ଭୁବନେଶ୍ଵର ରେ ଏକ ଜିରୋ ୱେଷ୍ଟ ନୀତି କାର୍ଯ୍ୟକାରୀ କରିବା ପାଇଁ ବିଏମସି ପଦକ୍ଷେପ ନେଉ-ମୁଖ୍ୟମନ୍ତ୍ରୀ

imagesମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନ ଆନୁକୁଲ୍ୟରେ ‘କଠିନ ବର୍ଜ୍ୟବସ୍ତୁ ,ପରିଚାଳନା କାର୍ଯ୍ୟକ୍ରମ’ ଏବଂ ସିଟି ବସ ସେବାପାଇଁ ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରରେ ଜିରୋ ୱେଷ୍ଟ ନୀତି କାର୍ଯ୍ୟକାରୀ କରିବା ଦିଗରେ ବିଏମସି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ଵର ରାଜଧାନୀ ହେବା ସହିତ ରାଜ୍ୟର ସଂସ୍କୃତି,ଶିକ୍ଷା ଓ ବ୍ୟବସାୟ ପ୍ରାଣକେନ୍ଦ୍ର । ତେଣୁ ଭୁବନେଶ୍ଵର ର ପରିମଳ ବ୍ୟବସ୍ଥାକୁ ଆନ୍ତର୍ଜାତୀୟ ସ୍ତରର କରିବା ଉଚିତ । ଏହା ଦ୍ଵାରା ଭୁବନେଶ୍ଵରର ପ୍ରତିଷ୍ଠା ବଜାୟ ରହିବା ସହିତ ଅନ୍ୟ ମ୍ୟୁନିସିପାଲିଟି ମାନଙ୍କ ପାଇଁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । କଠିନ ବର୍ଜ୍ୟବସ୍ତୁ ସହିତ ତରଳ ବର୍ଜ୍ୟବସ୍ତୁ ,ଇ-ୱେଷ୍ଟ ପରିଚାଳନା ଓ ଅନ୍ୟ ପରିବେଶ ସଙ୍କ୍ରାନ୍ତିୟ ବିଷୟ ପ୍ରତି ଧ୍ୟାନ ଦିଆଯିବା ଉଚିତ । ଭୁବନେଶ୍ଵର ରେ ଅନେକ ପ୍ରାକୃତିକ ଜଳାଶୟ ରହିଛି । ଏଗୁଡିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦିଗ ପ୍ରତି ମଧ୍ୟ BMC ପ୍ରାଥମିକତା ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶରେ ସୁସ୍ଥ ପରିବେଶର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହିଳା ମାନେ ଏ ଦିଗରେ ପରିବର୍ତ୍ତନର ବାର୍ତ୍ତା ବହ ହୋଇପାରିବେ । ବ୍ୟାପକ ସଚେତନତା ସହିତ ଏହ ସାମୁହିକ ଓ ସମନ୍ଵିତ ଆଭିମୁଖ୍ୟ ରଖି କାମକଲେ ,ଏହି ଯୋଜନା ସଫଳ ପାଇପାରିବ ବୋଲି ସେ କହିଥିଲେ । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭୁବନେଶ୍ଵରର 52ଟି ୱାର୍ଡକୁ 4 ଟି ଜୋନ୍ ରେ ପରିଣତ କରାଯାଇଛି । ଏହି 4 ଟି ଜୋନ୍ ରେ 3 ଟି ଘରୋଇ ସଂସ୍ଥା ସଫେଇ ସହିତ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବେ । ବର୍ଜ୍ୟବସ୍ତୁକୁ ଓଜନ କରିବା ପାଇଁ ଏକ ୱେ ବ୍ରିଜ୍ କରାଯାଇଛି । କଠିନ ବର୍ଜ୍ୟବସ୍ତୁ ର ପ୍ରକ୍ରିୟାକରଣ ପାଇଁ ଚନ୍ଦକା ନିକଟସ୍ଥ ଭୁଆସୁଣୀ ଗାଁ ନିକଟରେ ଏକ ସ୍ଥାନ ନିରୂପଣ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମର ଦିଲ୍ଲୀସ୍ଥିତ CRISIL କମ୍ପାନୀକୁ ଉପଦେଷ୍ଟା ଭାବରେ ଚୟନ କରାଯାଇଛି । ସେହିପରି ସ୍ମାର୍ଟ କାର୍ଡର ବ୍ୟବସ୍ଥା ଯାତ୍ରୀମାନଙ୍କ ସ୍ଥାନ ବିଶେଷରେ ବିନାଦେୟରେ ଯାତ୍ରା କରିବା ପାଇଁ ଉପଯୋଗୀ ହେବ । ଭୁବନେଶ୍ଵର ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ଭଞ୍ଜଦେଓ,ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା,ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ ,ବିଧ୍ୟାୟକ ଶ୍ରୀ ବିଜୟ ମହାନ୍ତି ଓ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Share in top social networks!