“ମଧୁ ବର୍ଣ୍ଣବୋଧ”

10177352_540692979373240_1318150626232107563_nଓଡ଼ିଶାବାସୀ ଓ ଓଡ଼ିଆଭାଷୀ
ସୁଧି…ଜ୍ଞାନୀ…ଗୁଣୀ ଭାଇ ଓ ଭଉଣୀମାନେ…!

ଏହି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ । ଏଣୁ ଏହାର ଆଶୁ ସମାଧାନ ବରିଷ୍ଠ ଭାଷାବିତ୍‌ ତଥା ବ୍ୟାକରଣ ପଣ୍ଡିତଙ୍କ ମିଳିତ ଆଲୋଚନା ତଥା ସହଯୋଗର ଏକ ସୁସ୍ଥ ବାତାବରଣ ନେଇ ହେବା ଉଚିତ୍‌। ଏହି ବିଷୟକୁ ନେଇ ଦାଣ୍ଡରେ ପକାଇ ହାଟରେ ଗଡ଼ାଇବା ସମୀଚିନ ନୁହଁ। ଏହା “ବର୍ଣ୍ଣବୋଧ” ଅଥବା “ବର୍ଣବୋଧ” ହେବ ଏହା ଏକ ପ୍ରାଜ୍ଞ ତର୍କର ବିଷୟ।

ଗୋଟିଏ ଛୋଟ ଉଦାହରଣ ଦିଏ;
ଆମ ନିତିଦିନିଆ ଘରସଂସାରର ଏଇ ଅଢ଼େଇଦିନିଆ ଜୀବନରେ;
ବାପା ପନିପରିବା ସଉଦା ସବୁ ଆଣନ୍ତି ଆଉ ମା ଆମକୁ ସେଇ ସବୁକୁ ଭାଗମାପ ଅନୁସାରେ ରାନ୍ଧିବାଢ଼ି ସୁସ୍ୱାଦୁ ଅନ୍ନବ୍ୟଞ୍ଜନ ପରଶି ଦିଅନ୍ତି। ଏହା ହେଉଛି ଏକ ସାଧାରଣ ଜନଜୀବନର କଥାଟିଏ। ଏଇଠି ମଗଜ ବେଶୀ ଖଟେଇବାକୁ ପଡ଼େନି। ଏଇଠି ଆଣିବା ଲୋକ ବାପା ଆଉ ତାକୁ ଘାଣ୍ଟିବା ଲୋକ ହେଉଛନ୍ତି ମା। ଏଇଥିରେ ଆମେ କେବେ ମୁଣ୍ଡ ନପୁରାଇଲେ ଭଲ।

ଏବେ ଆସନ୍ତୁ ଏଇ ଚୈତନମୟ ପ୍ରସଙ୍ଗଟିକୁ। ଏହି ପ୍ରସଙ୍ଗକୁ ଆଲୋଚନା କରିବାକୁ ବିଶେଷଜ୍ଞ ଅଛନ୍ତି। ଭାଷାର ପାରଙ୍ଗମତା ନେଇ ସେଥିରୁ ଶବ୍ଦ ଗଠନ ହୁଏ ଆଉ ଏହାର ବ୍ୟାକରଣଗତ ଅଂଶଟିକୁ ଅଣଦେଖା ନକଲେ ଭଲ । ଏବେ ଏଇ କଥାଟିକୁ ଟିକେ ଭଲରୂପେ ଲକ୍ଷ କରନ୍ତୁ। ଯଦି କେହି ବଗୁଲିଆ ଗେଁପେଁ କରି କହିବ ଯେ…
“ଏତେ ଯୁକ୍ତାକ୍ଷର ଋଣାକ୍ଷର ସବୁ ଥାଉ ହୋ; ମୁଁ “ବର୍ଣ୍ଣବୋଧ” କୁ “ବର୍‌ନବୋଧ” ଲେଖିବି, ନହେଲେ “ବର୍ନବୋଧ” ; ଏଥିରେ କଣ ଅବୁଝା ରହୁଛି କି ? ”

ଯଦି ଏଇସବୁ ଆରମ୍ଭ ହୁଏ ତେବେ ଓଡ଼ିଆ ଭାଷାରେ ବହୁ ଅପଶବ୍ଦ ବା ବ୍ୟାକରଣବିରୁଦ୍ଧ ଶବ୍ଦ ପ୍ରଚଳନ ହେବ। ଏଣୁ ବ୍ୟାକରଣର ମର୍ଯ୍ୟଦା ରହିନପାରେ। ମୋର ଶଙ୍କା ଆଉ ସଂଶୟ ଏହିକି ଯେ ମୋ ଭାଷାକୁ ବିଶ୍ରୀ ନକରାଯାଉ। ଯେଉଁ ମହାମାନବ ବର୍ଣ୍ଣବୋଧ ଲେଖିଥିଲେ ସେ ନିଶ୍ଚୟ କିଛି ସ୍ୱାଧ୍ୟାୟ କରି ଲେଖିଥିଲେ ଆଉ ଏବେ ଯେଉଁ ବିଶେଷଜ୍ଞ ମାନେ ବର୍ଣବୋଧ ଲେଖିଛନ୍ତି ସେମାନେ ମଧ୍ୟ କିଛି ଚିନ୍ତା ଅଥବା ବିଶ୍ଲେଷଣ କରି ଲେଖିଥିବେ!

ଏବେ ଏଇକଥାକୁ ନେଇ ଦଳେ ଚିତ୍କାର କରିବେ, ଦଳେ ବିଧାନସଭା ହଲେଇବେ, ଦଳେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ନଆସିବା କାରଣ ନେଇ ନଖ ଘଷିବେ; ଏଇଥିରେ ସମସ୍ୟାର ସମାଧାନ ହୋଇନପାରେ। ଉଭୟ ଗୋଷ୍ଠିକୁ ନେଇ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉ। ଏହା କୌଣସି ପାନଦୋକାନ ଉଠା ଅଥବା ପୋଖରୀରୁ ମାଛଧରା କାମ ନୁହଁ। ଏଇଥିରେ ଭାଷାର ଗୌରବ, ସଂସ୍କୃତିର ପ୍ରତିଷ୍ଠା ତଥା ଆଗାମୀ ପୀଢ଼ି ନିମନ୍ତେ ଏକ ଶୁଦ୍ଧ ଆଉ ଉନ୍ନତ ଭାଷାର ସୁରକ୍ଷା ନିମନ୍ତେ ଆମ୍ଭେ ସମସ୍ତେ ଉତ୍ତରଦାୟୀ ।

ଏଣୁ, ହେ ମୋର ଭାଇ ଭଉଣୀ…
ଯଦି ଆପଣଙ୍କ ଭାଷା ଓ ଏହାର ଶବ୍ଦସୃଜନ ଅଥବା ବ୍ୟାକରଣୀୟ ବିଶ୍ଲେଷଣରେ ସ୍ୱତନ୍ତ୍ର ଦକ୍ଷତା ରହିଛି ତେବେ ଏଇଥିରେ ମୁଣ୍ଡ ପୁରାନ୍ତୁ। ଅଯଥାରେ କୌଣସି ଅନୁଷ୍ଠାନ ଅଥବା ଅଜଣା ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ନେପଥ୍ୟ କୋଳାହଳକୁ ନେଇ ପୁରାନ୍ତୁ ନାହିଁ। ମାନ୍ୟବର ଉଚ୍ଚତର ନ୍ୟାୟାଳୟ ତଥା ଆମ ରାଜ୍ୟର ବୁଦ୍ଧିଜୀବିଗଣ ଏବେ ଏଥିନେଇ ଚିନ୍ତିତ ଓ ଏଇ ସମସ୍ୟାକୁ ଅଚିରେ ସମାଧାନ କରିବା ପାଇଁ ଚେଷ୍ଟିତ। ଏଣୁ ଧୈର୍ଯ୍ୟର ସହ ପ୍ରତୀକ୍ଷା କରାଯାଉ।

ଏତିକି ମନେ ରଖିବା ଉଚିତ ଯେ ଆକାଶକୁ ଛେପ ପକାଇଲେ ତାହା ନିଜ ଉପରେ ପଡ଼େ; ଏଣୁ ଏହିପରି ସମସ୍ୟା ଆସିଛି ବୋଲି ଯେଉଁ ଅନୁଷ୍ଠାନ ଅଥବା ବ୍ୟକ୍ତି ବିଶେଷ ଏହି ପରିବର୍ତ୍ତନ କରିଛନ୍ତି ତାଙ୍କୁ ଅଷ୍ଟକିଳାପ୍ରାପ୍ତିରସ୍ତୁ ହେଉ ବୋଲି ଉଲୂଲୁ ନକରାଯାଉ।

-ପ୍ରଭୂ

( କ୍ରମଶଃ)

ପୁଷ୍ପିକା ରେ ଏତିକି କହିବି ଯେ…!!!

୧. ସୁଧୀ ପାଠକେ,ଏହା ଏକ ସମ୍ବେଦନଶୀଳ ବିଷୟ କୁ ଆଧାର କରି ଲେଖା ଯାଇଅଛି । ଏହି ପ୍ରସଙ୍ଗର ଭାବଗତ ଦିଗକୁ ଧ୍ୟାନ ରଖି ଏହାକୁ କୌଣସି ଅନ୍ୟର୍ଥବୋଧରେ ନନେବାକୁ ଅନୁରୋଧ । ଏହି ପ୍ରସଙ୍ଗରେ କାହାରିକୁ ଆକ୍ଷେପ ଅଥବା କଦାଚିତ କାହାରି ଅପମାନ ଉଦ୍ଦେଶ୍ୟରେ ଲେଖା ଯାଇନାହିଁ।ଏଣୁ କୌଣସି କଦର୍ଥମୂଳକ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ ଅନୁରୋଧ ।

୨. ଲେଖିବା ସମୟରେ କେତେବେଳେ – କେତେଥର – କେଉଁଠି ହୁଏତ ଅନିଚ୍ଛାକୃତ – ମୁଦ୍ରଣଗତ – ବ୍ୟାକରଣଗତ ତ୍ରୁଟି ରହିଯାଇଥାଇପାରେ । ଏହି ସବୁକୁ ହୃଦୟଙ୍ଗମ କରି ରଚନାର ଭାବଗତ – ଗୁଣଗତ – ଶବ୍ଦଗତ ସାହିତ୍ୟକୁ ଆପଣ ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ । ଏହି ସବୁ ତ୍ରୁଟି ମୋର ଦୃଷ୍ଟିକୁ ଆଣିଲେ, ମୁଁ ପରବର୍ତ୍ତୀ ସଂସ୍କରଣରେ ଏହି ସବୁକୁ ସୁଧାରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।

[କେତେଜଣ ବନ୍ଧୁଙ୍କ ଅନୁରୋଧକ୍ରମରେ “ଆମେ ଓଡ଼ିଆ...ଆମ ଓଡ଼ିଶା” ପ୍ରବନ୍ଧ ସଙ୍କଳନରୁ ସଂଗୃହୀତ]

Share in top social networks!