ବିପ୍ର ଅଜା…!!!

970713_422384177870788_1937908858_n

ସେ ମୋ ମାଙ୍କର କୌଣସି ଦୂର ସମ୍ପର୍କୀୟ ବି ନୁହନ୍ତି । ହେଲେ ବାପା, ତାଙ୍କୁ ସମ୍ମାନର ସହ ମାମୁଁ ବୋଲି ଅତି ଆଦରର ସହ ସମ୍ବୋଧନ କରନ୍ତି ଆଉ ସେଇଥି ପାଇଁ ମୁଁ ତାଙ୍କୁ ଅଜା ବୋଲି ଡାକେ । ଏଥିରେ ଦିହ ସରି ଯାଏନି ଟି । ଗାଁ ଗହଳରେ ଏଇମିତି କକା,
ମାମୁଁ, ମଉସା, ଅଜା,ଆଈ, ପ୍ରଭୃତି ଡାକରେ ସବୁ ଭାଇ-ବନ୍ଧୁ-କୁଟୁମ୍ବ ହୋଇଯାନ୍ତି । ସମୟ ଅସମୟରେ ସେମାନେ ସବୁ ଆସି ଦୁଆରେ ଠିଆ ।

ଜନମ ହେଲାଠୁ ମୋର ନିଜର ଅଜାକୁ କେବେ ଦେଖିନାହିଁ । ବୁଦ୍ଧି ହେଲା ବେଳକୁ ପଚାରି ବୁଝିଥିଲି ଯେ ମୋ ଅଜା ରେଙ୍ଗୁନ୍‌କୁ ଯାଇଥିଲେ ଆଉ ସେଠାକାର ଗୃହଯୁଦ୍ଧର ବିଭୀଷିକା ପରଠୁ ଆଉ ଫେରିନାହାନ୍ତି । ହେଲେ ମୋ ଆଈକୁ ସଦାବେଳେ ତାଙ୍କରି ଫେରିବା ବାଟକୁ ଦେଖି କେବେଠାରୁ ଚାଲିଗଲାଣି ଆରପାରିକୁ । ମୋ ଅଜାଆଈ କଥା ଆରଥରକୁ । ଆଜି କହିବି ଏଇ ବିପ୍ର ଅଜାଙ୍କ କଥା ।

ଆମ ଘର ଆଗରେ ତାଙ୍କ ଘର । ବ୍ରାହ୍ମଣ ଜାତି । ସେ ବି ମୋ ବାପାଙ୍କ ଭଳି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ । ସେ କେତେ ମନ୍ଦିରରେ ଟ୍ରଷ୍ଟି ବି ଥିଲେ । ଲେଖାଯୋଖାରେ ଧୁରନ୍ଧର । ତାଙ୍କ ଦ୍ୱାରା ଆଖପାଖ ଦଶଖଣ୍ଡ ଗାଁର ମନ୍ଦିରରୁ ପହିଲି ଭୋଗ ବରାଦ ହୋଇ ଆସୁଥିଲା ମଧ୍ୟ ।

ସକାଳେ; ସେ, ମୁଁ ଆଉ ମୋ ବାପା ସବୁ ମିଶି ନଦୀକୁ ଗାଧୋଇବାକୁ ଯାଉ । ବାଟ ସାରା ରାଜନୀତି କଥା । ସେ ହିଁ ମୋତେ ଦୁର୍ମୁଖ ଆଉ ନିଆଁଖୁଣ୍ଟା ସହ ପରିଚୟ କରାଇ ଦେଇଥିଲେ । ଭଗବତୀ ଗୁଡ଼ାଖୁ ଟେଳାଟିଏ ଚାରି ଆଙ୍ଗୁଠିରେ ଦବେଇ ଧରି, ବିଶି ଆଙ୍ଗୁଠିରେ ଦାନ୍ତ ଉପରେ ରେଣ୍ଠି ଚାଲିଥିବେ ।

ଆଉ ବୁଝିଲୁ ନା ତ୍ରିନାଥ କହିକହି, ଧରିତ୍ରୀ ସମ୍ବାଦପତ୍ରଟିକୁ ହଲାଇ ହଲାଇ ଆମ ପିଣ୍ଡାକୁ ଚାଲି ଆସୁଥିବେ , ବେକରେ ଗାମୁଛା ଆଉ ଧୋତିଟିଏ ପିନ୍ଧି । ଅତି ନିରାଡ଼ମ୍ବର । ମୋତେ କେତେବେଳେ ଚଳେଇ ଦେଉଥିବେ ଗମାତିଆ କଥା ସବୁ କହି । ମୁଁ ରାଗିଲେ
କହୁଥିବେ,
” ରାଗିଲେ ହବକି ଭୂୟାଁ ପିଲା । ଏବେ ଏମିତି ରାଗିଲେ କାଲି ସକାଳେ ଦୁନିଆରେ କେମିତି ଚଳିବୁ କହିଲୁ ।”

ମୋ କଥା ସଙ୍କଳନରେ ସବୁ ଲେଖିବି । ଏବେ କହିବି ଆଜିର କଥା ।

ସେଦିନ କେତେ କଥାନଥାରୁ ଗଛରୁ ଫଳ ପଡ଼ିବା କଥା ଉଠିଲା ।
ମୁଁ ଏମିତି ହସଗମାତରେ କହିଦେଇଥିଲି,
“ହଁ ମ ଗଛରୁ ଫଳ ପଡ଼ିବାଟା କ’ଣ ବଡ଼ କଥାଟିଏ ଯେ…! ”

ସେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲି । ମୋର ଉତ୍ତର ଶୁଣି ସେ ଗୋଟିଏ ରହସ୍ୟମୟ ହସଟିଏ ହସି ବିଲର ଆର ହୁଡ଼ାପାରି ଚାଲିଯାଇଥିଲେ ଗୁଡ଼ାଖୁ ରେଣ୍ଠିରେଣ୍ଠି । ସେ ଯେତେବେଳେ ହାତପାଣି ସାରି କାନରେ ପଇତାଟିକୁ ଝୁଲାଇ ଫେରି ଆସିଲେ ନଦୀ
ପଠାକୁ,

ସେତେବେଳେ ମୁଁ ପଚାରିଲି, “କଣ ଅଜା ଏଇ ରହସ୍ୟମୟ ହସର ଅର୍ଥ କଣ ଥିଲା ? ”

ସେ ବି ହସି ଦେଇ କହିଥିଲେ, “ଗଛରୁ ଫଳ ପଡ଼ିବାଟା ଯଦି ବଡ଼ କଥା ନୁହଁ; ଛୋଟ କଥାବି ନୁହଁ ।”

ମୁଁ ତାଙ୍କୁ ଆଁ କରି ଅନାଇ ରହିଥିଲି କାନ କୁତୁକୁତୁ କରି।

ସେ କହିଲେ, “ଏଇ ଗଛରୁ ଫଳ ପଡ଼ିବା ଦେଖି ହିଁ ନିଉଟନ୍‌, ମାଧ୍ୟାକର୍ଷଣ ଶକ୍ତି ବିଷୟରେ ଦୁନିଆକୁ ଜଣାଇଥିଲେ ଯାହାକି ଆଜି ଦୁନିଆର କେତେ ଜ୍ଞାନବିଜ୍ଞାନ କ୍ଷେତ୍ରରେ ବ୍ୟବହାର ହୋଇପାରୁଛି । ଏଣୁ କୌଣସି କଥାକୁ ଛୋଟ ମଣିବା ଉଚିତ ନୁହଁ । ”

ଏଇଭଳି ଗାଁର ଛୋଟବଡ଼ଙ୍କ ଠାରୁ ଅନେକ କଥା ଦେଖିଶିଖି ବଡ଼ ହୋଇଛି । ସେ କଥା ଆଜି ବି ମନରେ ଅଛି । ସବୁ ବିଷୟର ଗୁରୁତ୍ୱ ବୁଝିବାକୁ ଚେଷ୍ଟା କରୁଛି । କେତେ ଦେଖି ଶିଖୁଛି ତ କେତେ ବୁଝି ଶିଖୁଛି । କେବେ ପଢ଼ି ଶିଖୁଛି ତ କେବେ ପଢ଼ାଇ ଶିଖୁଛି ।

ଏବେ ଏତକ ବୁଝି ପାରିଛି ଯେ ବିଶ୍ୱ ବ୍ରହ୍ମାଣ୍ଡର ସବୁ ଅଣୁତତ୍ତ୍ୱର ବି ମହତ୍ତ୍ୱ ରହିଛି । ପ୍ରତ୍ୟେକ ମୁହୂର୍ତ୍ତ କେତେ ଅମୂଲ୍ୟ ଏହା ହୃଦୟଙ୍ଗମ କରିଛି ।

ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଗୋଟିଏ ଗୋଟିଏ ଶିକ୍ଷକ । ଆମର ଅଜାଣତରେ କେତେ କଥା ଶିଖାଇ ଦିଅନ୍ତି ଆମକୁ । କିଏ ଏହାକୁ ଅନୁଭବ କହେତ କିଏ ଅଭିଜ୍ଞତା । ହେଲେ, ପ୍ରତିକ୍ଷଣ କେତେ ଆଖି ପିଛୁଳାକେ ଆରଘଡ଼ି ହୋଇଯାଏ ।

ନିଉଟନ୍‌ଙ୍କ ପାଇଁ ଆତ ପଡ଼ିବାର ମୁହୂର୍ତ୍ତ, ମାଡ଼ାମ୍‌ କ୍ୟୁରୀଙ୍କ ପାଇଁ ରଶ୍ମୀ ବିକୀରଣର ମୁହୂର୍ତ୍ତ, ଜେମ୍‌ସ୍‌ ୱାଟ୍‌ଙ୍କ ପାଇଁ ଚା କେଟେଲ୍‌ର ବାମ୍ଫ ଆସିବାର ମୁହୂର୍ତ୍ତ, ଆର୍କିମିଡ଼ିସ୍‌ଙ୍କ ପାଇଁ ଇଉରେକା ମୁହୂର୍ତ୍ତ ଆଉ ଏଇ ଦୁନିଆର ଏଇଭଳି ଚଉପିଠିଆଙ୍କ ପାଇଁ ଏଇ ମୁହୂର୍ତ୍ତ ହିଁ ତ ଆଣିଦେଇଥିଲା ଜ୍ଞାନବିଜ୍ଞାନର ଏକ ଆନ୍ଦୋଳନ ।

ସୁଧୀ ପାଠକେ,
ଏଇ ମୁହୂର୍ତ୍ତରେ ହିଁ ବିଶ୍ୱବ୍ରହ୍ମାଣ୍ଡ ଆତଯାତ ହେଉଛି ଆଉ ଆମ ସମସ୍ତଙ୍କୁ କିଛି ଇସାରା ଦେଉଛି କାଲିପାଇଁ । ଏଇ ମୁହୂର୍ତ୍ତରେ ହିଁ ସବୁକିଛି ଅଛି । ଆମର ବୋଧଶକ୍ତି ଦ୍ୱାରା ଏହି ମୁହୂର୍ତ୍ତରୁ ହିଁ ଜୀବନଶକ୍ତି ଆହରଣ କରି ଆମର ଅନ୍ତଃକରଣକୁ ଶୁଦ୍ଧ କରିବା ସହ ସଂସାରର ହିତ ପାଇଁ କିଛି କରିଯିବାଟା ହିଁ କଲ୍ୟାଣକାରକ ।

- ପ୍ରଭୂ

[ ମୋ କଥା ସଙ୍କଳନର "ବିପ୍ର ଅଜା" କଥାର କିୟଦଂଶ]

Share in top social networks!