ଏମିତି ବି ପୁଅ ଥାନ୍ତି…!!!

10168068_530488520393686_8013726371351424018_n
ଏମିତି ବି ପୁଅ ଥାନ୍ତି…!!!

କଥା କାହାଣୀ ସବୁ ଏଇଠି ଘଟେ ,
ଘରେ, ବାହାରେ, ମୋ ସହ ଆଉ ଆପଣମାନଙ୍କ ସହ ।ଏଇଠି ଘଟଣା ଚରିତ୍ର ସବୁ ସାଧାରଣ ଥାଆନ୍ତି। ହେଲେ କେତେ କଥା ବହୁତ ଅସାଧାରଣ ହୋଇଥାଏ । ମନର ଏକ ନିଛାଟିଆ କୋଣରେ ତୁହାକୁ ତୁହା ଗୁମୁରି ହେଉଥାଏ। ସେଦିନ କ୍ଲାନ୍ତଶ୍ରାନ୍ତ ଶରୀରଟାକୁ ନେଇ ବସ୍‌ରେ ଘରକୁ ଫେରୁଥାଏ । ମୋର ସମ୍ମୁଖରେ ମାଆଟିଏ ଆଉ ପୁଅଟିଏ ବସିଥାନ୍ତି ।
ଧିରେଧିରେ ସେମାନଙ୍କ କଥାବାର୍ତ୍ତା ମୋତେ ମୋ ଅଜାଣତରେ ସେମାନଙ୍କ ଆଲୋଚନାକୁ ଟାଣି ଆଣିଲା। ମୁଁ ଶୁଣିବାରେ ଲାଗିଲି ।

ମାଆ – (ଅତି ବ୍ୟସ୍ତବିବ୍ରତ ହୋଇ ଧୀରସ୍ୱରରେ)
ପିଟର୍‌, ମୁଁ ତୋ ବିଷୟରେ ଭାବି ଅତ୍ୟନ୍ତ ବିବ୍ରତ ଧନମୋର ।
ପିଟର୍‌ – ଏ ମା, ତୁମେ ନିଜକୁ କାହିଁକି ଏଇମିତି ଦୁର୍ବଳ ମନେ କରୁଛ ?
ମାଆ – (ଆଖିରୁ ଲୁହ ଝରାଇ)
ମୁଁ ତୋ ପାଇଁ ଭାବିଭାବି ଏତେ ସରି ହେଉଛି ପୁଅ ।
ପିଟର୍‌ – ମାଆ, ତୁମେ ଜମାରୁ ବ୍ୟସ୍ତ ହୁଅ ନାହିଁ, ମୋ ପାଇଁ ତୁମେ ଅଛ ଆଉ ମୁଁ ତୁମ ପାଇଁ ।
ମାଆ – ମୁଁ ସେ ପାରିକୁ ଚାଲିଗଲା ପରେ ତୋର ଅବସ୍ଥା କଣ ହେବ, ତୋର ଯତ୍ନ କିଏ ନେବ ପୁଅ ?
ପିଟର୍‌ – ଏ ମା, ତୁମେ ସେ ପାରିକୁ ଯିବା ସମୟ ଯଥେଷ୍ଟ ପୂର୍ବରୁ ଜଣା ପଡ଼ିଯିବନା ?
ସେତେବେଳେ ମୁଁ ନିଶ୍ଚୟ ତୁମ ସାଙ୍ଗରେ ଯିବାର ବ୍ୟବସ୍ଥା କରିନେବି ।
ତୁମ ଆଉ ମୋ ଯୋଡ଼ିକୁ କିଏ ଅଲଗା କରି ପାରିବନି । ଏହା ତ୍ରିବାର ସତ୍ୟ ।
ମାଆ – ନା’ରେ ଧନ ମୋର, ତୁ କାହିଁକି ସେପାରିକୁ ଯିବୁ ? ମୁଁ କେଭେଁ ସେମିତି ଚାହିଁବିନି ।
ପିଟର୍‌ – ମାଆ, ଯଦି ଏପାରିରେ ଆମେ ମିଶି ରହିଛେ ତେବେ ସେପାରିରେ ରହିବାରେ ଜମା ଅସୁବିଧା ହେବନାହିଁ ।
ତୁମେ ମୋ ପାଇଁ ଯେପରି ସଦାସର୍ବଦା ଛାଇଭଳି ଲାଗିରହିଛ ମୁଁ ବି ଠିକ୍‌ ସେୟା କରିବି ।
ଏହା କରିବାକୁ ତୁମେ କଣ ଭଗବାନ ମଧ୍ୟ ମୋତେ ଅଟକାଇ ପାରିବେନି ।

ମାଆଙ୍କ ଆଖିରୁ ଧାରଧାର ହୋଇ ଲୁହ ଝରୁଥାଏ ଆଉ ସେ ପୁଅକୁ କୁଣ୍ଢାଇ ଧରି ନିଜ କୋହକୁ ସମ୍ଭାଳିବାର ପ୍ରୟାସ କରୁଥାନ୍ତି ।
ମୋ ଆଖିରୁ ମଧ୍ୟ ଦୁଇଧାର ତତଲା ଲୁହ କେତେବେଳେ ଝରି ମୋ ଓଠଧାରକୁ ଲୁଣିଆ କରିସାରିଥିଲେ, ଜାଣିପାରିନଥିଲି ।

ସୁଧିଜନେ,
ଏହା କୌଣସି କଳ୍ପନାପ୍ରସୂ କଥାକାହାଣୀ ନୁହେଁ, ମୋ ନିଜ ଅନୁଭୂତିର ସତ୍ୟ ଘଟଣାଟିଏ ।
ଆପଣ ଏହା ହୃଦୟଙ୍ଗମ କରନ୍ତୁ ଯେ ମୁଁ ଏହା କାହିଁକି ଆପଣଙ୍କ ନିକଟରେ ପ୍ରକାଶ କରୁଅଛି ।
ପୁଅଟି ର ବୟସ ୧୮/୨୦ ବର୍ଷ ଆଉ ସେ ଜଣେ ମାନସିକ ରୋଗୀ । ସେ ଠିକ୍‌ରେ କଥାବାର୍ତ୍ତା କରିପାରୁନଥିଲେ ।
ପାଟିରୁ ଲାଳଜାବ ଗଡ଼ାଇ ଗୋଟିଏ ପଟକୁ ଢ଼ଳି ରହିଥିଲେ ।
ଯେତେବେଳେ, ଲକ୍ଷଲକ୍ଷ ଟଙ୍କା ରୋଜଗାର ଆଉ ସୁସ୍ଥ ସବଳ ଶରୀର ଥାଇ ମଧ୍ୟ କେତେଜଣ ନିଜର ଗୁରୁଜନଙ୍କୁ ହତାଦର କରିବାରେ ପଛଘୁଞ୍ଚା ଦେଇନଥାନ୍ତି,
ସେହି ପରିପ୍ରେକ୍ଷୀରେ ପୁଅଟି ନିଜେ ମାନସିକ ବିକାରଗ୍ରସ୍ତ ହୋଇ ମଧ୍ୟ ନିଜର ଏହି ସସ୍ନେହ ଭରସା ଆଉ ଏହିଭଳି ଉତ୍ତମ ମାନବଚେତାର ପରିଚୟ ଦେଇଥିଲେ ।
ଏହାହିଁ ମୋର ମନକୁ ଛୁଇଁ ଯାଇଥିଲା ।

Share in top social networks!