହାହେଲେ ବି ମୁଁ କାନାଡାର ପାରା। ଗୋଟାସାରା ବିଦେଶୀ ନାଗରିକ। ହଁ…ସେଇୟା ବି ଠିକ୍‌। ମୋ ଗାଁ ପାରା ସବୁ କୂଅ ଚଉତରା ହେଉ ବା ଗାଁ ଦାଣ୍ଡର ଖାଲଖମାର ପାଣି ପିଇବାର ଦେଖିଛି। ହେଲେ ଗୁଟୁରୁଗୁଁର ଢଙ୍ଗ ଟିକିଏ ବିଦେଶୀ।

କହୁଛି ଶୁଣନ୍ତୁ ତା’ର ବିଦେଶୀ ଢଙ୍ଗ। ସେ ସୋରିଷ, ଖୁଦ ଅବା ବିରିଗଡ଼ି ଖାଇ ସାରିବା ପରେ ପିଇବ ଭାବି ମୁଁ ଗୋଟିଏ ଭଲ ତାଟିଆରେ ପାଣି ରଖେ ହେଲେ ସିଏ ପିଏନା। ମୁଁ ଭାବେ ହୁଏତ ତା’ର ପିଇବା ପାଇଁ ଇଚ୍ଛା ନଥିବ । ହେଲେ ଦିନେ ଶୋଇବା ଘର ଭିତରୁ ବାହାରକୁ ଦେଖୁଥାଏ। ହଠାତ୍‌ ଦେଖିଲି, ଗୁଟୁରୁଗୁଁ ଆସିଲା, ଆଉ ପାଣି ପିଇଲା। ହେଲେ ତା’ର ତାଟିଆରୁ ନୁହଁ, ବରଂ ଗୋଟିଏ ଲତପତିଆ ନମନୀୟ କରଙ୍କରେ ରଖିଥିବା ପୁଦିନା ଗଛ ସହ ଥିବା ପାଣି। ହସିଲି, ଭାବିଲି ହୁଏତ ଇଏ ବିଦେଶୀ’ତ; ସାଦାପାଣି ପିଉନଥିବ। ଏଣୁ ସିଏ “ମିଣ୍ଟ୍‌ ୱାଟର୍‌” ପିଉଛି। ଏବେ ତା ପାଇଁ ସେଇ ବ୍ୟବସ୍ଥା କରିଦେଇଛି ଆଉ ସିଏ ଏବେ ତାର “ମିଣ୍ଟ୍‌ ୱାଟର୍‌” ପିଇ ଖୁସ୍‌। ଆଉ ତା ବିଦେଶୀ ଢଙ୍ଗ ଦେଖି ମୁଁ ଖୁସ୍‌।

ଏବେ ସିଏ ମତେ ଢେର୍‌ ବିଶ୍ୱାସ କରିବାକୁ ଲାଗିଲାଣି । ଧିରେଧିରେ ପାଖକୁ ଆସୁଛି। ଦାବୀ କରୁଛି। ଜିଦ୍‌ ଧରୁଛି। ହଁ, ସବୁଠାରୁ ବଡ଼ କଥା ହେଲା ଏବେ ତା’ର ଘର – ପରିବାର – ସଂସାରକୁ ନେଇ ଆସୁଛି। ସ୍ୱାମୀ – ଶିଶୁ – ସ୍ତ୍ରୀ, ତିନିହେଁ ଏବେ ସ୍ୱଛନ୍ଦରେ ଆସି ନିଜର ଆସ୍ଥାନ ଜମେଇ ବସୁଛନ୍ତି ସେଇ ନିଷ୍କାଶ ଧାରରେ । ଖାଇବା ଦେଲେ ଆସି ସଫାସଫି କରି ଖାଇ ଆରାମରେ ଡେଣା ଝଡ଼ାଝଡ଼ି କରି ମନ ଖୁସିରେ ମୋ ଘର ଆଖପାଖରେ ଉଡ଼ି ବୁଲୁଛନ୍ତି । ଏବେ ଗୁଟୁରୁଗୁଁ କହି ଡାକିଲେ , କେଉଁଠି ଥିଲେ ବି ଉଡ଼ି ଆସୁଛନ୍ତି।

ଏବଠାରୁ ନିୟମିତ ଭାବେ କହିବି ତାର କଥା … ଗୁଟୁରୁଗୁଁର କଥା । ତା ନା ନେଇ କିଏ ଇତିହାସ ଲେଖିବନି କି ତାକୁ ନେଇ କିଏ ଇନାମ ଦେବନି। ହେଲେବି ସିଏ ଏବେ ମୋ ଜୀବନର ଅଧ୍ୟାୟଟିଏ। ଏଇ କଥା ସେଇ ସବୁ ସୁଧି ପାଠକଙ୍କ ପାଇଁ ଅର୍ପଣ ଯେଉଁ ମାନେ ଏଇକଥାକୁ ସହୃଦୟ ଗ୍ରହଣ କରିବେ ।

-ପ୍ରଭୂ

[ ଗୁଟୁରୁଗୁଁ...!!! କଥା ସଙ୍କଳନରୁ ଉପହୃତ ]

Share in top social networks!