ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସୁଧ ରିହାତି ନିମନ୍ତେ ରାଜ୍ୟ ଯୋଜନାରେ ୨୩୦.୫୫ କୋଟି ଟଙ୍କା ବରାଦ,ମିଶନ ଯୁବ ଶକ୍ତି ନିମନ୍ତେ ୨୪.୪୯ କୋଟି ଟଙ୍କା
ରାଜ୍ୟର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଥିବା ଆର୍ଥିକ ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କୁ ଦିଆଯାଉଥିବା ଋଣ ଉପରେ ସରକାର ସୁଧ ରିହାତି ବ୍ୟବସ୍ଥା ଘୋଷଣା କରିଥିଲେ । ଏଥିପାଇଁ ଆଜି ରାଜ୍ୟ ସରକାର ରାଜ୍ୟ ଯୋଜନାରୁ ଅର୍ଥବରାଦ କରାଯାଇଛି । ୨୦୧୩-୧୪ ରୁ ୨୦୧୬-୧୭ ପର୍ଯ୍ୟନ୍ତ ସମୁଦାୟ ୨୩୦.୫୫କୋଟି ଟଙ୍କା ବରାଦ କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଙ୍କ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟଯେ ୨୦୧୩-୧୪ରେ ୧.୧୦ ଲକ୍ଷ ସ୍ଵୟଂ ସହାୟିକା ଗୋଷ୍ଠୀ,୨୦୧୪-୧୫ ରେ ୧.୩୫ ଲକ୍ଷ,୨୦୧୫-୧୬ ରେ ୧.୬୦ ଲକ୍ଷ ଏବଂ ୨୦୧୬-୧୭ ରେ ୧.୮୫ ଲକ୍ଷ ଏହିପରି ସମୁଦାୟ ୫.୯୦ ଲକ୍ଷ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ଋଣ ଉପରେ ସୁଧ ରିହାତିର ଯୋଜନା ରହିଛି । ସେହିପରି ମିଶନ ଯୁବଶକ୍ତି ନିମନ୍ତେ ୨୪.୪୯ କୋଟି ଟଙ୍କା ବରାଦ କରାଯାଇଛି । ଏଥିରେ ଅଣୁଶିଳ୍ପ ପାଇଁ ୧୫.୮୬କୋଟି,ସ୍ଵୟଂ ସହାୟକ ଗୋଷ୍ଠୀ,ପଞ୍ଚାୟତ ପ୍ରତିନିଧି ମାନଙ୍କର ଅଭିଜ୍ଞତା ହାସଲ ନିମନ୍ତେ ପରିଭ୍ରମଣ ପାଇଁ ୫.୦୨ କୋଟି ଆଦର୍ଶ ଗ୍ରାମ ବିକାଶ ପାଇଁ ଭଲ୍ୟସେଣ୍ଟର ଏବଂ ଆର୍ଥିକ ସାକ୍ଷରତା ନିମନ୍ତେ ୨.୧୯ କୋଟି ଟଙ୍କା ବରାଦ କରାଯାଇଛି ।