କଟକମହାନଗର ନିଗମ ଓ ବାରିପଦା ପୌର ନିର୍ବାଚନ ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ

47391
କଟକ ମହାନଗର ନିଗମ ଓ ବାରିପଦା ପୌର ନିର୍ବାଚନ ପାଇଁ ମତଦାନ ଆସନ୍ତା ଫେବୃଆରୀ ୬ତାରିଖ ଦିନ ସକାଳ ୮ଘଟିକାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କଟକ ମହାନଗର ନିଗମର ସମୁଦାୟ ୩,୯୪,୮୧୦ ଜଣ ଭୋଟର ନିଗମର ୫୯ଟି ୱାର୍ଡ ପାଇଁ ୪୨୨ ଟି ମତଦାନ କେନ୍ଦ୍ରରେ ମତସାବ୍ୟସ୍ତ କରିବେ । ସେହିପରି ବାରିପଦା ପୌର ନିର୍ବାଚନରେ ସମୁଦାୟ ୬୮ହଜାର ୮୫୪ଭୋଟର ପୌରପାଳିକାର ୨୮ଟି ୱାର୍ଡ ପାଇଁ ୭୮ଟି ମତଦାନ କେନ୍ଦ୍ରରେ ମତଦାନ କରିବେ । ବାରିପଦା ପୌରପାଳିକାର ସମୁଦାୟ ୬୮ହଜାର ୮୫୪ ଭୋଟରଙ୍କ ମଧ୍ୟରୁ ୩୫ହଜାର ୩୦୮ପୁରୁଷ ଓ ୩୩ହଜାର ୫୪୬ମହିଳା ମତଦାନ ଅଟନ୍ତି । ବାରିପଦା ପୌରପାଳିକାର ୭୮ଟି ମତଦାନ କେନ୍ଦ୍ର ୩୯ଟି ସ୍ଥାନରେ ଅବସ୍ଥିତ । କଟକ ମହାନଗର ନିଗମର ସମୁଦାୟ ୪୨୨ ଟି ମତଦାନ କେନ୍ଦ୍ର ମଧ୍ୟରୁ ୨୫୩ଟି ଅତିସମ୍ବେଦନଶୀଳ ଓ ୧୬୯ଟି ସମ୍ବେଦନଶୀଳ ବୁଥ ରହିଛି ।ସେହିପରି ବାରିପଦା ପୌରପାଳିକାର ୭୮ଟି ବୁଥ ମଧ୍ୟରୁ ୪୯ଟି ସମ୍ବେଦନଶୀଳ ଓ ୨୯ଟି ଅଣସମ୍ବେଦନଶୀଳ ବୁଥ ରହିଛି । ସିଏମସି ନିର୍ବାଚନ ଦିନ ୭ଜଣ ଇ.ଭି.ଏମ୍ ଏକ୍ସପର୍ଟ ଓ ବାରିପଦା ନିର୍ବାଚନ ପାଇଁ ଉକ୍ତଦିନ ଜଣେ ଇ.ଭି.ଏମ୍ ଏକ୍ସପର୍ଟ ଙ୍କୁ ନିୟୋଜିତ କରାଯାଇଛି । ଦୁଇଟିଯାକ ନିର୍ବାଚନ ପାଇଁ ସମୁଦାୟ ୫୦୦ଟି ବୁଥ ପାଇଁ ୨୫୦୦ ପ୍ରିଜାଇଡିଂ ଅଫିସର,ପୋଲିଂ ଅଫିସର ଓ ପୋଲିସ କର୍ମଚାରୀ ମୁତୟନ କରାଯାଇଅଛି । କଟକ ନିର୍ବାଚନ ପାଇଁ ୩୨୦ଟି ସାଧାରଣ ଯାନ ଓ ୧୨୦ଟି ପୋଲିସ ଯାନ ମୁତୟନ କରାଯାଉଥିବା ବେଳେ ନିର୍ବାଚନ ପାଇଁ ୪୭ଟି ସାଧାରଣ ଯାନ ଓ ୩୦ଟି ପୋଲିସ ଯାନ ନିୟୋଜିତ କରାଯାଉଛି । ଏହିଦୁଇଟି ପୌର ନିର୍ବାଚନରେ ଫେବୃଆରୀ ୧୩ତାରିଖ ଦିନ ସି.ଏମ.ସି ମେୟର ଓ ବାରିପଦା ପୌର ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଡେପୁଟି ମେୟର ଓ ଉପାଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୧ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

Share in top social networks!