ନାବାଳିକା ଚାଲାଣକୁ ମାନିଲା ରାଜ୍ୟ ଶ୍ରମ ବିଭାଗ ; କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସାନି ରିପୋର୍ଟ ମାଗିଲେ ଏନଏଚଆରସି

Odishan-MAP-7ପଣ୍ଡିଚେରୀରେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ନାବାଳିକା ଦାଦନ ଶ୍ରମିକ ଲକ୍ଷ୍ମୀ ବେହେରାଙ୍କ ମୃତ୍ୟୁ ଘଟଣାରେ ଉଭୟ ପଣ୍ଡିଚେରୀ ଓ ଓଡିଶା ସରକାର ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି । ଲକ୍ଷ୍ମୀକୁ ଜଣେ ଦଲାଲ ବେଆଇନ ଭାବେ ପଣ୍ଡିଚେରି ନେଇଥିଲା ବୋଲି ଶ୍ରମବିଭାଗ ତାର ରିପୋର୍ଟରେ ସ୍ଵୀକାର କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ କମ୍ପାନୀ କିଭଳି ନାବାଳିକାମାନଙ୍କୁ ନିଯୁକ୍ତି ଦେଉଥିଲା ସେ ସମ୍ପର୍କରେ ସାନି ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କମିଶନ ପଣ୍ଡିଚେରୀ ମୁଖ୍ୟ ଶାସନ ସଚିବଙ୍କୁ ପୁଣିଥରେ ନୋଟିସ ଜାରି କରିଛନ୍ତି । ପଣ୍ଡିଚେରୀକୁ କାମକରିବାକୁ ଯାଇଥିବା ପିପିଲି ଥାନା ଅନ୍ତର୍ଗତ କମଳା ସାଗର ପାଟଣା ଗାଁର ଫଗୁ ବେହେରାଙ୍କ ଝିଅ ଲକ୍ଷ୍ମୀ (୧୭) ସେଠାରେ ଗତ ୨୦୧୩ ସେପ୍ଟେମ୍ବର ୨୭ତାରିଖରେ ପ୍ରାଣହରାଇଥିଲା । ଅସ୍ଵାସ୍ଥ୍ୟକର ପରିବେଶ ଓ କମ୍ପାନୀର ପ୍ରବଳ କାମ ଯୋଗୁଁ ଲକ୍ଷ୍ମୀ ଅସୁସ୍ଥ ହୋଇପଡିଥିଲା ଓ ତାକୁ ଇନ୍ଦିରା ଗାନ୍ଧୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିଲା । ଏଭଳି ଘଟଣା ମାନବାଧିକାର ର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟମାନବାଧିକାର କମିଶନରେ ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଲକ୍ଷ୍ମୀର ମୃତ୍ୟୁପରେ ପଣ୍ଡିଚେରୀ ପୋଲିସ ସମ୍ପୃକ୍ତ କମ୍ପାନୀ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ । ଏପଟେ ଓଡିଶା ପୋଲିସ କିମ୍ବା ଶ୍ରମ କମିଶନରଙ୍କ ପକ୍ଷରୁ ଲକ୍ଷ୍ମୀଙ୍କୁ ପଣ୍ଡିଚେରୀ ଚାଲାଣ କରିଥିବା ଦଲାଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ମୃତ୍ୟୁ ପରେ ଲକ୍ଷ୍ମୀର ଶବକୁ ପଣ୍ଡିଚେରୀ କିମ୍ବା ରାଜ୍ୟ ପ୍ରଶାସନ ପକ୍ଷରୁ ଓଡିଶା ଆଣିବା ଲାଗି ମଧ୍ୟ ଚେଷ୍ଟା କରାଗଲା ନାହିଁ । ତେଣୁ ଏହି ମୃତ୍ୟୁରେ କୌଣସି ପ୍ରକାରର ଷଡଯନ୍ତ୍ର ହୋଇନଥିବାରୁ ଥାନାରେ ଏହି ମାମଲା କୁ ବନ୍ଦ କରିଦିଆଯାଇଛି ବୋଲି ପଣ୍ଡିଚେରୀ ଗୃହ ବିଭାଗର ସଚିବ ଏନେଚଆରସି ଙ୍କୁ ଜଣାଇଛନ୍ତି । ପୁଣି ମୃତା ପରିବାରକୁ କମ୍ପାନୀ ପକ୍ଷରୁ ୪୦ହଜାର ଟଙ୍କା ଦିଆଯାଇଥିବା ରିପୋର୍ଟରେ ଦର୍ଶାଇଛନ୍ତି । କିନ୍ତୁ କମିଶନ ଏହି ରିପୋର୍ଟକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ତେଣୁ କମିଶନ ଏହା ଉପରେ ତଦନ୍ତ କରି ଆଠ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପଣ୍ଡିଚେରୀ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!
Powered By Indic IME