ଚତୁର୍ଦଶ ଓଡିଶା ବିଧାନସଭାର ଏକାଦଶ ଅଧିବେଶନ ଶେଷ, ୨୧ ଦିନରେ ୧୬ ବିଧେୟକ

ଚତୁର୍ଦଶ ଓଡିଶା ବିଧାନସଭାର ଏକାଦଶ ଅଧିବେଶନ ଆଜି ଶେଷ ହୋଇଛି | ବାଚସ୍ପତି ପ୍ରଦୀପ କୁମାର ଅମାନତ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି | ଅଧିବେଶନ କାଳରେ ବିରୋଧୀ ଦଳ ଦ୍ଵାରା ଉଠାଯାଇଥିବା ବିଭିନ୍ନ ପ୍ରସଙ୍ଗ କୁ ନେଇ ଗୃହକୁ ବହୁବାର ମୁଲତବୀ କରିବାକୁ ପଡିଥିଲା | ୨୧ ଦିନ ବ୍ୟାପି ଏହି ଶୀତ ଅଧିବେଶନରେ ୧୭ଟି ସରକାରୀ କାର୍ଯ୍ୟ ଦିବସ ଥିବା ବେଳେ ୪ଟି ବେସରକାରୀ କାର୍ଯ୍ୟ ଦିବସ ଥିଲା |

21 FRIDAY ASSAMBLY VEW (10)ଗତ ମାସ ୨୭ ତାରିଖ ରୁ ଏହି ଅଧିବେଶନ ଚାଲିଥିଲା | ପ୍ରଥମ ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ , ଓଡିଶାର ପୂର୍ବତନ ରାଜ୍ୟପାଳ ,ଦୁଇ ଜଣ ପୂର୍ବତନ ମନ୍ତ୍ରୀ ,୪ ଜଣ ପୂର୍ବତନ ଓ ୭ ଜଣ ସାମରିକ କର୍ମଚାରୀ ଓ ପୁଲିସ କର୍ମଚାରୀ ଓ ପୁଲିସ କର୍ମକାରୀ ଙ୍କ ବିଯୋଗରେ ଶୋକ ପ୍ରସ୍ତାବ ଗୃହରେ ପାରିତ ହୋଇଥିଲା | ଚାଷୀ ଓ ଚାଷ ପ୍ରସଙ୍ଗ ସମଗ୍ର ଅଧିବେଶନ କାଳରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ହୋଇଥିଲା | ଅଧିବେଶନ କାଳରେ ୨୭୭୬ ଟି ତାରକା ଚିହ୍ନୀତ ପ୍ରଶ୍ନ ର ଉତ୍ତର ପ୍ରତ୍ୟାଶା କରାଯାଇ ଥିବା ବେଳେ ପୁରୁଣା ଉତ୍ତରକୁ ମିଶାଇ ମୋଟ ୪୦୧୨ଟି ଉତ୍ତର ଦିଆଯାଇ ଥିଲା | ଅଧିବେଶନ କାଳରେ ଗୋଟିଏ ସ୍ୱଳ୍ପ ମିଆଦି ପ୍ରଶ୍ନ ର ନୋଟିସ ଗ୍ରହଣ, ୧୮ଟି ମୁଲତବୀ ପ୍ରସ୍ତାବ ନୋଟିସ ଗ୍ରହଣ ,୫ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା , ୬୦ଟି ଦୃଷ୍ଟି ଆକର୍ଷଣକାରୀ ନୋଟିସ ଉପରେ ବିବରଣୀ ପ୍ରଦାନ କରାଯାଇ ଥିଲା |

ସେହି ଭଳି ୩୩ଟି ସ୍ଵତନ୍ତ୍ର ଆଲେଖ୍ୟ ଉତ୍ଥାପନ, ୧୯ଟି ନିବେଦନ ଉପସ୍ଥାପନ, ୨୭ଟି କାଗଜର ଉପସ୍ଥାପନ ହୋଇଥିବା ବେଳେ ୩ଟି ଉପରେ ବିବରଣୀ ପ୍ରଦାନ କରାଯାଇ ଥିଲା | ଏହା ସହିତ ଅଧିବେଶନ କାଳରେ ୧୨ଟି ବାର୍ଷିକ ରିପୋର୍ଟ, ୬ଟି କମିଟି ରିପୋର୍ଟ, ୮ଟି ସରକାରୀ ବିଧେୟକ ପ୍ରସ୍ଥାପନ ସହ ଗୋଟିଏ ବେସରକାରୀ ବିଧେୟକ ଉପରେ ଆଲୋଚନା କରାଯାଇ ଥିଲା | ଏହି ସମୟ ମଧ୍ୟରେ ମୋଟ ୧୬ଟି ସରକାର ବିଲ୍ ପାରିତ ହୋଇଥିଲା | ବିଶେଷ ଆଲୋଚନା ବିନା ଓଡିଶା ନୌ ପରିଷଦ ଆଇନ, ୨୦୧୨ ଏବଂ ଓଡିଶା ସମବାୟ ସଂସ୍ଥା (ସଂଶୋଧନ ବିଲ୍), ୨୦୧୨ ପାରିତ ହୋଇଛି |

ଅନ୍ୟାନ୍ୟ ବିଲ୍ ମଧ୍ୟରେ ଓଡିଶା ଦ୍ଵିତୀୟ ବ୍ୟୟ ମଞ୍ଜୁରୀ ବିଲ୍, ୨୦୧୨, ଓଡିଶା ମୁସଲିମ୍ ବିବାହ ଓ ବିଛେଦ ପଞ୍ଜୀକରଣ (ସଂଶୋଧନ) ବିଲ୍ ,୨୦୧୨, ଓଡିଶା ସହରୀ ଯୋଜନା ଓ ବିକାଶ ଟ୍ରଷ୍ଟ ସଂଶୋଧନ ବିଲ୍, ୨୦୧୨, ଭାରତୀୟ ଷ୍ଟାମ୍ପ ଓଡିଶା ସଂଶୋଧନ ବିଲ୍, ୨୦୧୨,ନିଗୋସିଏବୁଲ୍ ଇନ୍ସଟ୍ରୁମେନ୍ଟ ଆଇନ, ୧୯୮୧ ର ସଂଶୋଧନ, ଓଡିଶା ବ୍ୟୟ ମଞ୍ଜୁରୀ ବିଲ୍ (ତୃତୀୟ), ୨୦୧୨,ଓଡିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଲ୍, ୨୦୧୨, ଓଡିଶା ସାମୁଦ୍ରିକ ପରିଷଦ ବିଲ୍, ୨୦୧୨,ଓଡିଶା ପୌର (ସଂଶୋଧନ) ବିଲ୍, ୨୦୧୨, ଓଡିଶା ମହାନଗର ନିଗମର (ସଂଶୋଧନ) ବିଲ୍, ୨୦୧୨, ଓଡିଶା ସମବାୟ (ସଂଶୋଧନ) ବିଲ୍, ୨୦୧୨, ଓଡିଶା ପୌରନିଗମ (ଦ୍ଵିତୀୟ ସଂଶୋଧନ) ବିଲ୍, ୨୦୧୨,ଏବଂ ଓଡିଶା ଉନ୍ନୟନ କତୃପକ୍ଷ (ସଂଶୋଧନ) ବିଲ୍, ୨୦୧୨ ଆଦି ଗୃହର ମଞ୍ଜୁରୀ ଲାଭ କରିଛି |

Share in top social networks!