ଓଡ଼ିଶା ଦିବସ: ଓଡ଼ିଆ ଭାଷା ଭିତ୍ତିରେ ରାଜ୍ୟ ଗଠନର ୭୯ ବର୍ଷ

wikiଓଡ଼ିଆ ଉଇକିପିଡ଼ିଆର ସମ୍ପାଦକମାନଙ୍କ ତରଫରୁ ଭୁବନେଶ୍ୱରଠାରେ ଏହି ୨୯ ତାରିଖରେ “ଓଡ଼ିଶା ଦିବସ ୨୦୧୪” ପାଳନ କରାଯାଉଛି । ଏହି ଦିନ ଓଡ଼ିଆ ଶିଶୁ ସାହିତ୍ୟିକ ଡଃ ଜଗନ୍ନାଥ ମହାନ୍ତିଙ୍କ ୧୧ ଖଣ୍ଡ ପୁସ୍ତକର ଡିଜିଟାଲ ରୂପ ପ୍ରସ୍ତୁତ କରିବା ନିମନ୍ତେ ଏକ ପ୍ରକଳ୍ପର ଆରମ୍ଭ କରାଯିବ । ପାଖାପାଖି ୩୦୦୦ ପୃଷ୍ଠା ଡିଜିଟାଇଜ ହେବାକୁ ଥିବା ଏହି ପ୍ରକଳ୍ପଟି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ତରଫରୁ ସ୍କୁଲ ପିଲାଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆଗାମୀ କିଛି ମାସ ଭିତରେ ଆରମ୍ଭ କରାଯିବ । ଏହି ବ‌ହିଗୁଡ଼ିକ ମଧ୍ୟରେ ରହିଛି କିଛି ଶିଶୁସାହିତ୍ୟ ବହି, ଡଃ ମହାନ୍ତିଙ୍କ ଆମୋଦଦାୟକ ଅନେକ ଭ୍ରମଣ କାହାଣୀ ଓ ଓଡ଼ିଆ ଶିଶୁସାହିତ୍ୟର ଇତିହାସ । ଏହି ଦିନ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରକାଶିତ ଓଡ଼ିଆ ଭାଷା ଓ ଜନଜୀବନର ସମ୍ପୂର୍ଣ୍ଣ ଇତିହାସ ସଂକଳିତ ତିନୋଟି ବହି-“ଜାତି, ଜାଗୃତି ଓ ପ୍ରଗତି”, “ଭାଷା ଓ ଜାତୀୟତା” ଓ ଏକ ଇଂରାଜୀ ବହି “Classical Odia”କୁ ଇଣ୍ଟରନେଟରେ ଉପଲବ୍ଧ କରାଇବା ନିମନ୍ତେ ଆଉ ଏକ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଓଡ଼ିଆ ଭାଷାର ଅନେକ ପୁସ୍ତକ ଇଣ୍ଟରନେଟରେ ଉପଲବ୍ଧ ନ ଥିବା ପାଠକମାନଙ୍କ ପାଇଁ ଓଡ଼ିଆରେ ତଥ୍ୟ ଖୋଜିବା ଓ ଜ୍ଞାନ ଆହରଣ ପାଇଁ ଏକ ବିଶାଳ ପ୍ରତିବନ୍ଧକ ବୋଲି ବିଶିଷ୍ଠ ଓଡ଼ିଆ ଭାଷାବିଦ ପଦ୍ମଶ୍ରୀ ଡଃ ଦେବୀପ୍ରସାଦ ପଟ୍ଟନାୟକ କହିଛନ୍ତି । ଆଗରୁ ସୃଜନିକା ଅନୁଷ୍ଠାନ ତରଫରୁ ଓଡ଼ିଆ ଭାଷାର ପାଖାପାଖି ୭୪୦ ଖଣ୍ଡ ପୁରାତନ ପୁସ୍ତକର ଡିଜିଟାଲ ସଂସ୍କରଣ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ କେବଳ ସ୍କାନ କରାଯାଇଥିବା ଏହି ସମସ୍ତ ପୁସ୍ତକର ଲେଖାସବୁ ଖୋଜିବା ସମ୍ଭବ ନୁହେଁ । ଓଡ଼ିଆ ଉଇକିପିଡ଼ିଆ ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ କର୍ମଶାଳା ମାଧ୍ୟମରେ ଏହି ଉପାଦେୟ ବହିକୁ ପୁନଃ-ଟାଇପ କରି ମାଗଣାରେ ବିନା କପିରାଇଟରେ ଇଣ୍ଟରନେଟରେ ପାଠକମାନଙ୍କ ପାଇଁ ରଖାଯିବ । ଓଡ଼ିଆରେ ଏଥିନିମନ୍ତେ ଉଇକି-ପାଠାଗାର ନାମକ ପ୍ରକଳ୍ପ ବ୍ୟବହାର କରାଯିବ ।

ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ସରକାର ଓ ଅନେକ ସଙ୍ଗଠନମାନଙ୍କ ତରଫରୁ ଭାଷାର ବିକାଶ ନିମନ୍ତେ ଅନେକ ନୂଆ ନୂଆ ଯୋଜନା ଆରମ୍ଭ ହୋଇଛି । ତେବେ ଓଡ଼ିଆ ଭାଷାର ଲେଖାମାନ ଏବେ ମଧ୍ୟ ଇଣ୍ଟରନେଟରେ ଅନେକ ପରିମାଣରେ ଉପଲବ୍ଧ ଯାହା ବିଶ୍ୱଦରବାରରେ ଓଡ଼ିଆର ସ୍ଥିତିକୁ ଯଥେଷ୍ଟ ଦୁର୍ବଳ କରିରଖିଛି । ବର୍ତ୍ତମାନର ଅନେକ ଶିଶୁ କମ୍ପ୍ୟୁଟରରୁ ଶିଖିବା ପସନ୍ଦ କଲେଣି ଯାହା ଭାଷା ଶିକ୍ଷଣର ମାଧ୍ୟମରେ ବିରାଟ ପରିବର୍ତ୍ତନର ଆବଶ୍ୟକତାକୁ ଦୃଢ଼ୀଭୂତ କରିଛି । ଏହି ସମସ୍ତ ବିଷୟକୁ ଆଖିରେ ରଖି ଓଡ଼ିଆରେ କମ୍ପ୍ୟୁଟରରେ ବନାନ ସୁଧାରିବା, ଓଡ଼ିଆ ଗଣମାଧ୍ୟମରେ ଓ ଅନ୍ୟନ୍ୟ ମାଧ୍ୟମ ଭାଷାର ବିକାଶରେ କି କି ପଦଃକ୍ଷେପ ନେଇପାରିବେ ସେ ବାବଦରେ ପ୍ରଫେସର ଉଦୟନାଥ ସାହୁ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ଓଡ଼ିଶା ରିଭିଉ ପତ୍ରିକାର ସମ୍ପାଦକ ଓ ସାହିତ୍ୟିକ ଡଃ ଲେନିନ ମହାନ୍ତି ପ୍ରମୁଖ ଆଲୋଚନା କରିବେ ।

ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରନେଟରେ or.wikipedia.org ଠାରେ ଉପଲବ୍ଧ ଏକ ଅନଲାଇନ ଜ୍ଞାନକୋଷ । ଏଥିରେ ଅନ୍ୟ ଜ୍ଞାନକୋଷ ଭଳି କିଛି ହାତଗଣତି ସମ୍ପାଦକ ନଥାଏ ଏଥିରେ ସମସ୍ତଙ୍କୁ ସମ୍ପାଦନାର ସୁବିଧା ଦିଆଯାଇଥାଏ । ତେବେ କେତେକ ନୀତିନିୟମ ଦ୍ୱାରା ଏଥିରେ ଅଦରକାରୀ ଲେଖା ସବୁକୁ ଅଭିଜ୍ଞ ସମ୍ପାଦକମାନେ ସୁଧାରିଥାନ୍ତି । ଓଡ଼ିଆରେ ଅଧୁନା ୨୦ ଜଣ ସମ୍ପାଦକ ସକ୍ରିୟ ଭାବେ ଓଡ଼ିଶାର ଭାଷା, କଳା, ଲୋକସଂସ୍କୃତି ଓ ଜଗତର ବାକି ଅନେକ ବିଷୟରେ ପ୍ରସଙ୍ଗମାନ ସ୍ୱେଚ୍ଛାରେ ସମ୍ପାଦନା କରୁଛନ୍ତି । ୫୦୦୦ ଗୋଟି ପ୍ରସଙ୍ଗରେ ସମୃଦ୍ଧ ପ୍ରଥମ ଭାରତୀୟ ଭାଷାର ପ୍ରକଳ୍ପ ଭାବେ ବାକି ତିନୋଟି ଭାଷା-ଅସମୀୟା, ପଞ୍ଜାବୀ ଓ ମାଲାୟାଲାମ ସହ ୨୦୦୨ରେ ଆରମ୍ଭ ହୋଇଥିଲା । ତେବେ ୯ରୁ ଅଧିକ ବର୍ଷ ଧରି ଏହା ସମ୍ପାଦକଙ୍କ ଅଭାବରୁ ସ୍ଥାଣୂ ହୋଇ ରହିଥିଲା । ୨୦୧୧ରେ କିଛି ଯୁବା ଏହାକୁ ଆଉଥରେ ସକ୍ରିୟ କରିଥିଲେ । ତା’ପରଠାରୁ ଓଡ଼ିଆ ଉଇକିପିଡ଼ିଆ ୧୦ରୁ ଅଧିକ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସହରରେ ୨୦ରୁ ଅଧିକ କର୍ମଶାଳାମାନ କରିସାରିଛି । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଓଡ଼ିଆରେ ଉଇକିପିଡ଼ିଆ ସମ୍ପାଦନା କରିବାକୁ ଆଗ୍ରହୀ ବ୍ୟକ୍ତିମାନଙ୍କ ନିମନ୍ତେ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଛି ।

ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଜୟଦେବ ଭବନରେ ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହେଉଛି । ଏଥିରେ ଭାଗ ନେବା ପାଇଁ ଏହି ଲିଙ୍କରେ ନାମ ଲେଖାଇପାରିବେ: http://bitly.com/registerodishaday ।