ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ; ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ମନ୍ତ୍ରୀଙ୍କ ଗୁରୁତ୍ଵ

Odishan-MAP-5ଆଜି ପୂର୍ବାହ୍ନ ୧୧ ଟା ସମୟରେ ଭୁବନେଶ୍ଵରସ୍ଥିତ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ସମ୍ମିଳନୀ କକ୍ଷରେ ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଉଛଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟଶୈଳୀ ଓ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଭାଗୀୟ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ କରିବା ସହ ଏହାର ଅଗ୍ରଗତି ଓ ସ୍ଵଚ୍ଛତା ସମ୍ପର୍କରେ ମନ୍ତ୍ରୀ ଡକ୍ଟର ପାଣିଗ୍ରାହୀ ସମୀକ୍ଷା କରିଥିଲେ । ଉଚ୍ଚଶିକ୍ଷା ବିଭାଗର ଗୁଣାତ୍ମକ ମାନବୃଦ୍ଧି ,ବିଦ୍ୟାର୍ଥୀ ମାନଙ୍କ ବ୍ୟକ୍ତିତ୍ଵ ର ବିକାଶ ଏବଂ ଉପସ୍ଥାପନା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନିମନ୍ତେ ଅଧ୍ୟାପକ ଅଧ୍ୟାପିକାମାନେ ଅଧିକ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଛାତ୍ରଛାତ୍ରୀମାନେ ଯେ କୌଣସି ଏକ ବିଦେଶୀ ଭାଷାରେ କିପରି ପାରଦର୍ଶିତା ଲାଭ କରିପାରିବେ ସେ ସମ୍ପର୍କରେ ମଧ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଡକ୍ଟର ପାଣିଗ୍ରାହୀ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟଧାରାକୁ ୩ ମାସ ମଧ୍ୟରେ ସଂପୂର୍ଣ୍ଣ କମ୍ପ୍ୟୁଟ୍ରାଇଜେସନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ବିଭାଗ ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରାଧ୍ୟାପକ ଡକ୍ଟର ମିହିର କୁମାର ଦାସ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଉକ୍ତ ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଗଗନ କୁମାର ଧଳ,ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ବେହେରା, ନିର୍ଦ୍ଦେଶକ ଡକ୍ଟର ନୀହାର ରଞ୍ଜନ ପଟ୍ଟନାୟକ,ଯୁଗ୍ମଶାସନ ସଚିବ ଶ୍ରୀ ଅଜୟ କୁମାର ନାୟକଙ୍କ ସହ ଉଚ୍ଚ ପଦସ୍ଥ ଅଧିକାରୀ,ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ପୁସ୍ତକ ଭବନର ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!