ପିପିପି ମୋଡରେ ଗଜପତି ଓ ରାୟଗଡା ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ଓ ହସ୍ପିଟାଲ

MAP-2
ଗଜପତି ଓ ରାୟଗଡା ଠାରେ ସରକାରୀ ଘରୋଇ ସହଭାଗୀତାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହି ମେଡିକାଲ କଲେଜରେ ୧୦୦ ଏମ୍.ବି.ବି.ଏସ୍ ସିଟ ଏବଂ ଡାକ୍ତରଖାନା ୫୦୦ଶଯ୍ୟା ବିଶିଷ୍ଟ ହେବ । ଓଡିଶାର ଆଦିବାସୀ ବହୁଳ ଅଞ୍ଚଳରେ ସୁପରସ୍ପେଶିଆଲିଟି ଚିକିତ୍ସା ସେବା ଉପଲବ୍ଧ ହେବା ସାଙ୍ଗକୁ ଡାକ୍ତର ଅଭାବ ପୂରଣ ଦିଗରେ ମଧ୍ୟ ବିଶେଷ ସହାୟକ ହୋଇ ପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ପ୍ରମୁଖ ସଚିବ ଶ୍ରୀ ମହାପାତ୍ର ଆଜି ଗଣମାଧ୍ୟକୁ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଓଡିଶାର ଏହି ଆଦିବାସୀ ଅଧ୍ୟୁସିତ ଦୁଇଟି ଜିଲ୍ଲାରେ ସରକାରୀ –ଘରୋଇ ସହଭାଗିତାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ବିଭାଗ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏତଦବ୍ୟତୀତ ଆହୁରି ଅନେକ ସଂସ୍ଥା ମଧ୍ୟ ପିପିପି ମୋଡରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ସେହିପରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଏକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉନ୍ନତି କରିବା ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ପୂର୍ବରୁ ଆଉ ୪ଟି ବାଲେଶ୍ଵର,କୋରାପୁଟ,ବଲାଙ୍ଗୀର ଓ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉନ୍ନତି କରିବା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ ୧୮୯ କୋଟି ଟଙ୍କା ବ୍ୟୟ ଅଟକଳ ମଧ୍ୟରୁ କେନ୍ଦ୍ର ସରକାର ୭୫ ପ୍ରତିଶତ ଅର୍ଥ ପ୍ରଦାନ କରିବେ ଏବଂ ବାକି ୨୫ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ ।

Share in top social networks!