କ୍ୟାପିଟାଲ୍ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ

download (1)ରାଜଧାନୀର ସର୍ବ ପୁରାତନ କ୍ୟାପିଟାଲ୍ ହାଇସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ଵରର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାଙ୍କ ପିଲାବେଳର ଆତ୍ମୀୟତା କଥା ମନେପକାଇ କହିଥିଲେ ଯେ, ପିତା, ମାତା ଓ ଗୁରୁଙ୍କୁ ସବୁବେଳେ ଛାତ୍ରଛାତ୍ରୀମାନେ ମାନେ ରଖିବା ଉଚିତ । ଏଥିରେ ଭୁବନେଶ୍ଵର ମହାନଗର ନିଗମ ର ମେୟର ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହିତ କିପରି ସୁନ୍ଦର ପରିବେଶ,ସୁନାଗରିକ,ଦୁର୍ନୀତି ଦୂରକରିବା ଓ ସାହାସୀ ହୋଇ ଭଲ ମଣିଷ ହୋଇପାରିବା ସେ ଦିଗରେ ପିଲାମାନଙ୍କୁ ଗଠନମୂଳକ ପରାମର୍ଶ ଦେଇଥିଲେ । ଭୁବନେଶ୍ଵର ପୂର୍ତ୍ତ ଡିଭିଜନ୍ ନଂ-୪ ର ନିର୍ବାହୀ ଜନ୍ତ୍ରୀ ଦୁଃଖବନ୍ଧୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ନାଗରିକ ହେବା ପାଇଁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୋମାନିକା ରାୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମାଧ୍ୟମିକ ଶିକ୍ଷା ପରିଷଦର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ମଦନ ମୋହନ ମହାନ୍ତି,ବିଦ୍ୟାଳୟ କମିଟିର ସଭାପତି ପ୍ରଭାତ ପଟ୍ଟନାୟକ କର୍ପୋରେଟର ଦେବାଶିଷ ସିଟ, ଭାନୁପ୍ରିୟା ଦାସ ଓ ସେକ୍ ନିଜାମୁଦ୍ଦିନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ୨୦୧୩ ମସିହାର କୃତ୍ତି ଛାତ୍ର ଦେବାଶିଷ ବେହେରା ଓ ଅଲରାଉଣ୍ଡର ସର୍ବଶ୍ରେଷ୍ଠ ଛାତ୍ର ଆଲୋକ ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ପୁରସ୍କୃତ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁକା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

Share in top social networks!