ଲୋକସମ୍ପର୍କ ବିଭାଗର କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରାଯିବ-ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ

images
ଦାୟିତ୍ଵ ଗ୍ରହଣ କଲାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଲୋକସମ୍ପର୍କ ଭବନ ଠାରେ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସଫଳତାର ସହ ଲୋକମାନଙ୍କ ନିକଟରେ ପହଞ୍ଚାଇ କାରିଥିଲେ ମଧ୍ୟ ଆଗାମୀ ଦିନରେ କିପରି ବିଭାଗକୁ ଅଧିକ ଚଳଚଞ୍ଚଳ କରାଯାଇପାରିବ ସେ ଦିଗରେ ଆବଶ୍ୟକୀୟ କାର୍ଯ୍ୟ କରାଯିବ ବୋଲି କହିଥିଲେ । ସରକାରଙ୍କ ଭାବମୂର୍ତ୍ତିକୁ ଅଧିକ ପ୍ରଚାର ପ୍ରସାର କରିବା ସଙ୍ଗେ ସଙ୍ଗେ ସରକାରଙ୍କ ପ୍ରଚଳିତ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ଜନସାଧାରଣ କିପରି ଅଧିକ ଉପକୃତ ହୋଇପାରିବେ ସେଥିପ୍ରତି ଯତ୍ନବାନ ରହିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇବା ସହ ବିଗତ ବିଭାଗଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାବଳୀ ଅବଗତ କରିବାସହ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କୁ ଆହ୍ଵାନ ଦେଇଥିଲେ । ଜୟଦେବ ଭବନ ପରିସରରେ ଅତିରିକ୍ତ ଅଟାଳିକା ନିର୍ମାଣ ଚଳିତ ଆର୍ଥିକ ବର୍ଷ ଭିତରେ ଶେଷ କରିବା ଯୋଜନା ରହିଥିବା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାରଦାସ ପ୍ରାରମ୍ଭରେ ବିଭାଗର କାର୍ଯ୍ୟବଳୀ ଉପରେ ବିଶଦ ଭାବେ ଅବଗତ କରାଇଥିଲେ । ବର୍ତ୍ତମାନ କର୍ମଚାରୀ ନିଯୁକ୍ତି ଏକ ପ୍ରକାର ବନ୍ଦ ହୋଇ ଯାଇଥିବା ଦୃଷ୍ଟିରୁ କର୍ମଚାରୀମାନଙ୍କୁ ଏକାସାଙ୍ଗରେ ଏକାଧିକ କାର୍ଯ୍ୟଭାର ଦାୟିତ୍ଵ ବହନ କରିବାକୁ ପଢୁଥିବା ଏବନ ଏହାଦ୍ୱାରା ସରକାରୀ କାର୍ଯ୍ୟ ବହୁଳ ଭାବେ ପ୍ରଭାବିତ ହେଉଥିବା ସେ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ । ବୈଠକର ଦ୍ଵିତୀୟ ଭାଗରେ ସମସ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ କାର୍ଯ୍ୟକ୍ରମର ସମୀକ୍ଷା କରଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଭଗବାନ ନନ୍ଦ,ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଶଶାଙ୍କ ଶେଖର ପଣ୍ଡା,ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ,ଉପଶାସନ ସଚିବ ଶ୍ରୀ ବିରେନ୍ଦ୍ର ଜର୍ଜରା,ଉପନିର୍ଦ୍ଦେଶକ ଶ୍ରୀ ରାମଶଙ୍କର ବେହେରା,ପ୍ରମୋଦ କୁମାର ମଲ୍ଲିକ,ଇନ୍ଦ୍ରଜିତ ପ୍ରଧାନ,ଶମ୍ଭୁ ଚରଣ ଗୋସ୍ଵାମୀଙ୍କ ସମେତ ସମସ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ସୂଚନା ଅଧିକାରୀ,ବିଭାଗୀୟ ସେକସନ ଅଫିସର,ଡେସ୍କ ଅଫିସର ପ୍ରମୁଖ ଯୋଗଦେଇଥିଲେ ।

Share in top social networks!