ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ସ୍ଵର୍ଣ୍ଣଜୟନ୍ତୀ ଉତ୍ସବ

imagesଓଡିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା କ୍ଷେତ୍ରରେ ଅର୍ଥବିଭାଗ ସାଂସ୍କୃତିକ ସଂସଦର ଉଦ୍ୟମ ପ୍ରଶଂସନୀୟ ବୋଲି ଅର୍ଥ ତଥା ସରକରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି । ଗତକାଲି ଅର୍ଥବିଭାଗ ସାଂସ୍କୃତିକ ସଂସଦର ସ୍ଵର୍ଣ୍ଣଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ କହିଥିଲେ ଯେ ,ଆମ ରାଜ୍ୟର ବହୁମୂଲ୍ୟ ପରମ୍ପରା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ଵ । ଅର୍ଥବିଭାଗ ସାଂସ୍କୃତିକ ସଂସଦର ସଦସ୍ୟମାନେ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ନିଖୁଣ କଳା ନୈପୁଣ୍ୟ ଓ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ଏଭଳି କାର୍ଯ୍ୟକ୍ରମ କୁ ପରିବ୍ୟାପ୍ତ କରିବା ସହ ଅଧିକ ସୁନାମ ଅର୍ଜନ ପାଇଁ ସଦସ୍ୟମାନେ ପ୍ରୟାସ ଜାରି ରଖିବା ଉପରେ ମନ୍ତ୍ରୀ ଶ୍ରୀ ଅମାତ ଗୁରୁତ୍ଵାରୋପ କରିଥିଲେ । ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅର୍ଥବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ଉପେନ୍ଦ୍ରନାଥ ବେହେରା ଏଭଳି ଆୟୋଜନ ସଂସଦକୁ ଚଳଚଞ୍ଚଳ କରି ରଖିଛି ଏବଂ ସଦସ୍ୟମାନଙ୍କ ପରିବାର ଏଥିରେ ସାମିଲ ହେବା ଖୁସିର ବିଷୟ ବୋଲି ଉଲ୍ଲେଖ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର କହିଲେ ଯେ,ଉଚ୍ଚକୋଟିର ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ନିୟୋଜିତ ରହି ସଂସଦର ସଦସ୍ୟମାନେ ଓଡିଆ ଗୋଟିଏ ସଂସ୍କୃତିପ୍ରେମୀ ଜାତି ବୋଲି ପ୍ରମାଣିତ କରିଛନ୍ତି । ଅର୍ଥବିଭାଗ ସାଂସ୍କୃତିକ ସଂସଦର ସଭାପତି ଶ୍ରୀ ଶୈଳେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସଂସଦର ସମ୍ପାଦକ ପ୍ରଭାତ କୁମାର ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ସଂସଦର ମୁଖପାତ୍ର ‘ସ୍ମରଣିକା’ ଉନ୍ମୋଚନ କରିଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

Share in top social networks!