“ସାର୍ଥକ ସାରଥି : ଜାନକୀ ବଲ୍ଲଭ”ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ

download
ତିନିଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ତଥା ସଂପ୍ରତି ଅସାମର ରାଜ୍ୟପାଳପଦ ଅଳଂକୃତ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି ଉଲ୍ଲେଖକରି ରାଜ୍ୟପାଳ ଡଃ ଏସ.ସି.ଜମିର କହିଛନ୍ତି ଯେ ସେ ଖାଲି ଜଣେ ବହୁମୂଖୀ ପ୍ରତିଭା ନୁହନ୍ତି ,ରାଜନୀତି ଓ ସାହିତ୍ୟ ମଧ୍ୟରେ ଅପୂର୍ବ ସାମଞ୍ଜସ୍ୟ ରକ୍ଷାକରିବାରେ ଜାନକୀବଲ୍ଲଭ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଗତ ୩ତାରିଖ ସନ୍ଧ୍ୟାରେ ରାଜଭବନର ଅଭିଷେକ ହଲରେ ଆୟୋଜିତ ଏକ ସାହିତ୍ୟ ଉତ୍ସବରେ ଡକ୍ଟର ଗୋବିନ୍ଦ ଭୂୟାଁ ଙ୍କ ଦ୍ଵାରା ଲିଖିତ “ସାର୍ଥକ ସାରଥି: ଜାନକୀ ବଲ୍ଲଭ” ପୁସ୍ତକର ଲୋକାର୍ପଣ କରିବା ଅବସରରେ ରାଜ୍ୟପାଳ କହିଲେ ଯେ,ଜାନକୀ ବଲ୍ଲଭ ଜଣେ ଦୁରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରନେତା । ନିଜ ପ୍ରତିକ୍ରିୟାରେ ଆସାମର ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପ୍ରାୟ ଛ ଦଶକର ଯାତ୍ରାର ସ୍ମୃତି ଚାରଣ କରି କହିଥିଲେ ଯେ କୌଣସି ଆଶା ବା ଦାନ-ପ୍ରତିଦାନର ଚେତନାରେ ସେ ରାଜନୀତିଜ୍ଞ ସାହିତ୍ୟ କ୍ଷେତ୍ରକୁ ଆସିନଥିଲେ । ଯେଉଁ ସମୟରେ ସେ ରାଜନୀତି ଓ ସାହିତ୍ୟ କ୍ଷେତ୍ରକୁ ଆସିଥିଲେ ସେତେବେଳେ ତାଙ୍କ ଆଗରେ ପ୍ରଧାନ ଲକ୍ଷ୍ୟ ଥିଲା ରାଜ୍ୟକୁ ପ୍ରଗତି ପଥରେ ସ୍ଥିର ରଖି ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା । ପୁସ୍ତକର ଲେଖକ ଡକ୍ଟର ଗୋବିନ୍ଦ ଭୂୟାଁ ପୁସ୍ତକଟିର ରଚନା କରିବାର ପୃଷ୍ଠଭୂମୀ ଓ ପ୍ରେରଣା ସଂପର୍କରେ ସୂଚନା ଦେବା ଅବସରରେ କହିଥିଲେ ଯେ ଜାନକୀବଲ୍ଲଭଙ୍କ ବିଶାଳବ୍ୟକ୍ତିତ୍ଵ ଓ କର୍ମମୟ ଜୀବନର ସବୁଦିଗରୁ ଆକଳନ କରିବା ସହଜ ନୁହେଁ । ତେବେ ସେ ପ୍ରୟାସ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡଃ ସୀତାକାନ୍ତ ମହାପାତ୍ର ଓ ଡଃ ଦେବିପ୍ରସନ୍ନ ପଟ୍ଟନାୟକ ଏବଂ ତିରୁପତି ରାଷ୍ଟ୍ରୀୟ ବିଦ୍ୟାଳୟର କୁଳପତି ଡଃ ହରେକୃଷ୍ଣ ଶତପଥୀ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରକାଶକ ପୀତାଶ୍ଵର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!