କହିଲେ…କହୁଛି…କହିଲା…ବୋଲି…!!! ଚୁମା…!!!

1394250_430767737032432_513855290_n
କହିଲେ…କହୁଛି…କହିଲା…ବୋଲି…!!!

ଚୁମା…!!!

ହୁଏତ ଶୀର୍ଷକଟିକୁ ଦେଖି କେହି ରସିକ ପାଠକ ଏହାକୁ ଏକ ପ୍ରଣୟ କଥାଟିଏ ବୋଲି ଭାବିଦେଇଥିବେ। କ୍ଷମା ଚାହିଁବି, ସେଇଥିପାଇଁ । ଏଇଟା ବିଲ୍‌କୁଲ୍‌ ସେଇଭଳି କିଛି ନୁହେଁ । ହଁ, ଏଇ କଥାରେ ପ୍ରେମ ଅଛି; ଅଜସ୍ର ପ୍ରେମ, ଯାହା ମାନବିକତାର କନାରେ କାଣିଚାଏ ସ୍ନେହର କର୍ପୂର ଗନ୍ଧ ନେଇ ସୁଗନ୍ଧିତ । ହୁଏତ ବିରଳ ହେଲେ ଅମିଳକ ନୁହେଁ । ହଜାରେ ଖୋଜିଲେ ଏହା ମିଳେନି ହେଲେ ଅଭାବନୀୟ ପରିସ୍ଥିତିରେ ଏହାର ଉପସ୍ଥିତି ଦେଖିବାକୁ ମିଳେ । ଏହା କୌଣସି କାଳ୍ପନିକ କଥା ନୁହେଁ ବରଂ ଲେଖକ ଯେ ଏହାର ପ୍ରତ୍ୟକ୍ଷଦର୍ଶୀ ଏହା ଶତ ପ୍ରତିଶତ ସତ୍ୟ ।

ଉତ୍ସୃଙ୍ଖଳ, ବିଶୃଙ୍ଖଳ, ମ୍ଲେଚ୍ଛ, ବେହିଆ, ଅଭଦ୍ର, ପ୍ରଭୃତି ସଂଜ୍ଞା ଦେଇ ଆମ ଦେଶର ଅଧିକାଂଶ ବାବୁଭାଇମାନେ ଏହି ବିଦେଶୀ ମାନଙ୍କୁ ଆକ୍ଷେପ କରିଥାନ୍ତି । ନାନା ଭାବରେ ସମାଲୋଚନା କରି ବିଭିନ୍ନ ଖଟିରେ ଘଣ୍ଟାଘଣ୍ଟା କଟାଇ ଦିଅନ୍ତି । ହେଲେ; ସତ ଏଇୟା ଯେ, ଆମ ଦେଶରେ ସବୁଠି ଏଇ ବିଦେଶୀ ଛାପ । ତାହା ରାସନରେ କୁହନ୍ତୁ କି ଫେସନ୍‌ରେ କୁହନ୍ତୁ, ସବୁଠି ବିଦେଶୀ ନାମ ଆଉ ଦାମ । ଛାନ୍ଦ, ଚଉପଦୀ, ଢଗଢମାଳି ବଦଳରେ ମାଇକେଲ୍‌ ଜ୍ୟାକସନ୍‌ର ଡେଞ୍ଜରସ୍‌ ସିଡ଼ିଟାକୁ ଯେ କୋରି ସାରିବେଣି ଏଥିରେ ସନ୍ଦେହ ନାହିଁ । ଟଙ୍କାର ଭାଉ ବୁଝାପଡ଼ୁନଥିବ ହେଲେ ଡଲାର୍‌ ଭାଉକୁ ଏମାନେ ରେଡ଼ିଓ ଠାରୁ ଆରମ୍ଭ କରି ଇଣ୍ଟରନେଟ୍‌ ଯାଏଁ ଛାଣି ପକାଉଥିବେ । କୁଜି ବାଇଗଣ କିଣିବାକୁ ତର ନଥିବ ହେଲେ ସୁନାର ଆନ୍ତର୍ଜାତୀୟ ଦର କଷାକଷି ସବୁଠି ।

ଆରେ ବାବୁ ଏମାନଙ୍କର ସବୁ ଯଦି ଭଲ ଲାଗୁଛି ତେବେ ପଛରେ ଚୁଗୁଲି କିଆଁ ? ଯେ ଦେଶ ଯାଇ ସେ ଫଳ ଖାଇ; ଏଣୁ ଏଇ ମାନଙ୍କଠୁ ଶିଖିବାର ମଧ୍ୟ ବହୁତ ଅଛି । ଏଇଠି ବିନା ଟ୍ରାଫିକ୍‌ ପୋଲିସ୍‌ରେ ପ୍ରତି ଗଳିକନ୍ଦିରେ ହଜାର ହଜାର ମଟରଗାଡ଼ି ମାଡ଼ି ଚାଲନ୍ତି ବିନା ବେନିୟମ ଚାଳନାରେ । ଆମର ପୋଲିସ୍‌ ଠିଆ ହେଲେ ମଧ୍ୟ କିଏ ଖାତର୍‌ କରନ୍ତି ନାହିଁ ହେଲେ ଏଠି ନାଲିବତୀ ଲାଗିଲା ତ , ଗାଡ଼ି ହ…! ଭୂଲରେ ଯଦି କୌଣସି ପଦଯାତ୍ରୀ ଆଗେଇ ଗଲା ତେବେ ସବୁ ଗାଡ଼ିଘୋଡ଼ା ବନ୍ଦ । ପ୍ରଥମେ ପଦଯାତ୍ରୀଙ୍କୁ ଯିବାକୁ ଦିଅନ୍ତି ଏମାନେ । ସହଯାତ୍ରୀଙ୍କ ସୁରକ୍ଷା ପ୍ରତି ସମସ୍ତେ ସଚେତନ । ରଜା ଆଉ ପରଜା ଗୋଟିଏ ଘାଟରେ ପାଣି ପିଅନ୍ତି ।

ଏବେ ଶୁଣନ୍ତୁ ଅସଲ ପ୍ରସଙ୍ଗ । ହଁ’ମ ସେଇ ଚୁମା ପ୍ରସଙ୍ଗ । ଆରମ୍ଭ ଯେତେବେଳେ କରିଛି କହିବି ହିଁ କହିବି । ସେଦିନ ଘରକୁ ଫେରୁଥିଲି କାମଦାମ ସବୁ ସାରି । ସାଙ୍ଗରେ ଜଣେ ବିଦେଶୀ ବାନ୍ଧବୀ ବସିଥିଲେ ଟ୍ରେନ୍‌ରେ ମୋ ସହ ।ନିକଟରେ ଜଣେ ନୀଳନୟନା ଚନ୍ଦ୍ରମୁଖୀ ବସିଥିଲେ ଅତି ନିମଗ୍ନ ହୋଇ ସଙ୍ଗୀତ ଶ୍ରବଣରେ । ଏଣେ ମୁଁ ଆଉ ମୋର ବାନ୍ଧବୀଙ୍କ ମଧ୍ୟରେ ଦେଶ ବିଦେଶର ପ୍ରସଙ୍ଗ ଆଲୋଚନା ଚାଲିଥିଲା । ହେଲେ ସବୁ ହିନ୍ଦୀରେ । ସେଇ ବାନ୍ଧବୀ ଜଣକ ବିଭିନ୍ନ ଭାଷାଭାଷୀ ଅଞ୍ଚଳ ବୁଲି ଆସିଛନ୍ତି; ଏଣୁ ୫/୬ଟି ଭାଷା ଅନର୍ଗଳ ନହେଲେ ମଧ୍ୟ ଭଲ ରୂପେ କହିପାରୁଥାନ୍ତି । ତାଙ୍କୁ ଆହୁରି ପାରଙ୍ଗମ କରିବା ପାଇଁ ଆମର କଥା ଥିଲା ଯେ ଆମ୍ଭେ ଯେତେବେଳେ କଥା ହେବୁ ହୀନ୍ଦିରେ କଥା ହେବୁ । ସେ ମୋତେ କହୁଥିଲେ ସେ ଭାରତୀୟ ଆୟୁର୍ବେଦିକ ରେ ଅନେକ ବିଶ୍ୱାସ କରନ୍ତି ଆଉ ଯୋଗଧ୍ୟାନ ସବୁ କରନ୍ତି । କଥା ଛଳରେ ସେ “ଛ…ମ…କ୍‌…ଛ…ଲୋ” ଗୀତ ଧାଡ଼ିଏ ବି ଗାଇ ସାରିଥିଲେ ।

କୌଣସି ଏକ ଷ୍ଟେସନ୍‌ରେ ଜଣେ ୨୦/ ୨୨ ବର୍ଷୀୟ ଯୁବକ ତାଙ୍କ ମାଆ ସହ ଟ୍ରେନ୍‌ରେ ଚଢ଼ିଲେ । ସେଇ ଯୁବକ ଜଣକ ଶାରୀରିକ ତଥା ମାନସିକ ବିକାରଗ୍ରସ୍ତ ଥିଲେ ବୋଧହୁଏ । ଏଣୁ ସେ ଏଆଡ଼ୁ ସିଆଡ଼ୁ କଣ ସବୁ ପ୍ରଳାପ କରୁଥିଲେ ।ନାଳଜାବ ସବୁ ଦୁଇଧାର ହୋଇ ଝରି ଯାଉଥିଲା। ତାଙ୍କ ମାଆ ସେ ସବୁ ଗୋଟିଏ ଟିସୁ ପେପର୍‌ରେ ସେ ସବୁ ପୋଛିଦେଇ ଅତି ଧୈର୍ଯ୍ୟର ସହ ତାଙ୍କୁ ଧୀରସ୍ଥିର ହୋଇ ବସିବାକୁ ବୁଝାଉଥିଲେ । ହେଲେ ଆମ ଦେଶ ଭଳି ଛେଚିକଚାଡ଼ି ହୋଇ ନୁହଁ । ଅତି ଆଦର ଆଉ ଅତି ସମ୍ଭ୍ରମର ସହ। ବେଳେବେଳେ ଆମ ସଭିଙ୍କୁ କ୍ଷମା ପ୍ରାର୍ଥନା ବି କରୁଥିଲେ ଏଇ ଝଞ୍ଜଟ ନିମନ୍ତେ । ସେଇ ଯୁବକଙ୍କ ନିକଟରେ ବସିଥିବା ନୀଳନୟନା ଯୁବତୀ କାନରେ ଦୁଇଟି ଡିବି ଖୁଞ୍ଚି ଦେଇ କିଛି ଶୁଣୁଥିଲେ । ଆଉ ମଝିମଝିରେ ଏଇ ଦୁଇଜଣଙ୍କୁ ଅନାଇ ଟିକେ ମୁରୁକି ହସୁଥିଲେ ମଧ୍ୟ ।

ସେହି ଯୁବକ ଆଡ଼କୁ ଦେଖାଇ ମୋତେ ମୋର ବାନ୍ଧବୀ ଜଣକ ବୁଝାଉ ଥିଲେ ଯେ ଏଠାରେ ହେଣ୍ଡିକେପ୍‌ ମାନଙ୍କୁ “ଫିଜିକାଲି ଚ୍ୟାଲେଞ୍ଜଡ଼” ବୋଲି କୁହାଯାଏ ଆଉ ଏଇଭଳି ଅସାମର୍ଥ୍ୟ ଆଉ ବିକାରଗ୍ରସ୍ତ ମାନଙ୍କୁ “ପିପୁଲ୍‌ ୱିଥ୍‌ ସ୍ପେଶିଆଲ୍‌ ନିଡ଼ସ୍‌” ବୋଲି କୁହାଯାଏ । ଏମାନଙ୍କୁ କେଭେହେଁ ଘୃଣାଚକ୍ଷୁରେ ତ ଦେଖିବା ଦୂରର କଥା , କିଏ ହେଲେ ଏମାନଙ୍କୁ ଅପମାନ ହେଲା ଭଳି କୌଣସି କାମ କରନ୍ତି ନାହିଁ । ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସରକାର ଯାଏଁ ଏମାନଙ୍କର ସମସ୍ତ ବ୍ୟବସ୍ଥ ପ୍ରତି ଅତ୍ୟନ୍ତ ଧ୍ୟାନ ଦେଇଥାନ୍ତି ।

ଏଇ ସମୟରେ ସେଇ ଯୁବକ ଜଣକ ନିଜର ପ୍ରଳାପ ବନ୍ଦ କରି ନିକଟରେ ବସି ଗୀତ ଶୁଣୁଥିବା ନୀଳନୟନାଙ୍କ ଆଡ଼କୁ ଅନାଇ କିଛି କହିଲେ । ତୁରନ୍ତ ଯୁବତୀ ଜଣକ କାନରୁ ଯନ୍ତ୍ରଦ୍ୱୟ ବାହାର କରି ସେଇ ଯୁବକ ଜଣକୁ ପଚାରିଲେ,କଣ ହେଲା ବୋଲି । ସେଇ ଯୁବକ ଜଣକ ତାଙ୍କୁ ଖନେଇ ହୋଇ ପଚାରିଲେ,
“ହାଓ ଆର୍‌ ୟୁ ଡୁଇଙ୍ଗ”
ଉତ୍ତରରେ ଯୁବତୀ ଜଣକ କହିଲେ
“ ଆଇ ଏମ୍‌ ଫାଇନ୍‌ ଏଣ୍ଡ୍‌ ହାଓ ଆର୍‌ ୟୁ ଡ଼ୁଇଙ୍ଗ୍‌” ।
ଉତ୍ତରରେ ସେଇ ଯୁବକଜଣକ କେବଳ ମୁଣ୍ଡପୋତି ହସୁଥିଲେ । କିଛି ସମୟ ପରେ, ସେଇ ଯୁବକ ଜଣକ ଏଇ ଯୁବତୀ ଜଣଙ୍କର ଯନ୍ତ୍ରଦ୍ୱୟ ନେଇ ତାଙ୍କ କାନରେ ଲଗାଇବାକୁ ଚେଷ୍ଟା କରନ୍ତେ, ଯୁବତୀ ଜଣକ ନିଜେ ତାଙ୍କୁ ତାହା ଲଗାଇ ଦେଇଥିଲେ । ସେଇ ଯୁବକଙ୍କ ମା ଏଇ ଯୁବତୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତେ,ଏଇ ଯୁବତୀ ଅତି ସନ୍ତର୍ପଣର ସହ ତାଙ୍କୁ ଏଥିରୁ ବାରଣ କରିଥିଲେ । ଆଉ ଯୁବକ ଜଣଙ୍କ ହାତ ଧରି କିଛି ବୁଝାଉଥିଲେ । ଆଉ ସେ ଏଇ ଯୁବକଙ୍କ ମାଙ୍କୁ ଏଇ ଯୁବକର ସ୍ୱାସ୍ଥ୍ୟର ଭଲମନ୍ଦ ବିଷୟରେ ପଚାରି ବୁଝୁଥିଲେ ।

ଅଳ୍ପ କେତେ ସମୟ ପରେ ସେଇ ମା ଆଉ ପୁଅଙ୍କର ଷ୍ଟେସନ୍‌ ବୋଧେ ନିକଟ ହୋଇ ଆସୁଥିଲା । ସେଇ ମା ଜଣଙ୍କ ପୁଅକୁ କହିଲେ ପ୍ରସ୍ତୁତ ହେବାକୁ ଓହ୍ଲାଇବା ପାଇଁ ଏଇଥର । ସେଇ ପୁଅଟି ସେତେବେଳେ ଏଇ ଯୁବତୀ ଜଣଙ୍କୁ କହିଲେ,

“କ୍ୟାନ୍‌ ଆଇ ହଗ୍‌ ୟୁ?”

କ୍ଷଣେମାତ୍ର ବିଚଳିତ ନହୋଇ ଅଥବା କୌଣସି ଭ୍ରୁକୁଞ୍ଚନ ନକରି ସହର୍ଷ ବଦନରେ ନୀଳନୟନା କହି ଉଠିଲେ,

“ ଓଃ ସ୍ୟୁର୍‌, ହ୍ୱାଇ ନଟ୍‌…ଆଇ ଉଡ଼୍‌ ଲଭ୍‌ ଟୁ…!”

ଏହା କହି ସେ ସେହି ଯୁବକ ଜଣକୁ ଅତି ଆଦରର ସହ କୋଳାଗ୍ରତ କରି ତାଙ୍କ ପିଠି ଥାପୁଡ଼େଇ ଦେଲେ । ଏହା ଦେଖି ସେପଟେ ସେଇ ମାଙ୍କର ଆଉ ଏପଟେ ମୋର ଆଖି ଛଳଛଳ ହୋଇ ଉଠିଥିଲା । ଆଲିଙ୍ଗନ ସରିଲା ପରେ ସେଇ ପୁଅ ପୁଣି ନୀଳନୟନାଙ୍କୁ ପଚାରିଲେ,
“ କ୍ୟାନ ଆଇ ଗେଟ୍‌ ଏ କିସ୍‌ ?”
ଏଇ କଥା ଶୁଣି ସେଇ ମା ଜଣକ କିଛି ଆକଟ କରିବାକୁ ଯାଉଥିଲେ ବୋଧହୁଏ । ହେଲେ ଏଇ ଯୁବତୀ ଜଣକ ତାଙ୍କୁ ସେଥିରୁ ନିବୃତ୍ତ କରି ସେଇ ଯୁବକ ଜଣକ ଗାଲରେ ଦେଇଥିଲେ ଏକ ଚୁମା । ଏଇ ଚୁମାରେ କିଛି ଉଷ୍ମତା ନଥିଲା ନିଶ୍ଚୟ, କୌଣସି କାମନା ଅଥବା ବାସନା ବି ନୁହଁ । ଥିଲା ଖାଲି ମାନବୀୟ ବୋଧର ଏକ ଦିବ୍ୟ ଭାବ ।

ଏଇଆ ହୁଏ ଏଇ ଦେଶରେ ମୋ ଭାଇ ଓ ଭଉଣୀମାନେ ! ଏଇଭଳି ଜଣେ ଯୁବକଙ୍କୁ ଆଲିଙ୍ଗନ କରି ଚୁମାଟିଏ ଦେବାକୁ ଗଲେ ଏମାନଙ୍କର ଇଜ୍ଜତ ଚାଲି ଯାଏନି ଏଇଠି । ଅସତୀ ହୋଇଯାଆନ୍ତିନି କେହି । ହଁ, ଏଇ ଦୃଶ୍ୟ ଦେଖିଥିବା କେତେଜଣ ଦକ୍ଷିଣ ଏସିଆର ସହଯାତ୍ରୀଙ୍କର ଭ୍ରୁକୁଞ୍ଚନ ସେଇଠି ଦେଖିଥିଲି । ମୋ ପଛରୁ “ବେ…ସ…ର..ମ୍‌” ଶବ୍ଦକୁ ଉଚ୍ଚାରଣ ହେବାର ବି ଶୁଣିଥିଲି । ହେଲେ, ଏଇଠି ମଣିଷକୁ ଇତର ଆଖିରେ ଦେଖା ଯାଏ ନାହିଁ । ଗୋଟିଏ ମାନସିକ ବିକାରଗ୍ରସ୍ତ ଯୁବକକୁ କେତେଜଣ ଆମ ଦେଶରେ ଏଇ ଚୁମାଟିଏ ଦେଇପାରିବେ କୋଳେଇ ନେଇ । କେତେ ପରିବାରରେ ନିଜ ଲୋକଙ୍କୁ ଆଲିଙ୍ଗନ ଅଥବା ଚୁମାଟିଏ ଦେବାପାଇଁ ଏଠାରେ କୁନ୍ଥୁକୁନ୍ଥୁ ହେବାର ମୁଁ ଦେଖିଛି ।

ଆମ ଦେଶରେ ଲୋକେ କଥା ଏମିତି କହିବେ ଯେ ହଳଶଗଡ଼ରେ ଯିବ ନାହିଁ । ମଣିଷପଣିଆ ବା କେତେଜଣ ଦେଖାଉଛନ୍ତି ?
ହେଲେ ଏଇଠି, ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ । ନୀତିନିୟମ ସମସ୍ତଙ୍କ ପାଇଁ ଏକ । ଟଙ୍କାପଇସା ଆଳରେ ଟାଳଟୁଳ ନୀତି ଏଇଠି ମୁଁ ଏଯାବତ ଦେଖିନାହିଁ । ହୁଏତ ଦୁର୍ନୀତି ହେଉଥିବ ହେଲେ ସର୍ବସାଧାରଣଙ୍କ ଉପରେ ଏହାର ପ୍ରଭାବ ବିରଳ ।

କେତେଥର କେତେସ୍ଥାନରେ କେତେଢ଼ଙ୍ଗରେ କେତେଜଣଙ୍କୁ ଚୁମା ଦିଆନିଆ ହେବାର ଦେଖି ଆସିଛି ହେଲେ ମୋ ପାଇଁ ଏଇ ଚୁମାଟି ଥିଲା ଅତି ଅମୂଲ୍ୟ । ମୋର ଅନ୍ତରର ସହ ସେଇ ଯୁବତୀ ଜଣଙ୍କୁ ମନେମନେ ନମସ୍କାର କରିଥିଲି ସେଦିନ ଏଇ ଚୁମାଟି ପାଇଁ ।

- ପ୍ରଭୂ

* * * * * * * * * * * *
୧. ସୁଧୀ ପାଠକେ,ଏହା ଏକ ସମ୍ବେଦନଶୀଳ ବିଷୟ କୁ ଆଧାର କରି ଲେଖା ଯାଇଅଛି । ଏହି ପ୍ରସଙ୍ଗର ଭାବଗତ ଦିଗକୁ ଧ୍ୟାନ ରଖି ଏହାକୁ କୌଣସି ଅନ୍ୟର୍ଥବୋଧରେ ନନେବାକୁ ଅନୁରୋଧ । ଏହି ପ୍ରସଙ୍ଗରେ କାହାରିକୁ ଆକ୍ଷେପ ଅଥବା କଦାଚିତ କାହାରି ଅପମାନ ଉଦ୍ଦେଶ୍ୟରେ ଲେଖା ଯାଇନାହିଁ।ଏଣୁ କୌଣସି କଦର୍ଥମୂଳକ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ ଅନୁରୋଧ ।

୨. ଲେଖିବା ସମୟରେ କେତେବେଳେ – କେତେଥର – କେଉଁଠି ହୁଏତ ଅନିଚ୍ଛାକୃତ – ମୁଦ୍ରଣଗତ – ବ୍ୟାକରଣଗତ ତ୍ରୁଟି ରହିଯାଇଥାଇପାରେ । ଏହି ସବୁକୁ ହୃଦୟଙ୍ଗମ କରି ରଚନାର ଭାବଗତ – ଗୁଣଗତ – ଶବ୍ଦଗତ ସାହିତ୍ୟକୁ ଆପଣ ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ । ଏହି ସବୁ ତ୍ରୁଟି ମୋର ଦୃଷ୍ଟିକୁ ଆଣିଲେ, ମୁଁ ପରବର୍ତ୍ତୀ ସଂସ୍କରଣରେ ଏହି ସବୁକୁ ସୁଧାରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।

ଧନ୍ୟବାଦ..!!

ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!

ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

ପ୍ରଶାନ୍ତ କୁମାର ଭୂୟାଁ,
1394250_430767737032432_513855290_n, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
* * * * * * * * * * * *
[ ମୋର ଗଳ୍ପ ସଙ୍କଳନ: କହିଲେ...କହୁଛି...କହିଲା...ବୋଲି...!!!ର; “ଚୁମା...!!!” ଗଳ୍ପର କିୟଦଂଶ ]

Share in top social networks!