ଆତ୍ମ ସଚେତନତା ହିଁ ଏକ ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ସହାୟକ ହୋଇପାରିବ – ସ୍ଵାସ୍ଥ୍ୟମନ୍ତ୍ରୀ

download
ସମଗ୍ର ବିଶ୍ଵରେ ତମାଖୁ ହେଉଛି ଏକ ମାନବକୃତ ମହାମାରୀ ; ଯାହାକି ରୋଗ ଓ ମୃତ୍ୟୁର ଦ୍ଵିତୀୟ ସବୁଠାରୁ ବଡ କାରଣ । ପ୍ରତି ବର୍ଷ ପୃଥିବୀରେ ୬୦ ଲକ୍ଷ ରୁ ଉର୍ଦ୍ଧ୍ଵ ଲୋକ ତମାଖୁ ସେବନ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତମାଖୁ ବ୍ୟବହାରର ଦ୍ରୁତବୃଦ୍ଧି ସାଧାରଣ ସ୍ୱାସ୍ଥ୍ୟ ପ୍ରତି ଏକ ବିରାଟ ଆହ୍ଵାନ ରୂପେ ଉଭା ହୋଇଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ର ତଥ୍ୟ ଅନୁସାରେ ଯଦି ଏହି ଧାରା ଅପରିବର୍ତ୍ତିତ ରହେ ତେବେ ଆସନ୍ତା ୨୦୨୦ ସୁଦ୍ଧା ବର୍ଷକୁ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ଵଲୋକ ତମାଖୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିବେ । ତେବେ ଖାଲି ଆଇନ ପ୍ରଣୟନ କରିଦେଲେ ଚଳିବ ନାହିଁ, ଏଥି ପାଇଁ ଆଇନକୁ କଡାକଡି ଭାବେ ପାଳନ କରାଯିବା ପରାଇ ବିଶେଷ ଦୃଷ୍ଟି ଦିଆଯିବା ସହ ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବାର ଆବଶ୍ୟକତା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ଵ ଆରୋପ କରିଛନ୍ତି । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ,ତମାଖୁ ଜାତୀୟ ପଦାର୍ଥ ସେବନ ଯୋଗୁଁ ବର୍ଷକୁ ପ୍ରାୟ ୬୦ ଲକ୍ଷ ଲୋକ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ତମାଖୁ ହେଉଛି ନୀରବ ମୃତ୍ୟୁର ସୌଦାଗର । ତମାଖୁ ସେବନ ଜନିତ ଅପକାରିତା ଏବେ ସମାଜରେ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । କେବଳ ସଚେତନତା ହିଁ ଏହି ନୀରବ ମୃତ୍ୟୁ କୁ ରୋକିପାରିବ । ସେଥିପାଇଁ ଆମକୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପଡିବ । ରାଜ୍ୟ ସରକାର ମଧ୍ୟ ଗୁଟଖା ବିକ୍ରିକୁ ବେଆଇନ ଘୋଷଣା କରିଛନ୍ତି । ହେଲେ ଆମକୁ ଏହି ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ଏହି ଅବସରରେ ମନ୍ତ୍ରୀ ନାୟକ ପୋଲିସ କମିଶନର ଡାଃ ଆର ପି ଶର୍ମାଙ୍କୁ ପୋଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ଓ ସହଯୋଗ ନିମନ୍ତେ ସମ୍ମାନିତ କରିଥିଲେ ଏବଂ ତମାଖୁ ସେବନ ଜନିତ ପ୍ରଭାବ ସମ୍ପର୍କରେ ଏକ ଭିଡିଓ ସିଡ଼ି ଉନ୍ମୋଚନ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ଗୁଟକା ବିକ୍ରି ଉପରେ ଲାଗିଥିବା କଟକଣା ଉପରେ ଆଲୋକପାତ କରି କହିଲେ କି ଚଳିତ ବର୍ଷ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଯେଉଁ ସ୍ଲୋଗାନ ଘୋଷଣା କରିଛନ୍ତି ତାହା ହେଉଛି ତମାଖୁ ପ୍ରସ୍ତୁତ ସାମଗ୍ରୀ ଉପରେ ଅଧିକ ଟିକସ ବସାଇବା । କାରଣ ସର୍ବେକ୍ଷଣରୁ ଜଣାପଡିଛି ଯେ ଅଧିକ ଟିକସ ଲଗାଇବା ଦ୍ଵାରା ଏହାର ବ୍ୟବହାର ତଥା ବ୍ୟବହାରକାରୀଙ୍କ ସଂଖ୍ୟା କମୁଥିବା ଦେଖାଯାଉଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ର ପରାମର୍ଶ କ୍ରମେ ଆମ ରାଜ୍ୟରେ ତମାଖୁ ଆଦି ଉପରେ ଟିକସ ବୃଦ୍ଧି ବସାଇବା ନିମନ୍ତେ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଲିସ କମିଶନର ଡାଃ ଆର ପି ଶର୍ମା ,ଭୁବନେଶ୍ଵର ଏ.ଆଇ.ଆଇ.ଏମ୍.ଏସ୍ ନିର୍ଦ୍ଦେଶକ ଡାଃ ଅଶୋକ ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ । ଅଣସଙ୍କ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନୋଡାଲ ଅଫିସର ଡାଃ ପି.କେ.ବି ପଟ୍ଟନାୟକ ରାଜ୍ୟରେ ତମାଖୁ ବ୍ୟବହାର ଜନିତ ଜନସ୍ୱାସ୍ଥ୍ୟ ସମସ୍ୟା ଉପରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ ।

Share in top social networks!