ଓଡିଶା ସୂଚନା ସେବା ସଂଘର ଦିନିକିଆ ଧାରଣା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅବ୍ୟାହତ ରହିବ

47978
ଓଡିଶା ସୂଚନା ସେବା ସଂଘ ପକ୍ଷରୁ ମଙ୍ଗଳବାର କରାଯାଇଥିବା ଦିନିକିଆ ଧାରଣା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ସଂଘର ୬ଦଫା ଦାବୀ ପୂରଣରେ ସରକାରଙ୍କ ଅବହେଳା ଓ କାଳକ୍ଷେପଣ ନୀତି ବିରୁଦ୍ଧରେ ପ୍ରତିବାଦ କରି ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମୁଖରେ ସଂଘ ପକ୍ଷରୁ ସକାଳ ୧୦ଟାରୁ ସଂଧ୍ୟା ୫ତା ପର୍ଯ୍ୟନ୍ତ ୭ଘଣ୍ଟିଆ ଧାରଣା ଦିଆଯାଇଥିଲା ସଂଘର ସଭାପତି ସୂର୍ଯ୍ୟରଞ୍ଜନ ମହାନ୍ତି,ଉପସଭାପତି ହେମନ୍ତ କୁମାର ନାୟକ,ସଂପାଦକ ଚିତ୍ତରଞ୍ଜନ ପତି ଓ ଯୁଗ୍ମ ସଂପାଦକ ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ଵରେ ରାଜ୍ୟ ମୁଖ୍ୟାଳୟରେ କାମ କରୁଥିବା ସମସ୍ତ ସୂଚନା ସେବା ଅଧିକାରୀମାନେ ଏହି ଧାରଣାରେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ସଂଘର ଦାବୀ ସଂପର୍କରେ ଗତ ଅଗଷ୍ଟ ମାସରେ ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ଏକ ବୈଠକ କରିଥିଲେ । ଏହି ବୈଠକରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଏବଂ ସୂଚନା ଓ ଲୋକସମ୍ପର୍କ ପ୍ରମୁଖ ଶାସନ ସଚିବ ଉପସ୍ଥିତ ରହି ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା କରିଥିଲେ । ଗତ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ କ୍ୟାଡରର ପୁନର୍ବିନ୍ୟାସ କରାଯାଇ ପଦମର୍ଯ୍ୟାଦା ବୃଦ୍ଧି ଓ ପ୍ରଦୋନ୍ନତି ବୃଦ୍ଧି ଓ ପଦୋନ୍ନତି ସୁବିଧା ସୃଷ୍ଟି କରାଯାଇଛି । କିନ୍ତୁ,ସୂଚନା ସେବା ଭଳି ଏକ କ୍ଷୁଦ୍ର କ୍ୟାଡରର ପୁନର୍ବିନାସ ଗତ ୪୩ବର୍ଷ ମଧ୍ୟରେ ଠାରେ ମାତ୍ର କରାଯାଇନାହିଁ । ସରକାରଙ୍କର ଏଭଳି ବୈମାତୃକ ମନୋଭାବ ବାସ୍ତବିକ ଦୁଃଖ ଦାୟକ ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି । ତେଣୁ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଜିଲ୍ଲା ଓ ଉପଖଣ୍ଡ ସମେତ ସାରା ରାଜ୍ୟର ସୂଚନା ସେବା ଅଧିକାରୀ ମାନେ ସେମାନଙ୍କର ଧାରଣା ଅବ୍ୟାହତ ରଖିବାକୁ ସଂଘର ସଭାପତି ସୂର୍ଯ୍ୟରଞ୍ଜନ ମହାନ୍ତି ନିବେଦନ କରିଛନ୍ତି ।

Share in top social networks!