ଲୋକାୟୁକ୍ତ ବିଲ୍ ପାରିତ କରିବାରେ ଓଡିଶା ପ୍ରଥମ ରାଜ୍ୟ ନୁହେଁ : ପ୍ରସାଦ

48018
ଓଡିଶା ଲୋକାୟୁକ୍ତ ବିଲ୍,୨୦୧୪ ବିଧାନସଭାରେ ଗତକାଲି ପାରିତ ହୋଇଛି । ଏହାକୁ ନେଇ ରାଜ୍ୟ ସରକାର ବାହାବା ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଥାଇ ବିଭିନ୍ନ ସମ୍ବାଦପତ୍ରରେ ପୁରା ପୃଷ୍ଠାର ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ଦୁର୍ନୀତି ବିରୁଦ୍ଧରେ ରାଜ୍ୟସରକାରଙ୍କର ଐତିହାସିକ ପଦକ୍ଷେପ,ଏହି ବିଲ୍ ଗୃହିତ କରାଇବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ’ବୋଲି ଉଲ୍ଲେଖ କରାଯାଇଛି । ଏଭଳି ପ୍ରଚାର ଦ୍ଵାରା ସରକାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିଛନ୍ତି । ଲୋକାୟୁକ୍ତ ବିଲ୍ ଗୃହିତ କରାଇବାରେ ଓଡିଶା ପ୍ରଥମ ରାଜ୍ୟ ନୁହେଁ । ଏହାପୂର୍ବରୁ ଜାନୁଆରୀ ମାସ ୨୧ତାରିଖରେ କେନ୍ଦ୍ରୀୟ ଲୋକପାଳ ଆଇନର ୬୩ଧାରାରେ ଥିବା ବ୍ୟବସ୍ଥା ଅନୁଯାୟୀ ଉତ୍ତରାଖଣ୍ଡ ବିଧାନସଭାରେ ଲୋକାୟୁକ୍ତ ବିଲ୍ ପାରିତ ହୋଇଛି । ଏଭଳି ଭୁଲ ତଥ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ସରକାରୀ ଖର୍ଚ୍ଚରେ ଛାପି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କଂଗ୍ରେସ ମୁଖ୍ୟା ସଚେତକ ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧୀକାର ଭଙ୍ଗ ପ୍ରସ୍ତାବ ମଧ୍ୟ ଶ୍ରୀ ହରିଚନ୍ଦନ ଆଣିଛନ୍ତି । ବିଧାନସଭାରେ ଗୃହୀତ ଲୋକାୟୁକ୍ତ ବିଲ୍-୨୦୧୪ କୁ ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ ପଠାଯିବ । ଏଥିରେ ଭାରତୀୟ ଦଣ୍ଡ ପ୍ରକ୍ରିୟା ସଂହିତା ଓ ଦୁର୍ନୀତି ନିବାରଣ ଆଇନ,୧୯୮୮ ଭଳି କେତେକ କେନ୍ଦ୍ରୀୟ ଆଇନର ଉଲ୍ଲେଖଥିବା ଯୋଗୁଁ ରାଷ୍ଟ୍ରପତିଙ୍କ ସମ୍ମତି ପରେ ହିଁ ଏହା ଆଇନର ମାନ୍ୟତା ପାଇବ । ବିଧାନସଭାରେ ସରକାରୀ ଦଳ ତରବରିଆ ଭାବେ ଏହାକୁ ଗୃହୀତ କରାଇଛନ୍ତି । ଏହି ପାରିତ ବିଲଟି ନିକଟ ଭବିଷ୍ୟତରେ ଆଇନ ଭାବେ କାର୍ଯ୍ୟକାରୀ ହେବ ଓ ଲୋକାୟୁକ୍ତ ନିଯୁକ୍ତ ହୋଇ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ନାହିଁ ।

Share in top social networks!