ଆଦିବାସୀ ମେଳାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

47348ଆଜି ସ୍ଥାନୀୟ ୟୁନିଟ୍ ୧ ସ୍ଥିତ ଆଦିବାସୀ ପଡିଆ ଠାରେ ଅନୁଷ୍ଠିତ ଆଦିବାସୀ ମେଳା ୨୦୧୪ ର ପଞ୍ଚମ ଦିବସ । ଆଦିବାସୀ ମେଳା ପରିସରରେ ଖୋଲାଯାଇଥିବା କେତୋଟି ସୁଦୃଶ୍ୟ ଓ ଆକର୍ଷଣୀୟ ମଣ୍ଡପରେ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳା ଓ ଭାସ୍କର୍ଯ୍ୟ ବେଶ୍ ମନଲୋଭା ହୋଇଛି । ଦର୍ଶକମାନେ ସ୍ଵତଃସ୍ଫୃର୍ତ୍ତ୍ଵ ଭାବେ ସେ ସବୁ କ୍ରୟ କରିବା ପାଇଁ ଆଗେଇ ଆସିବା ସଙ୍ଗେସଙ୍ଗେ ସମ୍ପୃକ୍ତ ଶିଳ୍ପୀଙ୍କ ସହ ଭାବର ଆଦାନ ପ୍ରଦାନ କରୁଛନ୍ତି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ସମନ୍ଵିତ ଆଦିବାସୀ ସଂସ୍ଥା ସହାୟତାରେ ରାଜଧାନୀକୁ ଆସି ନିଜର ଉତ୍ପାଦିତ ସାମଗ୍ରୀର ପସରା ମେଲାଇବାକୁ ଏହି ଆଦିବାସୀ ଶିଳ୍ପୀମାନେ ସୁଯୋଗ ପାଇଛନ୍ତି । ଜନଜାତି କଲାସାମଗ୍ରୀ ପ୍ରଦର୍ଶିତ ହେଉଥିବା ପ୍ରାଙ୍ଗଣରେ କନ୍ଧମାଳ ଜିଲ୍ଲାର କୂଟିଆ କନ୍ଧଶିଳ୍ପୀ ଙ୍କ ଦ୍ଵାରା ପ୍ରସ୍ତୁତ କାଠ ପାନିଆ ହେଉ କି ବଂଶୀ ହେଉ ବା ପାରଳାଖେମୁଣ୍ଡି ର ସଉରା ଶିଳ୍ପୀଙ୍କ ବାଉଁଶ ରେ ନିର୍ମିତ କେନ୍ଦରା ଶିଳ୍ପ କଳା ହେଉ ଅଥବା କରଞ୍ଜିଆ ଶିଳ୍ପୀଙ୍କ ଘରେ ପଥର ତିଆରି ସାମଗ୍ରୀ ହେଉ ସବୁଥିରେ ଫୁଟି ଉଠିଛି ଆଦିବାସୀ ଶିଳ୍ପୀଙ୍କ କଳା ନୈପୁଣ୍ୟ । ନବରଂଗପୁର ଜିଲ୍ଲାର ଏକ ମଣ୍ଡପରେ ପ୍ରଦର୍ଶିତ କାଠ କାମ,ଅଙ୍କନ ଓ ଅନ୍ୟ ଉପକରଣ ଆଦିବାସୀ ସମ୍ପ୍ରଦାୟ ର ପ୍ରାଚୀନ ଐତିହ୍ୟ ଓ ହସ୍ତକଳାର ନିଖୁଣତାକୁ ସୁଚାଇ ପାରିଛି । ଆଜି ଆଦିବାସୀ ମେଳାକୁ ତ୍ରିପୁରାର ଶିଳ୍ପ,ବାଣିଜ୍ୟ,ଗ୍ରାମ ଉନ୍ନୟନ ,ଜଙ୍ଗଲ,ହସ୍ତତନ୍ତ ତଥା ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ଚୌଧୁରୀ ବୁଲି ଦେଖିଥିଲେ । ତାଙ୍କ ସହିତ ଥିଲେ ତ୍ରିପୁରାର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ବାଜୁବାନ୍ ରିୟାନ୍ । ସମଗ୍ର ମେଳା ପରିସର ବୁଲି ଜନଜାତି ସଂସ୍କୃତି ଓ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଓ ପ୍ରସ୍ତୁତ କଳାବସ୍ତୁର ବିପୁଳ ବିପଣୀ ଦେଖି ପ୍ରଶଂସା କରିଥିଲେ । ଏହାପରେ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଯୁଗଳ କିଶୋର ମହାପାତ୍ରମେଳା ପରିସର ବୁଲି ଆଦିବାସୀମାନଙ୍କ ସହ ଭାବବିନିମୟ କରିଥିଲେ । ଆଜି ଜାତିର ପିତା ମହାତ୍ମାଗାନ୍ଧି ଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଜଣାଇ ପରିବେଷିତ ହୋଇଥିଲା ଭଜନ । ଆୟୋଜିତ ଭଜନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା ,ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଯୁଗଳ କିଶୋର ମହାପାତ୍ର,, ବିଭାଗୀୟ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର,ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅଖିଳ ବିହାରୀ ଓତା ,ଓ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରକାଶ ଥାଉକି,ଆଦିବାସୀ ମେଳା ୨୦୧୪ ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

Share in top social networks!