କଥାଟିଏ କହୁଁ…!!!

1157615_410509445724928_226446146_n

କଥାଟିଏ କହୁଁ…!!!

ପରଭା…!!!

ଗାଁ ଗହଳିରେ ଆପଣ ଏଇମିତି ବହୁତ ନାମ ଶୁଣୁଥିବେ; ମୁଁ ବି ଶୁଣି ଆସିଛି, ଯେପରିକି ଭଗିଆ, ଉପେଇ, ଗଣିଆ, ନଣ୍ଡା, ଦନେଇ, ମାଗେତା, ଭାଇଗ, ଚୋରିଆ, ଉଦିଅ, ଭୋବନି, ସଦେଇ, ସୁରିଆ, ଡିବା, ଢ଼ୋଲ, ରାଜି, ବୁଦ୍ଧିଆ, ଖଲିଆ, ଖଦାଳ, ଦଣ୍ଡାସି, ପ୍ରଭୃତି । ଏମାନଙ୍କର ପିତୃମାତୃପ୍ରଦତ୍ତ ପ୍ରକୃତ ନାମ ଠାରୁ ଏହା କୋଶେ ଦୂର । ଡାକିବାର ସୋରତା ହେଉ ବା ବନାନଗତ ସଙ୍କଟ ହେଉ; କାଳକ୍ରମେ ଗ୍ରାମବାସୀଙ୍କ ଡକାହକାରୁ ଅପଭ୍ରଂଶ ହୋଇ ବର୍ତ୍ତମାନ ଏହି ନାମ ହିଁ ସେମାନଙ୍କର ପ୍ରକୃତ ପରିଚୟ ହୋଇ ସାରିଛି । ଯେପରିକି ଗଲା କାଳର ଯଜ୍ଞପୁର ଆଜିର ଯାଜପୁର ହୋଇ ବସିଛି । ଆପଣ ଯଦି ଭୂଲରେ ସେମାନଙ୍କ ଠିକ୍‌ ନାମ ନେଇ ଡାକିବେ ତେବେ ସେମାନେ ଆପଣଙ୍କୁ ବାଚାଳଟାଏ ବୋଲି ମନେ କରିବେ ।

ଏହିଭଳି ଏକ ସରଳ, ନିରୀହ ଆଉ ନିଷ୍କପଟ ଚରିତ୍ରଟିଏ ଏଇ ପରଭା ଭାଇ ଆମର । କୌଳିକ ବୃତ୍ତିରେ ଭଣ୍ଡାରୀ । ଗାଁ ଗାଁ ବୁଲି ବାଳକତୁରା ଠୁଁ ଆରମ୍ଭ କରି ଯାବତୀୟ ନାପିତ କର୍ମରେ ଅଭିଜ୍ଞ । ମୁଁ ଯେତେବେଳେ ତାଙ୍କୁ ପ୍ରଥମେ ଦେଖିଥିଲି ମୋ ପିଲାଦିନେ, ସେ ଦିଶୁଥିଲେ ଅତି ନିର୍ମଳ ଆଉ ନିରାଡ଼ମ୍ବର । ଛ’ହାତିଆ ଧୋତିଟିଏ ଅତି ସୁନ୍ଦରରେ କୁଞ୍ଚଦେଇ ପିନ୍ଧା ହୋଇଥାଏ । ଉପରେ ଚଉହରି ଅଙ୍ଗିଟିଏ । ଅଙ୍ଗିର ଉପର ମୁଣାରେ କଳା ରଙ୍ଗର ଓରିଏଣ୍ଟ ପେନ୍‌ଟିଏ ଖୁଞ୍ଚା ହୋଇଥାଏ ଆଉ ସାଙ୍ଗରେ ନୀଳ ରଙ୍ଗର ଛୋଟ ବବି ପାନିଆଟିଏ । ମୁଣ୍ଡରେ ମେଥିଦିଆ ରାଶିତେଲ ସରସରିଆ ହୋଇ ରହିଥାଏ କଳ ମଚମଚ କେଶ ସହ। ହେଲେ ଭାଙ୍ଗ ପକାଇ ଅତି ସୁନ୍ଦର ଭାବରେ କୁଣ୍ଡା ହୋଇଥାଏ । ହାତରେ ଆୟତାକାର କାଠପେଢ଼ିଟିଏ। ଚାରିକୋଣରେ ପିତ୍ତଳ କଣ୍ଟାମରା ହୋଇ ସଶକ୍ତ ଦିଶୁଥାଏ ।

ମୁଁ ଧାଇଁ ଆସୁଥିଲି ଘର ବାହାରକୁ ସେତେବେଳେ, ଆଉ ତାଙ୍କୁ ଦେଖି କହିଲି …
ବାପା ଘରେ ନାହାନ୍ତି ସେ ମନ୍ଦିରକୁ ଯାଇଛନ୍ତି ।

ସେ ଅତି ନମ୍ର ଆଉ ଶାନ୍ତ ସ୍ୱଭାବ ସ୍ୱରରେ କହିଲେ,
ବାପ…ବାପା ହିଁ ପଠାଇଛନ୍ତି ତୁମର ବାଳକତୁରୀବା ପାଇଁ ।

ମୁଁ ତାଙ୍କୁ ଦେଖି ପ୍ରଥମେ ବିଶ୍ୱାସ କରିନଥିଲି ଯେ ସେ ମୋ ବାଳକାଟିବାକୁ ହିଁ ଏଠାକୁ ଆସିଛନ୍ତି ବୋଲି ।

ତାଙ୍କୁ ପଚାରିଲି ତୁମ ସାଲୁନ୍‌ କାହିଁ ?

ସେ ନିଜର ସେଇ କାଠପେଢ଼ିଟା ଆଡ଼କୁ ଇଙ୍ଗିତ କରି କହିଲେ ଏଇଟା ମୋ ସାଲୁନ୍‌; ଏଥିରେ ସବୁ ଅଛି, ତୁମକୁ ଯାହା ଦରକାର ।

**********************************************
ପୂର୍ବ ପ୍ରକାଶିତ ଉତ୍ତାରୁ…

୨.
ମୋ ମନଟା ମାନିଲା ନାହିଁ । ସହରରେ ରହି ଆସିଥିଲି ସେତେବେଳେ । ସାଲୁନ୍‌ରେ ପ୍ରତି ମାସରେ ଥରେ ଯାଇ ବାଳକାଟିବାଟା ଗୋଟିଏ ନିୟମିତ ଅଭ୍ୟାସ ହୋଇଯାଇଥିଲା । ଭଞ୍ଜନଗରର ଜେଲ୍‌ ଆଗରେ ସେତେବେଳେ ଥାଏ ଧାଡ଼ିକି ଧାଡ଼ି ସାଲୁନ୍‌ । କାଠଗୁଡ଼ୁରେ ସବୁ ପ୍ରକାର ସାଜସଜ୍ଜା ସହ ବିଭିନ୍ନ ପ୍ରକାରର ରଙ୍ଗବିରଙ୍ଗ ସାବୁନ୍‌, ତେଲ, ଲୋସନ୍‌, ମଲମ, ସ୍ପ୍ରେ ହେଉଥିବା ପାଣି ବୋତଲ ସବୁ ଶୋଭା ପାଉଥାନ୍ତି ସେଇଠି । ଦର୍ପଣ ଆଉ ଏଇ ଥାକ ଛାଡ଼ିଦେଲେ ସାରା ପରିବେଶ କେବଳ ଚଳଚ୍ଚିତ୍ରମୟ। ଷ୍ଟାର୍‌ ଏଣ୍ଡ୍‌ ଷ୍ଟାଇଲ୍‌, ପିକ୍‌ଚର୍‌ପୋଷ୍ଟ, ଫିଲ୍ମଫେୟାର୍‌, ଫେମିନା, ଷ୍ଟାର୍‌ଡଷ୍ଟ୍‌ ଆଉ ସର୍ବୋପରି ସ୍କ୍ରିନ୍‌ ମାଗାଜିନ୍‌ର ରଙ୍ଗୀନ ମଧୁବାଳା ଠାରୁ ଆରମ୍ଭ କରି ହେମାମାଳିନୀ ଯାଏଁ ସବୁ ଯେପରି ଏଇ ସାଲୁନ୍‌ର ଗ୍ରାହକ ମାନଙ୍କୁ ନିମନ୍ତ୍ରଣ ଦେଉଥିଲେ ଆଉ ପୁଣି ଥରେ ଆସିବା ପାଇଁ ଉସୁକାଉଥିଲେ ମଧ୍ୟ ।

୩.
ମୁଁ କିନ୍ତୁ ଯାଏ ଖଲିଆ ସାଲୁନ୍‌କୁ । ନାମଥିବା ବାଲା ସାଲୁନ୍‌ଟିଏ । ହେଲେ ମୁଁ ଏଇଥିପାଇଁ ଯାଏ ଯେ ସେହି ସାଲୁନ୍‌ରେ ଚାରିଆଡ଼େ ଅମିତାଭ୍‌ ବଚନ୍‌ଙ୍କ ବଡ଼ ବଡ଼ ପୋଷ୍ଟର୍‌ ସବୁ ଲଗାଯାଇଥାଏ । କେଉଁଠି କାଲା ପଥର୍‌ର କୋଇଲା କଳାମୁହ୍ଁ ବାଲା ଅମିତାଭ୍‌ ତ କେଉଁଠି ସୁଟ୍‌ବୁଟ୍‌ ପିନ୍ଧା କାଲିଆ ଅମିତାଭ୍‌; କେଉଁ କୋଣରେ ରେଖାସହ ମିଷ୍ଟର୍‌ ନଟବର୍‌ଲାଲର ରୋମାଣ୍ଟିକ୍‌ ଛବିଟିଏ ତ କେଉଁଠି ଜିନତ୍‌ ଅମନ୍‌ଙ୍କ ସହ ଡନ୍‌ବାଲା ପୋଜ୍‌। ମୁଁ ନିଜର ବାଳକଟୋଉଥିବା ସମୟରେ ଏଇ ସବୁ ଛବି ଦେଖିବାଟା ମୋର ପ୍ରଧାନ କାମଥିଲା। ଖଲିଆ ମୋର ବାଳକାଟିଲା ବେଳେ ଆମେ ଢେର୍‌ କଥା ହେଉ ଅମିତାଭ୍‌ ବଚନ୍‌ଙ୍କ କଥା ଆଉ ଅଭିନୟ ବିଷୟରେ। ଖଲିଆ ମୋତେ ଭଲଲାଗେ ଏଥିପାଇଁ ଯେ ସେ ନିଜେ ଗୋଟିଏ ହିରୋ ଭଳି ସଜାଇ ହୋଇ ରହିଥିବ । ବାଳକାଟିବାକୁ ଆସିବା ଲୋକ ତାଠାରୁ ଆଭିଜାତ୍ୟରେ କମ୍‌ ଦିଶୁଥିବେ ।

୪.
ଏଇମିତି ବି ଥରେ ହୋଇଥିଲା ଯେ ଭଞ୍ଜନଗର ମହାବିଦ୍ୟାଳୟର ଜନୈକ ବହ୍ବାଡ଼ମ୍ବରପ୍ରିୟ ଅଧ୍ୟାପକ ଏକ ବିଦେଶ ଆମଦାନୀ କନାର ଅଙ୍ଗିଟିଏ ପିନ୍ଧି ସେଦିନ ଆସିଥିଲେ ସାଲୁନ୍‌କୁ । ତାଙ୍କ ଅଙ୍ଗି ବିଷୟରେ କେହି ଜଣେ ପଚାରିଲା; ବାସ୍‌ ସେଇଠୁ ସେ ଆରମ୍ଭ କଲେ ତାର ଆମଦାନୀର ଇତିହାସ ଆଉ ତାର ସମସ୍ତ ଗୁଣବତ୍ତା । ସେ ଆହୁରି କହି ଚାଲିଲେ ଏହା କିପରି ବିମାନବନ୍ଦରରେ ସମସ୍ତ ଅଧିକାରୀଙ୍କୁ ଚକ୍‌ମା ଦେଇ ତାଙ୍କ ପାରିବାର ଶଳା ତାଙ୍କ ପାଇଁ ଆମେରିକାରୁ ଧରି ଆସିଥିଲା ।

୫.
ଏହି କଥା ହେଉଥିବା ସମୟରେ ସେ ନିକଟରେ ମା ବାଗ୍‌ଦେବୀ ଟି ଷ୍ଟଲ୍‌ କରିଥିବା ସୁଶିକ୍ଷିତ ଜଗଦୀଶକୁ ଗୋଟିଏ ସ୍ପେଷାଲ୍‌ ଟି ଅର୍ଡ଼ର୍ କରିଥିଲେ ଆଉ ଏକ୍ସଟ୍ରା ତାଜ୍‌ ଟି ଡଷ୍ଟ ଦେବାକୁ ତର୍ଜ୍ଜନୀ ନିର୍ଦ୍ଦେଶ କରି କହିଥିଲେ । ଚାହା ପିଇ ସେ କହିଲେ ଏଇ ଚା, ମାନେ ସ୍ପେଷଲ୍‌ ଚା ପିଇବା ପାଇଁ ମୁଁ ଲଣ୍ଡେଇ ସାହିରୁ ଚାରି କିଲୋମିଟର ବାଟ ଏହି ବଜାଜ ଚେତକକୁ ଧରି ଆସୁଛି । ଏହାର ସ୍ୱାଦ ଯିଏ ପିଇଛି ସିଏ ଜାଣିଛି। ଏହି ସ୍ପେଷଲ୍‌ ଚାହାର ସ୍ୱାଦ ଅବଶ୍ୟ ମୁଁ କେଭେ ଚାଖିନାହିଁ।

୬.
ହେଲେ ସେଦିନର ସବୁ ଦୃଶ୍ୟାବଳୀ ଏବେବି ମୋର ମନେ ଅଛି। ନିଜର ଅଙ୍ଗି ବିଷୟରେ ଆହୁରି କଣ ସବୁ କହିଥାନ୍ତେ ବୋଧେ ହେଲେ ଏହି ସମୟରେ ନିଜର ଆଟ୍‌ଲାସ୍‌ ସାଇକେଲ୍‌ରେ ଖଲିଆକୁ ସେହି କନାର ଅଙ୍ଗି ପିନ୍ଧି ଆସୁଥିବାର ଦେଖି ତାଙ୍କ ମୁହଁ ତୋବଡ଼ା ବନ୍ଧା ଭଳି ହୋଇଗଲା । କଥାକୁ ବାଆଁରେଇବାକୁ ଯାଇ ସେ ନିଜର ଦାନ୍ତନିକୁଟି ଖଲିଆ ଆଡ଼କୁ ଅନାଇ କହିଲେ, ଆରେ ବାବୁ ଜଲ୍‌ଦି କର । ଆଜି ବହୁତ ଜରୁରୀ ସଭାଟିଏ ଅଛି ଏଣୁ ଜଲ୍‌ଦି ଯିବାକୁ ହେବ । ଏହା କହି ସେ ଲଥ କରି ସାଲୁନ୍‌ର ଗୋଟିଏ ଗଦିଥିବା ଚୌକୀରେ ବସି ପଡ଼ିଲେ । ତାଙ୍କ କାମସାରି ସେ ଚାଲିଗଲେ ।

ସେ ଗଲାପରେ ଖଲିଆର ଜଣେ ସହକର୍ମୀ , ଜଗଦୀଶକୁ ଅନାଇ କହିଲେ,
କଣହୋ ପେସଲ୍‌ ଆଜି ବି ପିଆଇଦେଲ ଢୋଲବାବୁଙ୍କୁ ?

୭.
ତା’ପରେ ଦୁହେଁ ବହେ ହସାହସି ହେଲେ । ଖଲିଆ ନିଜର ସହକର୍ମୀଙ୍କୁ ଆକଟ କଲା ଆଖି ଦେଖାଇ, ଆଉ ମୁଣ୍ଡ ହଲେଇ କହିଲା ,
ନା ସେମିତି କରନା ପଞ୍ଚା ଜମା ଭଲନୁହେଁ। କଷ୍ଟମର୍‌ଙ୍କ ସାଙ୍ଗରେ ଜମା ନୁହେଁ ।

ଖଲିଆ ସମସ୍ତଙ୍କ ମନ ଧରିରଖି ଚଳେ । ମୋର ପାଳି ଆସିଲା ମୁଁ ଚଉକି ଉପରେ ବସିଲି । ମୋ ପାଇଁ ସେ ସଦାବେଳେ ଭଲ ଟର୍କିସ୍‌ଟିଏ ସେ ବାହାର କରେ ଗୋଟିଏ ଛୋଟ ବାକ୍‌ସ ଭିତରୁ। ମୋବାଜ୍‌ ତାଲା ସଦାବେଳେ ଝୁଲୁଥିବ ସେଇ ପେଢ଼ି ଉପରେ। ତା’ର ଚାବି ସଦାବେଳେ ଖଲିଆ ନିକଟରେ। ମୋର ବାଳକଟା ଆରମ୍ଭ ହେଲା । ଆଜି ଆଉ ଅମିତାଭ୍‌ ବଚନ୍‌ ଆଡ଼କୁ ନ ଅନାଇ ଅତି କୁତୁହଳର ସହ ଖଲିଆ କୁ ପଚାରିଲି,
ଏ ସ୍ପେଷଲ୍‌ ଚା ର ରହସ୍ୟ କ’ଣ ଆଉ ଢୋଲ ବାବୁ କଣ ? ଏ ମହାଶୟଙ୍କ ନାମତ ଆଉ କିଛି ବୋଲି ମୁଁ ଜାଣେ ।

ଖଲିଆ ଟିକେ ସ୍ୱରଟାକୁ ଧିମେଇ କହିଲା,
ବୁଝିଲେ କି ଭୂୟାଁ ବାବୁ, କାହାରିକୁ କହିବେନି ମୁଁ କହିଛି ବୋଲି । ହେଲେ ପ୍ରକୃତ କଥା ଏହିକି ଯେ,
ଜଗଦୀଶର ଦୋକାନରୁ ଏ ସାରେ ସଦାବେଳେ ବାକି ଖାଆନ୍ତି ଆଉ ମନ ପାଇଥିଲେ ଚାରିମାସ କେବେ ଛଅ ମାସରେ ପଇସା ଦିଅନ୍ତି । ସେଇଟା ପୁଣି ଅଧା । ଏଣୁ ଜଗଦୀଶ କିଛି କହିପାରେନି ତାଙ୍କୁ । ହେଲେ ସ୍ପେଷଲ୍‌ ଚା ନା’ରେ ଅସୁଆଦ ଚାହା ହିଁ ଦିଏ ହେଲେ ସେଇ ଚାହା ଏବେ ସାର୍‌ଙ୍କ ପାଇଁ ସ୍ପେଷଲ୍‌ ।

ମୁଁ ନବୁଝି ପାରି ପୁନଶ୍ଚ ଏହି ଅପୂର୍ବ ଚାହାର ଇତିହାସ ଜାଣିବାକୁ ଚେଷ୍ଟାକଲି । କାରଣ ମୁଁ ବୁଝିପାରୁନଥିଲି ଯେ ଅସୁଆଦ ଚାହା କିପରି ସ୍ପେଷଲ୍‌ ହୋଇପାରେ ?

ବର୍ତ୍ତମାନ ହସକୁ ଢୁକି, ପାନକୁ ଥୁମ୍ପି ଖଲିଆ କହିବାକୁ ଆରମ୍ଭ କଲା…
(କ୍ରମଶଃ)
**********************************************
-ପ୍ରଭୂ

[...
ଆଜି ନା ପରଭା ଅଛି ନା ଖଲିଆ, ନା ଭଗିଆ ଅଛି ନା ବୁଧିଆ;
ନହୁରୁଣି ପେଢ଼ି ଧରି କୌଳିକ ବୃତ୍ତିକୁ ଆପଣେଇ ଥିବା ଏହି ଭଳି କେତେ ଭାଇ ଭଉଣୀ ଆଜି ହଜିଗଲେଣି ଏଇ ଯୁଗର ଆଧୁନିକ ଯନ୍ତ୍ର ଆଉ ମନ୍ତ୍ର ଆଗରେ । ଜନସଂଖ୍ୟା ବଢ଼ୁଛି, ଆବଶ୍ୟକ ବଢ଼ୁଛି ଆଉ ବଢ଼ୁଛି ସେହି ପରିମାଣରେ ସାଧାରଣ ଜନତାଙ୍କ ସମସ୍ୟା । ତାଙ୍କ ହାତଗଢ଼ା / ହାତକରା ସବୁ ପେଟର ଭୋକ ଆଉ ଦେହର କନା ପାଇଁ କମ୍‌ ପଡୁଛି ।

ଏବେବି ମାଗୁଣୀର ଶଗଡ଼ ମନରେ ଅଛି;
ମାଗୁଣୀ ଆଉ ପରଭାଙ୍କ ବଂଶଧର ଏବେ କିଏ କଣ କରୁଛନ୍ତି ତା’ର କିଛି ଖବର ନାହିଁ ।

ଟରୋଣ୍ଟୋରେ ରହିବାର ତିନି ବର୍ଷ ହୋଇଗଲାଣି, ଦିନେ ବି ସାଲୁନ୍‌ ଭିତରକୁ ଯାଇନାହିଁ । ଯେତେବେଳେ ନିଜେ ଗାଧୁଆ ଘରେ ବାଳ କାଟେ ଅବା ଲଣ୍ଡା ହୁଏ ସେତେବେଳେ ଏମାନେ ସବୁ ମନେ ପଡନ୍ତି ।

ସେମାନଙ୍କର ଏହି ଦୁର୍ଦ୍ଦିନ ପାଇଁ ଆମେ ହିଁ ସମପରିମାଣରେ ଦାୟୀ ଏହା ମୁଁ ହୃଦୟଙ୍ଗମ କରିଥାଏ ।

ମୋର ଏଇ କାହାଣୀ ସେଇ ପରଭାମାନଙ୍କ ପାଇଁ...!!!

... “ପ ର ଭା” ଗଳ୍ପର କିୟଦଂଶ...!!!]

Share in top social networks!