୧୧ରେ ବସିବ ବିଜେପି ବିଧାୟକ ଦଳ ବୈଠକ

downloadବିଧାନସଭା ଅଧିବେଶନ ଠିକ ଦିନକ ଆଗରୁ ,ଆସନ୍ତା ୧୧ତାରିଖ ଦିନ ବସିବ ବିଜେପି ବିଧାୟକ ଦଳ ବୈଠକ । ଏଥିରେ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚନ କରାଯିବ । ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦଳର ରାଜ୍ୟସଭାପତି କନକ ବର୍ଦ୍ଧନ ସିଂହଦେଓ । ତାଙ୍କ ସୂଚନା ମୁତାବକ ବିଧାୟକ ଦଳ ନେତା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ୧୧ତାରିଖ ଦିନ ସେ ଓଡିଶାରେ ଆସି ପହଞ୍ଚିବା ପରେ ବୈଠକ ବସିବ । ମନ୍ତ୍ରୀହେବା ପୂର୍ବରୁ ଜାଭେଦକରଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦିଆଯାଇଥିଲା । ମନ୍ତ୍ରୀ ହେବା ପରେ ବ୍ୟସ୍ତତା କାରଣରୁ ତାଙ୍କ ବଦଳରେ ଅନ୍ୟ କାହାକୁ ଏ ଦାୟିତ୍ଵ ଦିଆଯାଇପାରେ । ଏ ସମ୍ପର୍କିତ ଚର୍ଚ୍ଚାକୁ ଶ୍ରୀ ସିଂହ ଦେଓ କିନ୍ତୁ ଆଜି ଏଡାଇ ଯାଇଥିଲେ । ଶ୍ରୀ ସିଂହଦେଓ କହିଥିଲେ ଯେ ୧୧ରେ ନେତା ନିର୍ବାଚନ ହେବ । ଉଲ୍ଲଖନୀୟ ଯେ, ଦଳ ସମର୍ଥିତ ସ୍ଵାଧୀନ ସଦସ୍ୟ ପ୍ରତାପ ଷଡଙ୍ଗୀଙ୍କୁ ଛାଡି ଗତଥର ବିଜେପି ର ମାତ୍ର ୬ ଜଣ ସଦସ୍ୟ ଥିଲେ । ଏଥର ଗୃହରେ ଦଳର ଶକ୍ତି ବଢିଛି । ୧୦ ଜଣ ସଭ୍ୟ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ବିଧାୟକ ଦିଲ୍ଲୀପ ରାୟଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ମନୋନୟନ କରାଯିବାକୁ ଏକ ପ୍ରକାର ସ୍ଥିର ହୋଇଥିବା ଦଳ ଭିତରେ ବି ଚର୍ଚ୍ଚା ହେଉଛି ।

Share in top social networks!