ଓଡିଶା ରାଜ୍ୟ ଔଷଧ ନିଗମକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ ହେବ ଇ-ବ୍ୟବସ୍ଥା ମାଧ୍ୟମରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ

download
ରାଜ୍ୟ ସରକାର ଗଠନ କରିଥିବା ଓଡିଶା ରାଜ୍ୟ ଔଷଧ ନିଗମ ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ । ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କୁ ଚିକିତ୍ସା ନିମନ୍ତେ ଆସୁଥିବା ସମସ୍ତଙ୍କୁ ଚିକିତ୍ସା ସେବା ସହିତ ମାଗଣାରେ ସମସ୍ତ ପ୍ରକାର ଆବଶ୍ୟକୀୟ ଔଷଧ ଯୋଗାଇ ଦେବା ପାଇଁ ଗ୍ରହଣ କରିଥିବା ନିଷ୍ପତ୍ତିକୁ ସୁଚାରରୂପେ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ନିଗମ ଗଠନ କରାଯାଇଛି । ଗତ ନଭେମ୍ବର ୮ ତାରିଖରେ ଏହି ନିଗମ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାରେ ବର୍ତ୍ତମାନ ଏହାକୁ କାର୍ଯ୍ୟକ୍ଷମ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଏ ନେଇ ଆଜି ସମିକ୍ଷା କରିଛନ୍ତି । ନିଗମର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚଳିତ ମାସ ସୁଦ୍ଧା ସଂପୂର୍ଣ୍ଣ ହେବ । ପ୍ରାରମ୍ଭରୁ ନିଗମର ସମସ୍ତ କାର୍ଯ୍ୟ ଇ-ବ୍ୟବସ୍ଥା ମାଧ୍ୟମରେ କରାଯିବ । କାଗଜ ବିହୀନ କାର୍ଯ୍ୟାଳୟ ଭାବେ ଏହା କାର୍ଯ୍ୟକରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ତାମିଲନାଡୁରେ ଗଠନ କରାଯାଇଥିବା ନିଗମ ଏବଂ ତାକୁ ସଫଳ କରାଇଥିବା ତତ୍କାଳୀନ ତାମିଲନାଡୁ ସ୍ୱାସ୍ଥ୍ୟ ବିଭାର ପ୍ରମୁଖ ସଚିବ ଶ୍ରୀ ଆର.ପୂର୍ଣ୍ଣଲିଙ୍ଗମଙ୍କୁ ଏହି ନିଗମ ବୋର୍ଡରେ ନିର୍ଦ୍ଦେଶକ ଭାବେ ବିଆଯାଇଛି । ବର୍ତ୍ତମାନ ନିଗମର କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରାରମ୍ଭରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିଗମ ଗଠନ ସଂପର୍କରେ ଆଲୋକପାତ କରି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ନିଗମର ପରିଚାଳନା ନିର୍ଦ୍ଦେଶକ ରୂପା ମିଶ୍ର ନିଗମର କାର୍ଯ୍ୟକ୍ଷମ ହେବା ନେଇ ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି,ଆବଶ୍ୟକତା ଆଦି ସଂପର୍କରେ ବିସ୍ତ୍ରୁତ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଆଇ.ଶ୍ରୀନିବାସ,ସାଧାରଣ ପ୍ରଶାସନ ବିଭାଗ,ଅର୍ଥ ବିଭାଗ,ସରକାରୀ ଉଦ୍ୟୋଗ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME