କେନ୍ଦ୍ର ସରକାରଙ୍କ ମଜଭୁତ ଭାରତର ଆହ୍ଵାନ ; ରେଳଭଡା ବୃଦ୍ଧିକରି ରେଳଯାତ୍ରୀଙ୍କୁ ପ୍ରଥମ ପ୍ରହାର : ସଞ୍ଜୟ ଦାସବର୍ମା

download (1)ମଜଭୁତ ଭାରତର ଆହ୍ୱାନର ଦ୍ଵାହି ଦେଉଥିବା କେନ୍ଦ୍ର ବିଜେପି ସରକାର ରେଳ ବଜେଟ ଉପସ୍ଥାପନ ପୂର୍ବରୁ ତରବାରିଆ ଭାବରେ ରେଳଯାତ୍ରୀ ଭଡା ସର୍ବାଧିକ ୧୪.୨ ପ୍ରତିଶତ ଏବଂ ମାଲ ପରିବହନ ଭଡା ୬ ପ୍ରତିଶତ ବୃଦ୍ଧି କରି ସାଧାରଣ ଜନତାଙ୍କୁ ପ୍ରଥମ ପ୍ରହାର କରିଛନ୍ତି ବୋଲି ବିଜେଡ଼ି ର ରାଜ୍ୟ ସଭାପତି ସଞ୍ଜୟ କୁମାର ଦାସବର୍ମା ଏକ ପ୍ରେସ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରସରକାରଙ୍କର ରେଳଭଡା ବୃଦ୍ଧି ସାଧାରଣ ଜନତାଙ୍କୁ ବାଧିବ ଓ ଦରଦାମ ବୃଦ୍ଧି କରାଇବା ସହ ସାଧାରଣଭାବେ ମୁଦ୍ରାସ୍ଫୀତି ର କାରଣ ହେବ । ସାଧାରଣ ଲୋକଙ୍କ ସ୍ଵାର୍ଥରକ୍ଷା ନିମନ୍ତେ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା କେନ୍ଦ୍ର ବିଜେପି ସରକାର ଙ୍କ ଏହି ନିଷ୍ପତ୍ତି ସାଧାରଣ ଜନତାଙ୍କ ପ୍ରତି ଏକ ଧୋକା । ଆଗକୁ ଏହି ସରକାର ସାଧାରଣ ଲୋକଙ୍କ ସ୍ଵାର୍ଥବିରୋଧୀ ଅନେକ ପଦକ୍ଷେପ ନେବେ ବୋଲି ଏଥିରୁ ସୂଚନା ମିଳୁଛି ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି । ଏହି ରେଳଭଡା ବୃଦ୍ଧିକୁ ବିଜୁ ଯୁବ ଜନତାଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି । ଯଦି କେନ୍ଦ୍ର ସରକାର ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ ନ କରନ୍ତି,ଦଳ ପକ୍ଷରୁ କେନ୍ଦ୍ରର ଏଭଳି ଜନବିରୋଧୀ ନିଷ୍ପତ୍ତି ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ବିଜୁ ଯୁବ ଜନତାଦଳର ରାଜ୍ୟ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ସତର୍କ କରାଇ ଦେଇଛନ୍ତି ।

Share in top social networks!