ସମସ୍ୟାର ପ୍ରଶ୍ନ ସମସ୍ୟାର ସମାଧାନ ନୁହେଁ…!!!

1621865_496898993752639_1286558790_nଦେବଦେବୀଙ୍କ ନିକଟରେ ବଳୀ ଦେବା ହେଉ କି ଅନ୍ୟ ପୂଜା ପଦ୍ଧତି ହେଉ ଏହାର ପଛରେ କୌଣସି ନା କୌଣସି କାରଣ ଥାଇପାରେ; ଯାହାକି ସତ୍ୟଅସତ୍ୟ, ଜ୍ଞାନଅଜ୍ଞାନ, ପ୍ରଭୃତିର ଗାନ୍ଧାରୀ ଅନ୍ଧପୁଟୁଳିରେ ବନ୍ଧା । ଦେବଦେବୀଙ୍କ ନାମରେ ନୀରିହ ପଶୁବଳି ହେଉ ଅଥବା ପୂଜାସାମଗ୍ରୀ ନାମରେ କୋଟିକୋଟି ଟଙ୍କାର ଖାଦ୍ୟପଦାର୍ଥ ନଷ୍ଟ କରିବା ହେଉ; ଏହା ନିଶ୍ଚିତ ରୂପେ ଚିନ୍ତାର ବିଷୟ ।

“ଦେବୀଙ୍କ ନିକଟରେ ପଶୁବଳି” ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହାର ଆଲୋଚନା କଲେ ବିଭିନ୍ନ ବ୍ୟକ୍ତି ଏହାକୁ ବିଭିନ୍ନ ଅର୍ଥରେ ନେଇ ପାରନ୍ତି। ଏଣୁ ଏହା ଏକ ସ୍ୱତନ୍ତ୍ର ଚିନ୍ତାଧାରା ନେଇ ଆଲୋଚନା କଲେ ଏହାର ଆଶୁ ସମାଧାନ ହେବ । ଏହା ଗାଈକୁ ମାଇଲେ ମଲି, ଗାଈ ମାଇଲେ ମଲି ଭଳି ବ୍ୟାପାର ।

ଷ୍ଟାର୍‌ ହୋଟେଲରେ ହେଉ ବା ଘରେ ହେଉ, ଚିକେନ୍‌/ମଟନ୍‌ ତଥା ଅନ୍ୟ ଆମିଷ ଦ୍ରବ୍ୟ ଖାଇବା ଏକ ଅଲଗା ପ୍ରସଙ୍ଗ । ଏଣୁ କଥାରେ କୁହାଯାଏ ମାଛ କାହାର ନଖାଇ ଜଗତର ବଇରୀ। ପୃଥିବୀର ଜନସଂଖ୍ୟା ବୃଦ୍ଧି ଆଉ ତାକୁ ତାଳଦେଇ ଚାଷବାଷର ଜମିର ହ୍ରାସ ହେବା କଥାକୁ ନେଇ ଏ କଥାର ବିଚାର କରିବାକୁ ହେବ । ବର୍ତ୍ତମାନ ପୃଥିବୀର କୃଷିଜାତ ଦ୍ରବ୍ୟର ପରିମାଣ ଆଉ ହୁ ହୁ ହୋଇ ବଢୁଥିବା ଜନସଂଖ୍ୟାକୁ ଦେଖିଲେ ଜଣାପଡ଼େ ଯେ ନିରାମିଷ ଦ୍ରବ୍ୟର ଉତ୍ପନ୍ନ ଅତି ନଗଣ୍ୟ । ଏଣୁ ସମସ୍ତେ ବିଚାର କରିବା ଉଚିତ ଯେ ପନିପରିବା ଆସିବ କେଉଁଠୁ, କିପରି, କେବେ…!!!

ଧର୍ମନାମରେ ପଶୁବଳୀର ସପକ୍ଷରେ ମୁଁ କେଭେହେଁ ନଥିଲି ଅବା ରହିବି ନାହିଁ । ପୂଜାପଦ୍ଧତିରେ ଏହି ବଳିପ୍ରଥାର ପ୍ରବେଶ କେଉଁମାନେ, କିପରି କେବେ କଲେ ତାହା ଧର୍ମପୀଠର ଅଧିକାରୀମାନଙ୍କୁ ପଚରା ଯାଉ ଆଉ ତାକୁ ଧରି ସମସ୍ୟାର ସମାଧାନ କରାଯାଉ ।

ଏଥୁଅନ୍ତେ, ଯଦି କୌଣସି ବିଗଳିତ ବ୍ୟକ୍ତିମାନେ ଷ୍ଟାର୍‌ ହୋଟେଲରେ ଚିକେନ୍‌ ମଟନ୍‌ ଖାଇ ବେଶ ଆମୋଦିତ ହେବାକୁ ଯଦି ଆମେ ବନ୍ଦ କରିବାକୁ ଚାହିଁବା ତେବେ ସମଗ୍ର ବିଶ୍ୱବାସୀଙ୍କ ଶରୀର ଧାରଣ ନିମନ୍ତେ ଭୂମି, ଶସ୍ୟ, ଖାଦ୍ୟପେୟର ବ୍ୟବସ୍ଥା କିପରି ହେବ ସେହି ବିଷୟରେ ଲେଖକଙ୍କ ଦ୍ୱାରା ପ୍ରଥମେ ଆଲୋକପାତ କରାଯାଇ, ତାହାର ସଫଳତା ଯଦି ସମ୍ଭବ ତେବେ ଏହି ପ୍ରସଙ୍ଗକୁ ନେଇ ଏକ ଜନସଚେତନର ପ୍ରାରମ୍ଭ କରାଯାଉ। ଭଲ ହେବ ।

ଘରେ ଡୁଙ୍ଗେଇ ଲୁଗାବହି କାଟୁଛି କହି ଡେଇଁଲେ ହେବନି; ଯନ୍ତା କିଣି ସେଥିରେ ଶୁଖୁଆ ହେଉ ବା ବାଇଗଣ ଗଡ଼ି, ରଖିବାକୁ ହେବ। ଏଣୁ କେବଳ ସମସ୍ୟାକୁ ଆଣି ମଞ୍ଚରେ ଥୋଇଲେ ହେବନାହିଁ ତାହାର ସମାଧାନ ଉପାୟ ମଧ୍ୟ ବୁଝେଇବାକୁ ହେବ । ଜ୍ଞାନୀଗୁଣିମାନେ ଏହି କଥାକୁ ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ ।

ଏହା ମୋର କୌଣସି ସମାଲୋଚନା ମୂଳକ କଟୁକ୍ତି ନୁହଁ; ବରଂ ଏକ ପ୍ରାଥମିକ ଆଲୋଚନା । ଏହାର ଅନେକ ସମାଧାନ ଉପାୟ ଅଛି ଆଉ ଏହା ନିର୍ଦ୍ଦିଷ୍ଟ ସ୍ତର ଓ ସୋପାନରେ ହେବାକୁ ପଡ଼ିବ। ଏହାକୁ କଦର୍ଥ ନକରିବାକୁ ଅନୁରୋଧ। ମୁଁ ଏହା ଜାଣେ ଯେ, ଯଦି ସମସ୍ୟା ଅଛି ତେବେ ସମାଧାନ ମଧ୍ୟ ଅଛି। ସମସ୍ତଙ୍କ ମିଳିତ ଆଲୋଚନା, ଆଉ ପ୍ରକୃତ ସମାଧାନକୁ ନେଇ ଆଗକୁ ବଢ଼ିବାକୁ ହେବ।

- ପ୍ରଭୂ

[ "କହିଲେ...କହୁଛି...କହିଲା...ବୋଲି" ସଙ୍କଳନର "ଯା ଦେବୀ ସର୍ବ ଭୂତେଷୁ"ର କିୟଦଂଶରୁ ସଂଗୃହୀତ]
**********************************************
ପୁଷ୍ପିକା ରେ ଏତିକି କହିବି ଯେ…!!!

୧. ସୁଧୀ ପାଠକେ,ଏହା ଏକ ସମ୍ବେଦନଶୀଳ ବିଷୟ କୁ ଆଧାର କରି ଲେଖା ଯାଇଅଛି । ଏହି କାହାଣୀର ଭାବଗତ ଦିଗକୁ ଧ୍ୟାନ ରଖି ଏହାକୁ କୌଣସି ଅନ୍ୟର୍ଥବୋଧରେ ନନେବାକୁ ଅନୁରୋଧ । ଏହି କାହାଣୀରେ କାହାରିକୁ ଆକ୍ଷେପ ଅଥବା କଦାଚିତ କାହାରି ଅପମାନ ଉଦ୍ଦେଶ୍ୟରେ ଲେଖା ଯାଇନାହିଁ।ଏଣୁ କୌଣସି କଦର୍ଥମୂଳକ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ ଅନୁରୋଧ ।

୨. ଲେଖିବା ସମୟରେ କେତେବେଳେ – କେତେଥର – କେଉଁଠି ହୁଏତ ଅନିଚ୍ଛାକୃତ – ମୁଦ୍ରଣଗତ – ବ୍ୟାକରଣଗତ ତ୍ରୁଟି ରହିଯାଇଥାଇପାରେ । ଏହି ସବୁକୁ ହୃଦୟଙ୍ଗମ କରି ରଚନାର ଭାବଗତ – ଗୁଣଗତ – ଶବ୍ଦଗତ ସାହିତ୍ୟକୁ ଆପଣ ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ । ଏହି ସବୁ ତ୍ରୁଟି ମୋର ଦୃଷ୍ଟିକୁ ଆଣିଲେ, ମୁଁ ପରବର୍ତ୍ତୀ ସଂସ୍କରଣରେ ଏହି ସବୁକୁ ସୁଧାରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।

ଧନ୍ୟବାଦ..!!

ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!

ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

ପ୍ରଶାନ୍ତ କୁମାର ଭୂୟାଁ,
ଭାଙ୍କୁଭର୍‌, ବ୍ରିଟିଶ୍‌ କଲମ୍ବିଆ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

- ପ୍ରଭୂ

Share in top social networks!